Home News in Odia ବୌଦ୍ଧ ପର୍ଯ୍ୟଟନ ପ୍ରସ୍ତାବକୁ ମିଳୁନି ମଞ୍ଜୁରୀ

ବୌଦ୍ଧ ପର୍ଯ୍ୟଟନ ପ୍ରସ୍ତାବକୁ ମିଳୁନି ମଞ୍ଜୁରୀ

ଭୁବନେଶ୍ୱର : କେନ୍ଦ୍ର ସରକାର ବୌଦ୍ଧ ପର୍ଯ୍ୟଟନକୁ ପ୍ରୋତ୍ସାହିତ ପାଇଁ ବିଶାଳ ଯୋଜନା ପ୍ରସ୍ତୁତ କରୁଥିବାବେଳେ ଓଡିଶାରୁ ଯାଇଥିବା ପ୍ରସ୍ତାବକୁ କେନ୍ଦ୍ରୀୟ କର୍ତ୍ତୃପକ୍ଷ ମଞ୍ଜୁରୀ ଦେଉ ନାହାନ୍ତି । ବୌଦ୍ଧ କିର୍ତ୍ତୀରାଜି ପାଇଁ ଓଡିଶା ପ୍ରସିଦ୍ଧିଲାଭ କରିଥିବାବେଳେ ଦେଶୀୟ ଓ ବୈଦେଶିକ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା କ୍ଷେତ୍ରରେ ରାଜ୍ୟ ସରକାର ୧୦୦ କୋଟି ଟଙ୍କାର ଏକ ପ୍ରସ୍ତାବ କେନ୍ଦ୍ରୀୟ କର୍ତ୍ତୃପକ୍ଷଙ୍କୁ ଦେଇଥିଲେ ।

ବର୍ଷାଧିକକାଳ ହେଲା କେନ୍ଦ୍ର ସରକାର ଏହା ଉପରେ ବସି ରହିଛନ୍ତି । ହେଲେ ଏବେ କେନ୍ଦ୍ରୀୟ କର୍ତ୍ତୃପକ୍ଷ ଭାରତରେ ବୌଦ୍ଧ ପର୍ଯ୍ୟଟନ ଓ ସଂସ୍କୃତି ପ୍ରତି ଆକୃଷ୍ଟ କରିବାପାଇଁ ଏକ ବିଶାଳ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିଛନ୍ତି । ପ୍ରାଥମିକ ପର୍ଯ୍ୟାୟରେ ଏହି ଯୋଜନା ପ୍ରସ୍ତୁତ ହୋଇଥିବାବେଳେ ଆଗାମୀ ଦିନରେ ଏହାକୁ ଚୂଡାନ୍ତ ରୂପରେଖ ଦିଆଯିବାର ଯୋଜନା ରହିଛି ।  

ଭାରତୀୟ ସାଂସ୍କୃତିକ ସମ୍ପର୍କ ପରିଷଦର ମହାନିର୍ଦ୍ଦେଶକ ଦୀନେଶ କୁମାର ପଟ୍ଟନାୟକ ଏ ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କୁ ପତ୍ର ଲେଖିଥିବା ଜଣାଯାଇଛି । ବର୍ତ୍ତମାନ କେନ୍ଦ୍ର ସରକାର ବୌଦ୍ଧ ପର୍ଯ୍ୟଟନ ଓ ସଂସ୍କୃତିକୁ ପ୍ରୋତ୍ସାହନ କରିବାପାଇଁ ସମଗ୍ର ଦେଶରେ ବୌଦ୍ଧ ମେଳା ଓ ପର୍ବପର୍ବାଣୀ ଯେଉଁସବୁ ସ୍ଥାନରେ ଆୟୋଜିତ ହେଉଛି ତାହାକୁ ତାଲିକାଭୁକ୍ତ ଲାଗି ପଦକ୍ଷେପ ନେଉଛନ୍ତି । ଯେହେତୁ ଓଡିଶା ବୌଦ୍ଧ ଧର୍ମର ଏକ ପୀଠସ୍ଥଳୀ ସେଥିପାଇଁ ଓଡିଶାରେ ବିଭିନ୍ନ ସମୟରେ ବୌଦ୍ଧ ପର୍ବପର୍ବାଣୀ ଏବଂ କାର୍ଯ୍ୟକ୍ରମମାନ ଆୟୋଜିତ କରାଯାଇଥାଏ । 

ଚନ୍ଦ୍ରଗିରି, ଧଉଳିଗିରି, ରତ୍ନଗିରି ଓ ଲାଙ୍ଗୁଡି ଠାରେ ବର୍ଷର ବିଭିନ୍ନ ସମୟରେ ଉତ୍ସବମାନ ଆୟୋଜନ ହୋଇଥାଏ । ଏହି ଉତ୍ସବକୁ ତାଲିକାଭୁକ୍ତ କରାଯାଇ ଏ ସଂକ୍ରାନ୍ତରେ ବିଶେଷ ବିବରଣୀ ବିଦେଶରେ ଥିବା ଭାରତୀୟ ଦୂତାବାସମାନଙ୍କ ଜରିଆରେ ପ୍ରଚାରିତ ଓ ପ୍ରସାରିତ କରାଗଲେ ତାହା ଆର୍ନ୍ତଜାତୀୟ ପର୍ଯ୍ୟଟକମାନଙ୍କର ଦୃଷ୍ଟିକୁ ଆସିପାରିବ ଏବଂ ସେମାନେ ବହୁ ସଂଖ୍ୟାରେ ଏଠାକୁ ଆସି ଉତ୍ସବରେ ଅଂଶଗ୍ରହଣ କରିପାରିବେ । ତେଣୁ ଏହି ଉତ୍ସବାନୁଷ୍ଠାନଗୁଡିକ ତାଲିକାଭୁକ୍ତ କରିବାପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗର ପ୍ରମୁଖ ସଚିବ ବିଶାଳ ଦେବ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଏଠାରେ ଉଲ୍ଲେଖ କରାଯାଇପାରେ ଯେ ରାଜ୍ୟ ସରକାର ପ୍ରତିବର୍ଷ ଆର୍ନ୍ତଜାତୀୟ ବୌଦ୍ଧ ସମ୍ମିଳନୀ ଆୟୋଜନ କରି ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ସକାଶେ ପଦକ୍ଷେପ ନେଉଛନ୍ତି । ଏଥି ସଂଗେ ସଂଗେ ରାଜ୍ୟ ବାହାରେ ଥିବା ବିଭିନ୍ନ ଜାତୀୟ ଓ ଆର୍ନ୍ତଜାତୀୟ ପର୍ଯ୍ୟଟନସଂସ୍ଥାକୁ ଡକାଇ ସେମାନଙ୍କ ସହିତ ଏହାକୁ ଦେଶ ବିଦେଶରେ ପରିଚିତ କରାଇବାପାଇଁ ପଦକ୍ଷେପ ନେଉଛନ୍ତି । ଏହାବାଦ୍‍ ଶ୍ରୀଲଙ୍କା, ଥାଇଲ୍ୟାଣ୍ଡ ଓ ଅନ୍ୟାନ୍ୟ ବୌଦ୍ଧ ରାଷ୍ଟ୍ରଗୁଡିକୁ ଯେଭଳି ବିମାନ ଚଳାଯାଇ ପାରିବ ସେଥିପାଇଁ ରାଜ୍ୟ ପକ୍ଷରୁ ଅନୁରୋଧ କରାଯାଇଛି । (ତଥ୍ୟ)