Home News in Odia ବୋଟ୍‍ କ୍ଲବ ଲୋକାର୍ପିତ

ବୋଟ୍‍ କ୍ଲବ ଲୋକାର୍ପିତ

କଟକ : ସିଲଭର ସିଟି ବୋଟ କ୍ଲବକୁ ଆଜି ଏକ ଭର୍ଚୁଆଲ ପ୍ଲାଟଫର୍ମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପିତ କରିଛନ୍ତି । ମହାନଦୀରେ ଜଳ ଭିତ୍ତିକ ମନୋରଞ୍ଜନକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଉକ୍ତ ବୋଟ କ୍ଲବଟି ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ମାଧ୍ୟମରେ ଓଡିଶା ପର୍ଯ୍ୟଟନ ସହାୟତାରେ ୨ କୋଟି ଟଙ୍କା ବିନିଯୋଗରେ ନବୀକରଣ କରାଯାଇଅଛି ।

ଉଦଘାଟନ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ “ଜଳରାଶି ଅନ୍ତର୍ଭୁକ୍ତ ରାଜ୍ୟର ପର୍ଯ୍ୟଟନ ସମ୍ଭାବନାକୁ ସଂଯୋଗ କରିବା ପାଇଁ ଆମେ ଚିହ୍ନଟ କରିଥିବା ପର୍ଯ୍ୟଟନସ୍ଥଳୀଗୁଡ଼ିକର ଭିତ୍ତିଭୂମିର ବିକାଶ କରୁଛୁ । ମହାନଦୀର ଏହି ମନୋଜ୍ଞ ପରିବେଶରେ ମନୋରଞ୍ଜନ ଓ ଦୁଃସାହସିକ ଜଳକ୍ରୀଡ଼ା ଭିତ୍ତିକ ପର୍ଯ୍ୟଟନ ହବ୍ ପ୍ରତିଷ୍ଠା କରିବାରେ ସହାୟତା କରିବ ।”

ଫନି ବାତ୍ୟା ଦ୍ୱାରା ପ୍ରଭାବିତ ଏହି ବୋଟ କ୍ଲବରେ ଭିତ୍ତିଭୂମି ଏକ ଫ୍ଲୋଟିଂ ଜେଟି, ଲାଇଫଗାର୍ଡ, ଟଏଲେଟ୍ କମ୍ପେ୍ଲକ୍ସ, ରେଷ୍ଟୁରାଣ୍ଟ ଏବଂ ପର୍ଯ୍ୟାପ୍ତ ପାର୍କିଂ ସ୍ଥାନ ଏବଂ ପିଲାମାନଙ୍କ ଖେଳ ପଡ଼ିଆ ସହିତ ଏକ ପାର୍କ ଅନ୍ତର୍ଭୁକ୍ତ କରିବା ପାଇଁ ନବୀକରଣ କରାଯାଇଛି । ଅତିରିକ୍ତ ଭାସମାନ ଜେଟି ଯୋଡିବା ପାଇଁ ଭିତ୍ତିଭୂମି ପର୍ଯ୍ୟାୟକ୍ରମେ ଆହୁରି ବୃଦ୍ଧି କରାଯିବ ।

ବୋଟ କ୍ଲବରେ କାର୍ଯ୍ୟକ୍ଷମ ହେବାକୁ ଥିବା କାର୍ଯ୍ୟକଳାପରେ ଜେଟ ସ୍କି, ସ୍ପିଡ୍ ବୋଟ, ଡେ କ୍ରୁଜ୍‌, ବାନାନା ବୋଟ, ଇନଫ୍ଲେଟେବୁଲ୍ ବୋଟ୍‍, ୱାଟର ସ୍କୁଟର, ଫ୍ଲୋଟିଂ କାଫେ, କାୟାକିଂ, କାନୋଇଙ୍ଗ, ପେଡାଲ୍ ବୋଟ୍‍, ସ୍କୁବା ଡାଇଭିଂ ଇତ୍ୟାଦି ଅନ୍ତର୍ଭୁକ୍ତ । ଉକ୍ତ ବୋଟ କ୍ଲବରେ ଅପରେଟରମାନଙ୍କୁ ସାଧାରଣ ଭିତ୍ତିଭୂମି ଏବଂ ଉପଭୋକ୍ତା ଫି ମଡେଲରେ ପରିଚାଳନା କରିବାକୁ ଅନୁମତି ଦିଆଯିବ ।

