Home News in Odia ବେଳାଭୂମିରେ ମଦ ବେପାରକୁ ସବୁଠି ବିରୋଧ

ବେଳାଭୂମିରେ ମଦ ବେପାରକୁ ସବୁଠି ବିରୋଧ

ଭୁବନେଶ୍ୱର : ବେଳାଭୂମି ପର୍ଯ୍ୟଟନର ବିକାଶପାଇଁ ସମୁଦ୍ରକୂଳରେ ମଦ ଦୋକାନ ଖୋଲିବାକୁ ଥିବା ଯୋଜନାକୁ ଗଞ୍ଜାମରୁ ବାଲେଶ୍ୱର ପର୍ଯ୍ୟନ୍ତ ସବୁ ଉପକୂଳବର୍ତ୍ତୀ ଜିଲ୍ଲାରେ ବିରୋଧ ହେଉଛି । ଏହି କ୍ରମରେ ଶ୍ରୀଜଗନ୍ନାଥଧାମ ପୁରୀକୁ ସମ୍ପୂର୍ଣ୍ଣ ନିଶାମୁକ୍ତ କରିବାପାଇଁ ଦଳମତ ନିର୍ବିଶେଷରେ ବିଭିନ୍ନ ସଂଗଠନ ପକ୍ଷରୁ ଦାବି ଉଠିଛି ।

ଏଠାରେ ଉଲ୍ଲେଖନୀୟ ଯେ ୨୦୨୧ ପାଇଁ ଥିବା ରାଜ୍ୟ ଅବକାରୀ ନୀତିରେ ପର୍ଯ୍ୟଟନର ବିକାଶ ଲାଗି ବେଳାଭୂମିରେ ଝୁମ୍ପୁଡିମାନ ତିଆରି କରି ସେଠାରେ ପର୍ଯ୍ୟଟକଙ୍କୁ ମଦ ପରସିବା ଲାଗି ବ୍ୟବସ୍ଥା ଅଛି । ଏହି କ୍ରମରେ ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ ପୁରୀ, ବାଲେଶ୍ୱର, ଜଗତ୍‍ସିଂହପୁର ଓ ଗଞ୍ଜାମ ଜିଲ୍ଲାରେ ୨୦ଟି ବେଳାଭୂମି ମଦ ବିତରଣ କେନ୍ଦ୍ର ଖୋଲିବାପାଇଁ ଆଗ୍ରହୀ ବ୍ୟବସାୟୀଙ୍କ ଠାରୁ ଦରଖାସ୍ତ ଆହ୍ୱାନ କରିଥିଲେ । ଜୁଲାଇ ୩୦ତାରିଖ ପର୍ଯ୍ୟନ୍ତ ଦରଖାସ୍ତ ଗ୍ରହଣ କରାଯିବ ଏବଂ ସେହିଦିନ ଅପରାହ୍ନରେ ନିଗମର ସଭାଗୃହରେ ଏହି ଦରଖାସ୍ତ ବାକ୍ସ ଖୋଲାଯିବାର କାର୍ଯ୍ୟକ୍ରମ ରହିଛି ।

ଆବେଦନକାରୀମାନଙ୍କ ଠାରୁ ଯେଉଁମାନେ ଯୋଗ୍ୟ ବିବେଚିତ ହେବେ ସେମାନଙ୍କୁ ତଳସରୀ-ଉଦୟପୁର ବେଳାଭୂମି, ପାରାଦୀପ୍‍ ବେଳାଭୂମି, ପୁରୀ-କୋଣାର୍କ ମେରାଇନ୍‍ ଡ୍ରାଇଭ, ଗୋପାଳପୁର ବେଳାଭୂମି, ଚାନ୍ଦିପୁର ଓ ପାତିସୋନାପୁର ବେଳାଭୂମିରେ ୨୦ଟି ଝୁମ୍ପୁଡି ମଦଦୋକାନ ଚଳାଇବାକୁ ଅନୁମତି ଦିଆଯିବ । ଏମାନେ ପର୍ଯ୍ୟଟନ ନିଗମକୁ ଭଡା ଓ ଲାଇସେନ୍ସ ଫି ଆଦି ଦେବେ । ପର୍ଯ୍ୟଟନ ନିଗମ ଓଡିଶା ପାନୀୟ ନିଗମରୁ ଚାହିଦା ମୁତାବକ ମଦ ଉଠାଇ ବେଳାଭୂମିର ଝୁମ୍ପୁଡି ପାନଶାଳାଗୁଡିକୁ ଯୋଗାଇବେ ।

