Home General ବେଆଇନ ଆପାର୍ଟମେଣ୍ଟ ଭାଙ୍ଗିବ କେବେ?

ବେଆଇନ ଆପାର୍ଟମେଣ୍ଟ ଭାଙ୍ଗିବ କେବେ?

ଭୁବନେଶ୍ୱର : ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଦିଲ୍ଲୀ ସୀମାନ୍ତବର୍ତ୍ତୀ ଉତ୍ତର ପ୍ରଦେଶର ନୋଏଡାରେ ୫ଶହ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ମୂଲ୍ୟର ଦୁଇଟି ବହୁତଳ ବିଶିଷ୍ଟ ବେଆଇନ ଅଟ୍ଟାଳିକାକୁ ଭାଙ୍ଗି ଦିଆଯାଇଥିବା ବେଳେ ଖୋଦ୍‍ ରାଜଧାନୀ ଭୁବନେଶ୍ୱର ଓ ତାହାର ଆଖପାଖ ଅଞ୍ଚଳରେ ଏଭଳି ଅନେକ ବେଆଇନ ନିର୍ମାଣ ଥିବାବେଳେ ଏଗୁଡିକୁ ଭାଙ୍ଗିବା ପାଇଁ ବିଡିଏ, ବିଏମସି ସମେତ ନଗରଉନ୍ନୟନ ବିଭାଗ ଭୟ କରୁଛି । ଅନ୍ୟପକ୍ଷରେ ବାରମ୍ବାର ସର୍ବକ୍ଷମା ଯୋଜନା ଘୋଷଣା କରାଯାଇ ବହୁ ବେଆଇନ ନିର୍ମାଣକୁ ଆଇନସିଦ୍ଧ କରାଯିବା ଫଳରେ ରାଜଧାନୀରେ ଜଳ, ବାୟୁ, ଉତ୍ତାପ ଓ ପ୍ରଦୂଷଣ ସମସ୍ୟା ଦିନକୁ ଦିନ ଉତ୍କଟତର ହେବାରେ ଲାଗିଛି ।

ନୋଏଡାରେ ଯେଉଁ ବହୁତଳ ବିଶିଷ୍ଟ ଟାୱାରଗୁଡିକୁ ଭାଙ୍ଗି ଦିଆଯାଇଛି ସେଗୁଡିକର ନିର୍ମାଣ ପାଇଁ ନୋଏଡା ଅନୁମତି ଦେଇଥିଲା । ତେବେ ସୁପ୍ରିମକୋର୍ଟ ତାଙ୍କ ରାୟରେ ଏକଥା ସୂଚାଇଥିଲେ ଯେ ନୋଏଡା କର୍ତ୍ତୃପକ୍ଷଙ୍କ ସହ ଅସାଧୁ ବୁଝାମଣା କରି ନିର୍ମାଣକାରୀ ସଂସ୍ଥା ନିୟମ ଉଲ୍ଳଂଘନ ସହିତ ଏହି ଟାୱାର ନିର୍ମାଣ କରିଥିଲେ । ଶେଷରେ ନିରାଶ ହୋଇ କର୍ତ୍ତୃପକ୍ଷ ଏହି ୪୦ ମହଲା ଆପାର୍ଟମେଣ୍ଟକୁ ଦୀର୍ଘବର୍ଷ ତଳେ ଭାଙ୍ଗିବାକୁ ବାଧ୍ୟ ହୋଇଛନ୍ତି ।

ରାଜ୍ୟ ବିଧାନସଭାରେ ୨୦୨୧ ମାର୍ଚ୍ଚ ମାସରେ ତତ୍କାଳୀନ ନଗର ଉନ୍ନୟନ ମନ୍ତ୍ରୀ ଦେଇଥିବା ଉତ୍ତର ଅନୁଯାୟୀ ନିର୍ମାଣ ପାଇଁ ମଞ୍ଜୁରୀ ପାଇଥିବା ୧୬୪୩ଟି ବହୁତଳ ଅଟ୍ଟାଳିକା ମଧ୍ୟରୁ ୪୮୭ଟି ବେଆଇନ ନିର୍ମାଣ କରିଛନ୍ତି । ଏଥିମଧ୍ୟରୁ ପ୍ରାୟ ୨ଶହଟି ବେଆଇନ ଅଟ୍ଟାଳିକାକୁ ଭାଙ୍ଗି ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ଏହା ପୂର୍ବରୁ ବିଡିଏ ଓ ବିଏମସି ଓଡ଼ିଶା ଉନ୍ନୟନ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ ମୁତାବକ ୧୭୫ଟି ବହୁତଳ ଆପାର୍ଟମେଣ୍ଟକୁ ଭାଙ୍ଗିବା ପାଇଁ ଯୋଜନା କରି ଅଧାରେ ଅଟକି ଯାଇଛନ୍ତି ।