ସାଂସଦ ସୁୂବାସ ସିଂହ ସିଲଭର ସିଟି କ୍ଲବରେ ରାତି ରହଣି ପାଇଁ ଅତିରିକ୍ତ ଗୃହ ନିର୍ମାଣ ଉପରେ ଗୁରୁତ୍ୱାରୋପ କରିଥିଲେ ଯାହା ବିଭିନ୍ନ କୋଣରୁ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବ । ରାଜ୍ୟର ସ୍ୱର୍ଣ୍ଣ ତ୍ରିଭୁଜରେ କଟକ ସହରକୁ ସଂଯୋଗ କରିବାକୁ ସେ ଅନୁରୋଧ କରିଛନ୍ତି ଯାହା ପର୍ଯ୍ୟଟକଙ୍କୁ କଟକ ଭ୍ରମଣର ସୁଯୋଗ ସୃଷ୍ଟି କରିବ ।

ସମାବେଶକୁ ସମ୍ବୋଧିତ କରି ସାଂସଦ ଭତ୍ରୃହରୀ ମହତାବ ସାମୁଦ୍ରିକ ସଂଗ୍ରାହଳୟକୁ ଓଡ଼ିଶାର ପର୍ଯ୍ୟଟନ ମାନଚିତ୍ରରେ ଅନ୍ତର୍ଭୁକ୍ତ କରିବା ଏବଂ ନିକଟସ୍ଥ ଅନ୍ୟ ପର୍ଯ୍ୟଟନ ସ୍ଥାନଗୁଡ଼ିକର ସମ୍ଭାବନାକୁ ଅନୁସନ୍ଧାନ କରି ଭିତ୍ତିଭୁମିର ବିକାଶ କରିବା ପାଇଁ ଅନୁରୋଧ କରିଥିଲେ । ପର୍ଯ୍ୟଟନ ବିଭାଗର ପ୍ରମୁଖ ଶାସନ ସଚିବ ବିଶାଲ କୁମାର ଦେବ ସମଗ୍ର ରାଜ୍ୟରେ ନିଦ୍ଦିଷ୍ଟ ପର୍ଯ୍ୟଟନ ସ୍ଥଳୀର ବିକାଶ ରଣନୀତି ବିଷୟରେ ଉଲ୍ଲେଖ କରିଥିଲେ ।

ସମାବେଶକୁ ସମ୍ବୋଧିତ କରି ପର୍ଯ୍ୟଟନ ମନ୍ତ୍ରୀ ପାଣିଗ୍ରାହୀ କହିଥିଲେ ଯେ ଏହି ପ୍ରକଳ୍ପ ମୌଳିକ ଭିତ୍ତିଭୂମି ସହିତ ଏକାଧିକ ଜଳକ୍ରୀଡ଼ା ଅପରେଟରଙ୍କୁ ସମର୍ଥନ କରିବ ଏବଂ କଟକ ତଥା ନିକଟବର୍ତ୍ତୀ ଜିଲ୍ଲାମାନଙ୍କରେ ଜଳ ଭିତ୍ତିକ ପର୍ଯ୍ୟଟନ କାର୍ଯ୍ୟକ୍ରମକୁ ପ୍ରୋତ୍ସାହିତ କରିବା ପାଇଁ ଏହା ତିଆରି ହୋଇଛି । ଅଦ୍ୟାବଧି ଦୁଇଗୋଟି ଅପରେଟର ଜଳକ୍ରୀଡ଼ା କରିବା ପାଇଁ ସ୍ଥିରିକୃତ କରାଯାଇଛି ଏବଂ ପରବର୍ତ୍ତୀ ସମୟରେ ଅଧିକ ଅପରେଟରଙ୍କୁ ନିୟୋଜନ କରିବା ପାଇଁ ପଦକ୍ଷେପ ନିଆଯାଉଅଛି ।

ଏହି କାର୍ଯ୍ୟକ୍ରମରେ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମର ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବ ଏବଂ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟିନି ଉପସ୍ଥିତ ଥିଲେ ।