ଇତି ମଧ୍ୟରେ ପୁରୀ, ବାଲେଶ୍ୱର, ଗଞ୍ଜାମ ଓ ଜଗତସିଂହପୁର ଜିଲ୍ଲାରେ ବିଭିନ୍ନ ସଂଗଠନ ଓ ବହୁ ବ୍ୟକ୍ତିବିଶେଷ ଝୁମ୍ପୁଡି ପାନଶାଳା ପ୍ରକଳ୍ପକୁ ବିରୋଧ କରିଛନ୍ତି । ଏହାଦ୍ୱାରା ନିଶା ଅଧିକ ପ୍ରସାରିତ ହେବ ଏବଂ ପର୍ଯ୍ୟଟନଶିଳ୍ପ ବାଧାପ୍ରାପ୍ତ ହେବା ସଂଗେ ସଂଗେ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ଉପରେ ପ୍ରତିକୂଳ ପ୍ରଭାବ ପଡିବ ବୋଲି ସେମାନେ ଆଶଙ୍କାବ୍ୟକ୍ତ କରୁଛନ୍ତି ।

ଆଜି ଶ୍ରୀକ୍ଷେତ୍ର ପୁରୀର ଅନ୍ୟୁନ ୫୦ଟି ସଂଗଠନ ପର୍ଯ୍ୟଟନ ନିଗମର ଝୁମ୍ପୁଡି ପାନଶାଳା ପ୍ରକଳ୍ପକୁ ଖୋଲା ବିରୋଧ କରିଛନ୍ତି । ଏହି ମର୍ମରେ ବିଭିନ୍ନ ସଂଗଠନ ପକ୍ଷରୁ ପୁରୀ ଜିଲ୍ଲାପାଳଙ୍କୁ ଦାବିପତ୍ର ଦିଆଯାଇଛି । ପୁରୀ ଏକ ଅଧ୍ୟାତ୍ମିକ କେନ୍ଦ୍ରସ୍ଥଳୀ ହୋଇଥିବାରୁ ଏ ପ୍ରସଙ୍ଗରେ ସେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ଜିଲ୍ଲାପାଳ ସମର୍ଥ ବର୍ମା ମଧ୍ୟ ସୂଚାଇଛନ୍ତି । ରଥଯାତ୍ରା ହେଉଥିବା ପବିତ୍ର ବଡଦାଣ୍ଡକୁ ମଦ ଓ ଆମିଷ କାରବାରରୁ ମୁକ୍ତ ରଖିବା ସଂଗେ ସଂଗେ ପୁରୀକୁ ସମ୍ପୂର୍ଣ୍ଣ ମଦମୁକ୍ତ ଅଞ୍ଚଳ ଭାବେ ଘୋଷଣା କରିବାପାଇଁ ସାଧାରଣରେ ମତପ୍ରକାଶ ପାଉଛି ।

ଇତି ମଧ୍ୟରେ ଓଡିଶା ମଦମୁକ୍ତି ଅଭିଯାନ, ମିଳିତ ଓଡିଶା ନିଶା ନିବାରଣ ସମିତି ସମେତ ବହୁ ସର୍ବୋଦୟ ଓ ସାମାଜିକ ଅନୁଷ୍ଠାନ ଝୁମ୍ପୁଡି ପାନଶାଳା ପ୍ରକଳ୍ପକୁ ବିରୋଧ କରିଛନ୍ତି । ରାଜ୍ୟ ସରକାର ପୁରୀର ଶ୍ରୀବୃଦ୍ଧି ସହିତ ଶ୍ରୀମନ୍ଦିର ଓ ତାହାର ଚତୁଃପାଶ୍ୱର୍ର ସୌନ୍ଦର୍ଯ୍ୟକରଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚକରି ଯେତିକି ବାହାଦୂରୀ ନପାଇବେ ଦେଶର ଚାରିଧାମ ମଧ୍ୟରୁ ଅନ୍ୟତମପୀଠ ପୁରୀକୁ ମଦ ମୁକ୍ତ କରାଗଲେ ତାହଠାରୁ ଅଧିକ ପ୍ରଶଂସା ସାଉଁଟିବେ ବୋଲି ଏହି ସଂଗଠନମାନେ କହିଛନ୍ତି । ଏମିତିକି ଗୋବର୍ଦ୍ଧନପୀଠର ଶଙ୍କରାଚାର୍ଯ୍ୟ ମଧ୍ୟ ଝୁମ୍ପୁଡି ପାନଶାଳା ବିରୁଦ୍ଧରେ ମୁହଁ ଖୋଲିଛନ୍ତି । (ତଥ୍ୟ)