Home General ବେଳାଭୂମିରେ ନିମ୍ନମାନର ସାମଗ୍ରୀ ବିକ୍ରି

ବେଳାଭୂମିରେ ନିମ୍ନମାନର ସାମଗ୍ରୀ ବିକ୍ରି

ପୁରୀ : ପୁରୀ ବେଳାଭୂମିରେ ବିକ୍ରି ହେଉଥିବା ଖାଦ୍ୟ ଓ ଅନ୍ୟାନ୍ୟ ସାମଗ୍ରୀ ଅତ୍ୟନ୍ତ ନିମ୍ନ ମାନର ଓ ନକଲି । ଏହା ଉପରେ ଅଙ୍କୁଶ ନଥିବାରୁ ଓଡିଶା ଆସୁଥିବା ପର୍ଯ୍ୟଟକମାନେ ଅତ୍ୟନ୍ତ ତିକ୍ତ ଅନୁଭୂତି ନେଇ ଫେରୁଥିବା ଲକ୍ଷ୍ୟ କରାଯାଉଛି ।

କରୋନା ସଂକ୍ରମଣ ହ୍ରାସ ପାଇବା ପରେ ଏବେ ପୁରୀ ବେଳାଭୂମିରେ ପର୍ଯ୍ୟଟକଙ୍କ ସଂଖ୍ୟା ବଢିବାରେ ଲାଗିଛି । ରାଜ୍ୟ ବାହାର ବିଶେଷକରି ପଡୋଶୀ ପଶ୍ଚିମବଙ୍ଗ, ବିହାର, ଛତିଶଗଡ ଆଦି ରାଜ୍ୟରୁ ବହୁ ସଂଖ୍ୟାରେ ପର୍ଯ୍ୟଟକ ପୁରୀ ଆସୁଛନ୍ତି । ସେମାନଙ୍କର ମୁଖ୍ୟ ଆକର୍ଷଣ ହେଉଛି ପୁରୀର ସ୍ୱର୍ଣ୍ଣିମ ବେଳାଭୂମି । ବହୁ ସମୟ ଏଠାରେ ବିତାଇବା ସହିତ ବିଭିନ୍ନ ସାମଗ୍ରୀ ଖରିଦ କରୁଛନ୍ତି । ପୁରୀ ବେଳାଭୂମିରେ ବିକ୍ରି ହେଉଥିବା ଖାଦ୍ୟ ଖାଉଛନ୍ତି ।

ତେବେ ପୁରୀ ବେଳାଭୂମିରେ ବୁଲା ବିକାଳିମାନେ ବିକ୍ରି କରୁଥିବା ଅଧିକାଂଶ ସାମଗ୍ରୀ ନିମ୍ନମାନର । ଏହି ବୁଲା ବିକାଳିମାନେ ସିଙ୍ଗଡା ଗୋଟାକୁ ୭ଟଙ୍କା ନେଉଥିବାବେଳେ ଏହା ଭିତରେ ଚୋପାଛଡା ହୋଇନଥିବା ଆଳୁକୁ ହଳଦୀ ଓ ଲଙ୍କାଗୁଣ୍ଡ ଗୋଳାଇ ପୂରାଇ ଦିଆଯାଉଛି । ଜଣେ ବ୍ୟକ୍ତି ସିଙ୍ଗଡା କିଣି ଖାଇବା ପୂର୍ବରୁ ବିକ୍ରେତା ତର ତର ହୋଇ କିଛି ସମୟ ପାଇଁ ସେଠାରୁ ଚମ୍ପଟ ମାରୁଛନ୍ତି । କେବଳ ସିଙ୍ଗଡା ନୁହେଁ, ବିଭିନ୍ନ କିସମର ମିଠା, ଦହିବରା, ବାଦାମ ଆଦିର ବି ସମାନ ଅବସ୍ଥା ।

