Home Energy ବ୍ୟବସାୟିକ ବାୟୋ ଗ୍ୟାସ ସୂଚନା ନାହିଁ

ବ୍ୟବସାୟିକ ବାୟୋ ଗ୍ୟାସ ସୂଚନା ନାହିଁ

ଭୁବନେଶ୍ୱର : ବ୍ୟବସାୟିକ ଭିତ୍ତିରେ ରାଜ୍ୟରେ ବାୟୋଗ୍ୟାସ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ଆଗ୍ରହୀ ଉଦ୍ୟୋଗୀ ଏବେ ନିରାଶ । ଏ ସଂକ୍ରାନ୍ତରେ ଓଡିଶା ରାଜ୍ୟ ଅକ୍ଷୟ ଶକ୍ତି ବିକାଶ ସଂସ୍ଥା (ଓରେଡା) ନିକଟରେ କୌଣସି ସୂଚନା ନଥିବାବେଳେ ବିଦ୍ୟୁତ୍‍ ବଣ୍ଟନ କମ୍ପାନୀମାନେ ବି ଏ କ୍ଷେତ୍ରରେ ନିରବ ।

ରାଜ୍ୟରେ ପରିବେଶ ଅନୁକୂଳ ଶକ୍ତି ଉତ୍ପାଦନ ପାଇଁ ଉଦ୍ୟୋଗୀମାନେ ଏବେ ଆଗ୍ରହୀ । ଯେଉଁମାନଙ୍କର ନିଜସ୍ୱ ଦୁଗ୍ଧ ଉତ୍ପାଦନ ଫାର୍ମ ଓ କୁକୁଡା ଫାର୍ମ ରହିଛି ସେମାନେ ବ୍ୟବସାୟିକ ଭିତ୍ତିରେ ବାୟୋଗ୍ୟାସ ପ୍ରତିଷ୍ଠା କରିବାକୁ ଚାହୁଁଛନ୍ତି । ଦେଶର ଅନ୍ୟାନ୍ୟ ରାଜ୍ୟ ଏ କ୍ଷେତ୍ରରେ ବହୁ ଆଗକୁ ଯିବା ସହିତ ଷ୍ଟାର୍ଟଅପ୍‍ ଜରିଆରେ ଏଥିପାଇଁ ସହାୟତା ଯୋଗାଉଛନ୍ତି । ଫାର୍ମରୁ ବାହାରୁଥିବା ଗୋବର ଓ କୁକୁଡା ମଳକୁ ବ୍ୟବହାର କରି ବାୟୋଗ୍ୟାସ ପ୍ଲାଣ୍ଟରୁ ବ୍ୟବସାୟିକ ଭିତ୍ତିରେ ଗ୍ୟାସ ଉତ୍ପାଦନ କରାଯାଇ ପାରୁଛି । ଏପରିକି ଏହି ଗ୍ୟାସରୁ ଶକ୍ତି ଉତ୍ପାଦନ ସହିତ ଏହାକୁ ବିକ୍ରି କରାଯାଇ ଭଲ ଦୁଇ ପଇସା ରୋଜଗାର ବି ହେଉଛି ।

ଅନ୍ୟ ରାଜ୍ୟରେ ଏଭଳି ପ୍ଲାଣ୍ଟର ସଫଳତା ଦେଖି ରାଜ୍ୟର ଉଦ୍ୟୋଗୀମାନେ ଓରେଡା ସହିତ ଯୋଗାଯୋଗ କରିଥିବାବେଳେ ଓରେଡା କର୍ତ୍ତୃପକ୍ଷ ଏ କ୍ଷେତ୍ରରେ ହାତ ଟେକି ଦେଇଛନ୍ତି । ଓରେଡା କେବଳ ଡିଆରଡିଏ ଜରିଆରେ ଘରୋଇ ଗୋବରଗ୍ୟାସ ପ୍ଲାଣ୍ଟ ପ୍ରତିଷ୍ଠା କରୁଥିବାବେଳେ ବ୍ୟବସାୟିକ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ କୌଣସି ବ୍ୟବସ୍ଥା ନାହିଁ କି ଏ ସଂକ୍ରାନ୍ତରେ କୌଣସି ସୂଚନା ବି ନାହିଁ । ତେବେ ବର୍ତ୍ତମାନ ଏହି କାର୍ଯ୍ୟ ବିଦ୍ୟୁତ୍‍ ଯୋଗାଣକାରୀ କମ୍ପାନୀଗୁଡିକ କରୁଥିବାରୁ ସେମାନଙ୍କ ସହିତ ଯୋଗାଯୋଗ ପାଇଁ ଓରେଡା କର୍ତ୍ତୃପକ୍ଷ ପରାମର୍ଶ ଦେଉଛନ୍ତି ।