ରାଜଧାନୀର ବିଭିନ୍ନ ଅଞ୍ଚଳରେ ସାଧାରଣ ପ୍ରଶାସନ ବିଭାଗ, ବିଡିଏ, ହାଉସିଂବୋର୍ଡ ଆଦି ପ୍ଲଟ୍‍ ଓ ବାସଗୃହ ନାମମାତ୍ର ମୂଲ୍ୟରେ ଯୋଗାଇଛନ୍ତି । ଯେଉଁମାନେ ଏହି ପ୍ଲଟ୍‍ ଓ ଘର ସରକାରୀ ସଂସ୍ଥାରୁ ପାଇଛନ୍ତି ସେମାନେ ଆବେଦନ ଓ ସତ୍ୟପାଠରେ ଦର୍ଶାଇଛନ୍ତି ଯେ ଭୁବନେଶ୍ୱର ଓ ତାହାର ଆଖପାଖ ଅଞ୍ଚଳରେ ସେମାନଙ୍କର ଜମି କିମ୍ବା ଘର ନାହିଁ । ଏମାନଙ୍କୁ ବାସଗୃହ ଉପଯୋଗୀ ଜମି ଓ ଘର ଯୋଗାଣ ବେଳେ ଏହା ବ୍ୟାବସାୟିକ କାର୍ଯ୍ୟରେ ବ୍ୟବହୃତ ହେବ ନାହିଁ ବୋଲି ସର୍ତ୍ତ ଥିଲା ।

କିନ୍ତୁ ବହୁ କ୍ଷେତ୍ରରେ ଏଭଳି ପ୍ଲଟକୁ ଅଳ୍ପ ଦାମରେ ସରକାରଙ୍କଠାରୁ ନେଇ ଅନେକ ବ୍ୟକ୍ତି ନିର୍ମାଣକାରୀ ଘରୋଇ ସଂସ୍ଥାମାନଙ୍କୁ କୋଟି କୋଟି ଟଙ୍କା ମୂଲ୍ୟରେ ଟେକି ଦେଉଛନ୍ତି ଏବଂ କିଛି ଅସାଧୁ ନିର୍ମାଣକାରୀ କଳାଧନର ପ୍ରାବଲ୍ୟ ଯୋଗୁଁ କର୍ତ୍ତୃପକ୍ଷଙ୍କୁ କରାୟତ କରି ଏହି କଲୋନୀ ଅଞ୍ଚଳରେ ବଡ ବଡ ଅଟ୍ଟାଳିକା ତିଆରିକରି କୋଟି କୋଟି ଟଙ୍କାରେ ବିକୁଛନ୍ତି ।

ଏହାଫଳରେ ସଂପୃକ୍ତ ଅଞ୍ଚଳରେ ଆଇନାନୁଯାୟୀ ଦୁଇ/ତିନି ମହଲା ପର୍ଯ୍ୟନ୍ତ ବାସଗୃହ ନିର୍ମାଣ କରିଥିବା ଲୋକମାନଙ୍କ ଘରକୁ ଆଲୋକ ଓ ବାୟୁ ଚଳାଚଳ ବାଧାପ୍ରାପ୍ତ ହେବା ସହ ପାଣି ଜମି ସନ୍ତସନ୍ତିଆ ପରିସ୍ଥିତି ଉପୁଜୁଛି । କେବଳ ସେତିକି ନୁହେଁ, ଏଭଳି ବେଆଇନ ନିର୍ମାଣ ଯୋଗୁଁ ବ୍ୟାପକ ପରିମାଣର ଭୂତଳ ଜଳସଂପଦର ଲୁଟ୍‍ ହେବା ସଙ୍ଗେ ସଙ୍ଗେ ସଂପୃକ୍ତ କଲୋନୀ ଗୁଡିକରେ ଆଇନ ଶୃଙ୍ଖଳା ପରିସ୍ଥିତି ମଧ୍ୟ ଉପୁଜୁଛି । ଅନେକ ନିର୍ମାଣକାରୀ ସଂସ୍ଥା ଲୋକଙ୍କୁ ଏଭଳି ପ୍ଲଟ୍‍ ଦେବା ପାଇଁ ଟଙ୍କା ନେଇ ଠକୁଥିବା ବେଳେ ଏଥିଘେନି ମାଲିମକଦ୍ଦମା ଓ ଗୁଣ୍ଡାଗର୍ଦ୍ଦି ଚାଲୁଛି ।

ବହୁତଳ ଆପାର୍ଟମେଣ୍ଟ ନିର୍ମାଣ ବେଳେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ପ୍ରତି ଯେପରି ଦୃଷ୍ଟି ଦିଆଯିବା କଥା ବହୁ କ୍ଷେତ୍ରରେ ତାହା ହେଉନାହିଁ । ଅନେକ ଆପାର୍ଟମେଣ୍ଟ ଏଭଳି ଭାବେ ନିର୍ମିତ ହୋଇଛି ଯେ ଏହାର ପରିସର ମଧ୍ୟକୁ ଦମକଳ ଗାଡି ପଶିପାରିବ ନାହିଁ । ଯଦି ଭବିଷ୍ୟତରେ ରାଜଧାନୀରେ କେହି ବେଆଇନ ଆପାର୍ଟମେଣ୍ଟଗୁଡିକ ଯୋଗୁଁ କିଛି ଅଘଟଣ ଘଟେ ତେବେ ଏଥିଲାଗି ବିଡିଏ, ବିଏମସି ସମେତ ଅଗ୍ନିଶମ ଓ ନଗର ଉନ୍ନୟନ ବିଭାଗକୁ ଦାୟୀ କରାଯାଇପାରେ ଏବଂ ଏଥିଲାଗି ସଂପୃକ୍ତ ଅଧିକାରୀଙ୍କୁ ଚିହ୍ନଟ କରି ସେମାନଙ୍କଠାରୁ ଆଇନାନୁଯାୟୀ କ୍ଷତିପୂରଣ ମଧ୍ୟ ଆଦାୟ କରାଯାଇପାରେ ବୋଲି ଆଇନ ବିଶେଷଜ୍ଞମାନେ ମତ ଦେଉଛନ୍ତି । (ତଥ)