ପୁରୀ ବେଳାଭୂମିର ପରିଷ୍କାର ପରିଚ୍ଛନ୍ନତା ଉପରେ ପ୍ରଶାସନ ଗୁରୁତ୍ୱ ଦେଉଥିବାବେଳେ ଏଠାରେ ବିକ୍ରି ହେଉଥିବା ଖାଦ୍ୟ ସାମଗ୍ରୀର ମାନ ଉପରେ କିନ୍ତୁ ନଜର ଦେଉନାହାନ୍ତି । ଫଳରେ ପୁରୀ ବେଳାଭୂମି ଆକର୍ଷଣରେ ଆସୁଥିବା ପର୍ଯ୍ୟଟକମାନେ ଅତ୍ୟନ୍ତ ତିକ୍ତ ଅନୁଭୂତି ନେଇ ଏଠାରୁ ଫେରୁଛନ୍ତି । ପ୍ରଶାସନ ପକ୍ଷରୁ ଏଠାରେ ପର୍ଯ୍ୟଟକଙ୍କ ପାଇଁ କୌଣସି ଖାଦ୍ୟ ସାମଗ୍ରୀ ବିକ୍ରିର ବ୍ୟବସ୍ଥା ନଥିବାରୁ ଲୋକେ ବାଧ୍ୟହୋଇ ବୁଲା ବିକାଳିଙ୍କ ଠାରୁ ଏଭଳି ନିମ୍ନମାନର ଖାଦ୍ୟ ଖାଉଛନ୍ତି ।

କେବଳ ନିମ୍ନମାନର ଖାଦ୍ୟ ନୁହେଁ, ନକଲି ମୁକ୍ତା ଓ ରତ୍ନ ପଥର କାରବାରର ପେଣ୍ଠସ୍ଥଳ ଏବେ ପୁରୀ ବେଳାଭୂମି ପାଲଟିଛି । ଲୋକଙ୍କୁ ନକଲି ମୁକ୍ତା ଓ ଅନ୍ୟାନ୍ୟ ରତ୍ନ ପଥରକୁ ଅସଲି ଦର୍ଶାଇ ଚଢା ଦରରେ ବିକ୍ରି କରୁଛନ୍ତି । ଅବିକଳ ଅସଲି ଭଳି ଦିଶୁଥିବାରୁ ବହୁ ପର୍ଯ୍ୟଟକ ଏହାକୁ କିଣି ଠକାମୀରେ ପଡୁଛନ୍ତି । ତେଣୁ ବେଳାଭୂମିରେ ନକଲି ରତ୍ନପଥର ବିକ୍ରି ଉପରେ ତୁରନ୍ତ କଡା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହେଉଛି ।

ସେହିଭଳି ପୁରୀ ବେଳାଭୂମିର ଅନ୍ୟତମ ଆକର୍ଷଣ ଶଙ୍ଖ ହୋଇଥିବାବେଳେ ଏଠାରେ ଏବେ ରାଜ୍ୟ ବାହାରୁ ଆସୁଥିବା ନକଲି ଶଙ୍ଖ ବି ବିକ୍ରି ହେଉଛି । ତାରଜାଲି ଓ ମାଟିରେ ତିଆରି ଏହି ଶଙ୍ଖ ଆଖିକୁ ଭଲ ଦେଖାଯାଉଥିବାବେଳେ ଦର ବି ଅସଲି ଶଙ୍ଖ ଠାରୁ ଢେର କମ୍‍ ରହୁଛି । ତେଣୁ ପର୍ଯ୍ୟଟକମାନେ ଏହି ଶଙ୍ଖକୁ କିଣି ଠକାମୀରେ ପଡୁଛନ୍ତି ।

ଏଭଳି ସ୍ଥିତିରେ ପର୍ଯ୍ୟଟନ ଅର୍ଥନୀତି ଉପରେ ଉଭୟ ଜିଲ୍ଲା ଓ ରାଜ୍ୟ ପ୍ରଶାସନ ଗୁରୁତ୍ୱ ଦେଉଥିବାରୁ ପର୍ଯ୍ୟଟକଙ୍କର ପ୍ରମୁଖ ଆକର୍ଷଣ ପୁରୀ ବେଳାଭୂମିରେ ବିକ୍ରି ହେଉଥିବା ସାମଗ୍ରୀର ମାନ ଓ ଗୁଣବତ୍ତା ଉପର ନଜର ରଖିବାକୁ ଦାବି ହେଉଛି । (ତଥ୍ୟ)