Home Administration ବ୍ଲକକୁ ଯାଉନାହାନ୍ତି ଆକାଉଣ୍ଟ ଅଫିସର

ବ୍ଲକକୁ ଯାଉନାହାନ୍ତି ଆକାଉଣ୍ଟ ଅଫିସର

ଭୁବନେଶ୍ୱର : ବ୍ଲକରେ ନିଯୁକ୍ତି ପାଇଥିବା ଆକାଉଣ୍ଟ ଅଫିସରମାନେ କାର୍ଯ୍ୟରେ ଯୋଗ ଦେଉନାହାନ୍ତି । ପ୍ରାୟ ମାସେ ହେଲା ଏ ନେଇ ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ପକ୍ଷରୁ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଥିଲାବେଳେ ସେମାନଙ୍କ ମଧ୍ୟରୁ ଅଧିକାଂଶ କାର୍ଯ୍ୟରେ ଯୋଗଦେବାକୁ ଅମଙ୍ଗ ।

ବିଭିନ୍ନ ବିକାଶମୂଳକ ଯୋଜନା ବ୍ଲକ ସ୍ତରରେ କାର୍ଯ୍ୟକାରୀ ହେଉଥିବାବେଳେ ଏଠାରେ ଆକାଉଣ୍ଟସ ଅଫିସରଙ୍କର ଗୁରୁଦାୟିତ୍ୱ ରହିଛି । କାରଣ ଗୋଟିଏ ଗୋଟିଏ ବ୍ଲକରେ ବର୍ଷକୁ ଶହ ଶହ କୋଟି ଟଙ୍କାର କାର୍ଯ୍ୟ ହେଉଛି । ହେଲେ ଏବେ ବି ରାଜ୍ୟର ୫୦ରୁ ଅଧିକ ବ୍ଲକରେ ଏବିଡିଓମାନେ ଆକାଉଣ୍ଟସ ଅଫିସରଙ୍କ ଦାୟିତ୍ୱ ତୁଲାଉଛନ୍ତି । ଏହି ଅଧିକାରୀମାନଙ୍କର ଟ୍ୟାକ୍ସ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ଅର୍ଥ କାରବାର ସଂକ୍ରାନ୍ତରେ ସେତେଟା ଅଭିଜ୍ଞତା ନଥିବାରୁ ବହୁ ସମୟରେ ଏଥିନେଇ ସମସ୍ୟା ଦେଖା ଦେଉଛି ।

ଏହାର ଗୋଟିଏ ଉଦାହରଣ ହେଉଛି କେନ୍ଦୁଝର ଜିଲ୍ଲାର ହରିଚନ୍ଦନପୁର ବ୍ଲକ । ଏଠାରେ ପ୍ରାୟ ୧୦ବର୍ଷ ହେଲା ଆକାଉଣ୍ଟ ଅଫିସର ନଥିବାରୁ ଏବିଡିଓ ଏହି ଦାୟିତ୍ୱ ସମ୍ଭାଳୁଛନ୍ତି । ବର୍ତ୍ତମାନ ଏଠାକୁ ଜଣେ ଆକାଉଣ୍ଟ ଅଫିସର ପଠାଯାଇଥିବାବେଳେ ସିଏ କାର୍ଯ୍ୟରେ ଯୋଗଦେଉ ନାହାନ୍ତି । ଅନ୍ୟ ପକ୍ଷରେ କିଛି ଠିକାଦାର ଏବିଡିଓଙ୍କ ସପକ୍ଷରେ ବାହାରିଥିବାରୁ ଆକାଉଣ୍ଟ ଅଫିସର ଭୟରେ ଯୋଗ ଦେଉନଥିବା ନେଇ ଆଲୋଚନା ହେଉଛି ।

ତେବେ ବ୍ଲକ ସ୍ତରରେ ଆକାଉଣ୍ଟ ଅଫିସର ପଦବୀ ପୂରଣ ପାଇଁ ସରକାର ପଦକ୍ଷେପ ନେବା ସହିତ ଗତମାସ ୬ତାରିଖରେ ୩୭ଜଣ ଅଧିକାରୀଙ୍କୁ ବିଭିନ୍ନ ବ୍ଲକରେ ନିଯୁକ୍ତ ଦେଇଥିଲେ । ହେଲେ ଏମାନଙ୍କ ମଧ୍ୟରୁ ଜଣେ ଦୁଇଜଣଙ୍କୁ ବାଦ ଦେଲେ ଅନ୍ୟମାନେ କାର୍ଯ୍ୟ କ୍ଷେତ୍ରରେ ଯୋଗ ଦେଉନାହାନ୍ତି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଏହି ଅଧିକାରୀମାନେ ଏବେ ବଦଳି ତାଲିକାରେ ପରିବର୍ତ୍ତନ କରି ନିଜ ନିଜ ପସନ୍ଦର ସ୍ଥାନକୁ ଯିବାକୁ ଉଦ୍ୟମ ଚଳାଇଛନ୍ତି । ଏପରିକି ଉପକୂଳ ଜିଲ୍ଲାରେ ନିଯୁକ୍ତ ହୋଇଥିବା ଆକାଉଣ୍ଟ ଅଫିସରମାନେ ବି ନିଜ ନିଜ କାର୍ଯ୍ୟକ୍ଷେତ୍ରରେ ଯୋଗ ଦେଉନଥିବା ଦେଖିବାକୁ ମିଳୁଛି ।

ତେବେ ରାଜ୍ୟ ସରକାର ଏବେ ତଳ ସ୍ତରରେ ବିକାଶ କାର୍ଯ୍ୟ ଉପରେ ଜୋର ଦେଉଥିବାରୁ ପ୍ରତି ବ୍ଲକରେ ଆକାଉଣ୍ଟ ଅଫିସର ନିଯୁକ୍ତି ପାଇଁ ପଦକ୍ଷେପ ଗ୍ରହଣ କରୁଛନ୍ତି । ହେଲେ ଏଭଳି ସ୍ଥିତିରେ ନିଯୁକ୍ତି ପାଇଥିବା ଅଧିକାରୀମାନେ ମାସ ମାସ ଧରି କାର୍ଯ୍ୟରେ ଯୋଗ ନଦେବା ଏବେ କର୍ତ୍ତୃପକ୍ଷଙ୍କ ପାଇଁ ଚିନ୍ତାର କାରଣ ହୋଇଥିବାବେଳେ ଏମାନଙ୍କ ବିରୁଦ୍ଧରେ ଏବେ କାର୍ଯ୍ୟାନୁଷ୍ଠାନ ପାଇଁ ବିଭାଗ ସଜବାଜ ହେଉଥିବା ସୂଚନା ମିଳିଛି । (ତଥ୍ୟ)

LEAVE A REPLY

Please enter your comment!
Please enter your name here