ହେଲେ ବିଦ୍ୟୁତ୍‍ ବଣ୍ଟନକାରୀ କମ୍ପାନୀ ନିକଟରେ ଏ ସଂକ୍ରାନ୍ତରେ ବି କିଛି ସୂଚନା ନାହିଁ । ସେମାନେ କେବଳ ଘରୋଇ ଗ୍ରାହକଙ୍କ ପାଇଁ ସୌରଶକ୍ତି ବସାଇବାର କାର୍ଯ୍ୟ କରୁଛନ୍ତି । ଏଭଳି ସ୍ଥିତିରେ ବ୍ୟବସାୟିକ ଭିତ୍ତିରେ ବାୟୋଗ୍ୟାସ ବସାଇବାକୁ ଚାହୁଁଥିବା ଉଦ୍ୟୋଗୀଙ୍କୁ କିଏ ଜ୍ଞାନକୌଶଳ ଓ ସହାୟତା ଯୋଗାଇବ ତାହା ବଡ ପ୍ରଶ୍ନବାଚୀ ହୋଇଛି ।

ଏଠାରେ ଉଲ୍ଲେଖନୀୟ ଯେ ରାଜ୍ୟ ସରକାର ଦୁଗ୍ଧ ଉତ୍ପାଦନ ଉପରେ ଗୁରୁତ୍ୱ ଦେଉଥିବାବେଳେ ଗାଁ ଗହଳରେ ଏବେ ଗୋପାଳନ ପାଇଁ ଆଗ୍ରହ ପ୍ରକାଶ ପାଉଛି । ବ୍ୟାପକ ଗୋପାଳନ ଯୋଗୁଁ ପ୍ରଚୁର ପରିମାଣରେ ଗୋବର ବାହାରୁଛି । ଅନ୍ୟ ରାଜ୍ୟରେ ଗୋବର ଓ ଗୋମୂତ୍ର ବ୍ୟବହାର କରି ପର୍ଯ୍ୟାପ୍ତ ଶକ୍ତି ଉତ୍ପାଦନ ସହିତ ଉନ୍ନତମାନର ଜୈବିକ ଖତ ପ୍ରସ୍ତୁତ ହେଉଥିବାବେଳେ ଓଡିଶାରେ କିନ୍ତୁ ଗୋବରଗୁଡିକ ନଷ୍ଟ ହେଉଛି । ଯେଉଁଠାରେ ଲୋକେ ନିଜ ପାଇଁ ଛୋଟ ଛୋଟ ବାୟୋଗ୍ୟାସ ପ୍ଲାଣ୍ଟ ବସାଇଛନ୍ତି ସେଠାରେ ଅଳ୍ପ ମାତ୍ରାରେ ଗୋବରର ବ୍ୟବହାର ହେଉଛି ।

ତେଣୁ ରାଜ୍ୟରେ କିଭଳି ବ୍ୟବସାୟିକ ଭିତ୍ତିରେ ବାୟୋଗ୍ୟାସ ପ୍ଲାଣ୍ଟ ପ୍ରତିଷ୍ଠା ହେବ ଓ ଏଥିପାଇଁ ଆଗ୍ରହୀ ଉଦ୍ୟୋଗୀଙ୍କୁ କିଭଳି ବୈଷୟିକ ଓ ଆର୍ଥିକ ସହାୟତା ମିଳିବ ସେଥିପାଇଁ ରାଜ୍ୟ ସରକାର ଦୃଷ୍ଟି ଦେବାକୁ ମତପ୍ରକାଶ ପାଉଛି । (ତଥ୍ୟ)