Home News in Odia ବୋମାମାଡ ଘଟଣାରେ ରାଜନୀତି କରନି

ବୋମାମାଡ ଘଟଣାରେ ରାଜନୀତି କରନି

ଭୁବନେଶ୍ୱର : ସୂଚନା ଅଧିକାରୀ କର୍ମୀ ସର୍ବେଶ୍ୱର ବେଉରାଙ୍କ ଉପରେ ହୋଇଥିବା ବୋମା ଆକ୍ରମଣ ଅତ୍ୟନ୍ତ ଜଘନ୍ୟ ଓ ବର୍ବୋରୋଚିତ । ପୁଲିସ୍‍ ଏକ୍ଷେତ୍ରରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଆମର ବିଶ୍ୱାସ ରହିଛି । ତେବେ ଏହି ଘଟଣାକୁ ନେଇ ବିଜେପି ଯେଭଳି ରାଜନୀତି ଆରମ୍ଭ କରିଛି ତାହା ଅତ୍ୟନ୍ତ ନିନ୍ଦନୀୟ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଲେନିନ୍‍ ମହାନ୍ତି ।

ବିଜେପି ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ଶ୍ରୀ ମହାନ୍ତି କହିଛନ୍ତି ଯେ କୌଣସି ବ୍ୟକ୍ତିଙ୍କ ଉପରେ ବୋମାମାଡ ଅତ୍ୟନ୍ତ ସମ୍ବେଦନଶୀଳ ଘଟଣା ଏବଂ କୌଣସି ସ୍ତରରେ ଏହା ଗ୍ରହଣୀୟ ନୁହେଁ । ଏହି ଘଟଣାରେ ଜଡିତ ଅପରାଧିଙ୍କ ଉପରେ ପୁଲିସ୍‍ ନଜର ରଖିବା ସହିତ ସେମାନଙ୍କୁ ଧରିବାପାଇଁ ଜୋରଦାର ଉଦ୍ୟମ ଚଳାଇଛି । ତେବେ ଏଭଳି ସ୍ପର୍ଶକାତାର ଘଟଣାକୁ ନେଇ ରାଜନୀତି କରିବା ଆଦୌ ଉଚିତ୍‍ ନୁହେଁ ।

ଶ୍ରୀ ମହାନ୍ତି କହିଛନ୍ତି ଯେ ପ୍ରତ୍ୟେକ ଅପରାଧିକ ଘଟଣାକୁ ନେଇ ରାଜନୀତି କରିବା ରାଜ୍ୟ ବିଜେପିର ଅଭ୍ୟାସରେ ପରିଣତ ହୋଇଗଲାଣି । ଏହା ଫଳରେ ମାମଲାର ଗୁରୁତ୍ୱ ହ୍ରାସ ସହିତ ଅପରାଧିମାନଙ୍କୁ ରାଜନୀତିକରଣ ବେଶ୍‍ ସୁହାଉଛି । ଆକ୍ରମଣ ଭଳି ସମ୍ବେଦନଶୀଳ ଘଟଣାରେ ରାଜନୈତିକ ଆରୋପ ଲଗାଇବା ପୂର୍ବରୁ ବିଜେପି ପ୍ରଥମେ ନିଜ ଦଳର କାର୍ଯ୍ୟକର୍ତ୍ତାଙ୍କୁ ଦେଖିବା ଆବଶ୍ୟକ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

ସେ କହିଛନ୍ତି ଯେ ନିକଟରେ ଖୋଦ୍‍ ରାଜଧାନୀରେ ଦିନ ଦ୍ୱିପ୍ରହରରେ ରାଜ୍ୟ ବିଜେପିର ଦୁଇଜଣ ଆଗଧାଡିର ଯୁବନେତା ମରଣାନ୍ତକ ଆକ୍ରମଣ କରି ଫେରାଇ ହୋଇଯାଇଛନ୍ତି । ଏଭଳି ଅପରାଧିକ ପୃଷ୍ଠଭୂମି ଥିବା ନେତାଙ୍କୁ ସୁରକ୍ଷା ଦେବାପାଇଁ ଆଗେଇ ଆସିଥିବା ବିଜେପିର ଆଉ ଜଣେ ଯୁବନେତା ବି ଆଠ ମାସ ଜେଲ୍‍ରେ ରହି ଫେରିଥିବା ଜଣାଯାଇଛି । ତେଣୁ ଏଭଳି ସ୍ଥିତିରେ ଆକ୍ରମଣ ଭଳି ଜଘନ୍ୟ ଘଟଣାକୁ ବିଜେପି ନିନ୍ଦା କରିବା ସହିତ ମାମଲାର ଗୁରୁତ୍ୱ ଦୃଷ୍ଟିରୁ ଏହାକୁ ନେଇ ରାଜନୀତି ନକରିବାକୁ ଶ୍ରୀ ମହାନ୍ତି ପରାମର୍ଶ ଦେଇଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ ଏହି ବୋମାମାଡ ଘଟଣାରେ ବିଜେପି ନେତା ସେର୍ବଶ୍ୱର ବେଉରାଙ୍କୁ ହତ୍ୟା ଉଦ୍ୟମ ହୋଇଥିଲା ବୋଲି ରାଜ୍ୟ ବିଜେପିର ଉପସଭାପତି ଭୃଗୁ ବକ୍ସିପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିବା ସହିତ ଏହି ମାମଲାରେ ଧର୍ମଶାଳା ବିଧାୟକଙ୍କୁ ତଦନ୍ତ ପରିସରକୁ ଆଣିବାକୁ ଦାବି କରିଥିଲେ ।