Home Infrastructure ବୃହତ୍‍ ପ୍ରକଳ୍ପ ପାଇଁ ସମୟ ଭିତ୍ତିକ ଆକ୍ସନ ପ୍ଲାନ କର

ବୃହତ୍‍ ପ୍ରକଳ୍ପ ପାଇଁ ସମୟ ଭିତ୍ତିକ ଆକ୍ସନ ପ୍ଲାନ କର

ଭୁବନେଶ୍ୱର : ବଡ ବଡ ଭିତ୍ତିଭୂମି ପ୍ରକଳ୍ପ କାର୍ଯ୍ୟ ଧାର୍ଯ୍ୟ ସମୟରେ ସାରିବାପାଇଁ ରାଜ୍ୟ ସରକାର ସମୟ ଭତ୍ତିକ ଆକ୍ସନ ପ୍ଲାନ ସହିତ ପ୍ରକଳ୍ପ ମନିଟରିଂ ପାଇଁ ସ୍ୱଚ୍ଛ ଉପାୟ ଗ୍ରହଣ କରିବାକୁ କେନ୍ଦ୍ର ସରକାର କହିଛନ୍ତି । ୫୦୦କୋଟି ଟଙ୍କାରୁ ଅଧିକ ମୂଲ୍ୟର ବୃହଦାକାୟ ପ୍ରକଳ୍ପ ଏହି ଶ୍ରେଣୀରେ ଯାଉଥିବା ଜଣେ ଅଧିକାରୀ କହିଛନ୍ତି ।

ଓଡିଶାରେ ଏହିଭଳି ଅନେକ ବୃହଦାକାୟ ପ୍ରକଳ୍ପ କାର୍ଯ୍ୟକାରୀ ହେଉଥିବାବେଳେ ବରିଷ୍ଠ ଅଧିକାରୀଙ୍କ ଦ୍ୱାରା ଏହା ନିୟମିତ ଭାବେ ମନିଟରିଂ ହେଉଛି । ତେବେ ଧାର୍ଯ୍ୟ ସମୟରେ ପ୍ରକଳ୍ପ କାର୍ଯ୍ୟ ସାରିବାପାଇଁ ସମୟ ଭିତ୍ତିକ ଆକ୍ସନ ପ୍ଲାନ ଆବଶ୍ୟକ ଥିବାବେଳେ ତଦନୁଯାୟୀ ଖସଡା ପ୍ରସ୍ତୁତ ଲାଗି ଓଡିଶା ସରକାରଙ୍କୁ କେନ୍ଦ୍ର ପକ୍ଷରୁ କୁହାଯାଇଛି ।

୫୦୦ କୋଟି ଟଙ୍କାରୁ ଅଧିକ ନିବେଶ ମୂଲ୍ୟର ବୃହଦାକାୟ ଭିତ୍ତିଭୂମି ପ୍ରକଳ୍ପଗୁଡିକରେ ଥିବା ସମସ୍ୟାକୁ ପ୍ରୋଜେକ୍ଟ ମନିଟରିଂ ଗ୍ରୁପ୍‍ (ପିଏମ୍‍ଜି) ସମାଧାନ କରିବା ସହିତ କାର୍ଯ୍ୟ ତ୍ୱରାନ୍ୱିତ କରୁଥିବାବେଳେ ଏଥିପାଇଁ ରାଜ୍ୟ ସରକାର ସମୟ ଭିତ୍ତିକ ପଦକ୍ଷେପ ଗ୍ରହଣ ଲାଗି କେନ୍ଦ୍ର ସରକାର କହିଛନ୍ତି । ପିଏମ୍‍ଜି ପକ୍ଷରୁ ସମଗ୍ର ଦେଶରେ ୧୭୭୮ଟି ବୃହଦାକାୟ ପ୍ରକଳ୍ପର ମନିଟରିଂ କରାଯାଉଥିବାବେଳେ ଏଠାରେ ପ୍ରାୟ ୬୦ଲକ୍ଷ କୋଟି ଟଙ୍କାରୁ ଅଧିକ ନିବେଶ ହୋଇଛି । ନିୟମିତଭାବେ ୬ହଜାରରୁ ଅଧିକ ବିଷୟକୁ ମନିଟରିଂ କରାଯାଉଛି ।

ସ୍ୱଚ୍ଛ ଓ ସମୟ ଭିତ୍ତିକ ମନିଟରିଂ ବ୍ୟବସ୍ଥା ପ୍ରତିଷ୍ଠା କରାଯାଇପାରିଲେ ତାହା ପ୍ରକଳ୍ପ କାର୍ଯ୍ୟକାରିତାକୁ ତ୍ୱରିତ ବେଗରେ ଆଗେଇନେବା ଏବଂ ସମସ୍ୟାର ଟ୍ରାକିଂ ସହିତ ଧାର୍ଯ୍ୟ ସମୟରେ ଏହାର ସମାଧାନ କରିପାରିବ ବୋଲି କେନ୍ଦ୍ର ଶିଳ୍ପ ପ୍ରୋତ୍ସାହନ ଓ ଆନ୍ତଃ ବାଣିଜ୍ୟ ବିଭାଗ (ଡିପିଆଇଆଇଟି) ସଚିବ ଅନୁରାଗ ଜୈନ କହିଛନ୍ତି । ଶ୍ରୀ ଜୈନ ଏ ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କ ଅଧିକାରୀମାନଙ୍କ ସହ ସମ୍ପର୍କରେ ରହିବା ସହିତ ବୃହତ ଭିତ୍ତିଭୂମିକ ପ୍ରକଳ୍ପ ପାଇଁ ସମୟ ଭିତ୍ତିକ ଆକ୍ସନ ପ୍ଲାନ ପ୍ରସ୍ତୁତ ଲାଗି ପରାମର୍ଶ ଦେଇଛନ୍ତି ।

ପିଏମ୍‍ଜି ପକ୍ଷରୁ ରାଜ୍ୟ ସ୍ତରରେ ସମସ୍ତ ପ୍ରକାର ସହାୟତା ଯୋଗାଇଦେବାପାଇଁ ବୈଷୟିକ ପୋର୍ଟାଲ ବିକାଶ କରିଥିବାବେଳେ ଅନୁରୂପ ବ୍ୟବସ୍ଥା ରାଜ୍ୟ ସରକାରମାନେ ଗ୍ରହଣ କରିବା ସହିତ ପଡି ରହିଥିବା ମାମଲା ଗୁଡିକର ସମାଧାନ ପାଇଁ ସମୟ ଭିତ୍ତିକ ଆକ୍ସନ ପ୍ଲାନ ପ୍ରସ୍ତୁତ ଲାଗି ଶ୍ରୀ ଜୈନ କହିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଥିବା ପ୍ରୋଆକ୍ଟିଭ ଗଭର୍ଣ୍ଣମେଣ୍ଟ ଆଣ୍ଡ ଟାଇମ୍‍ଲି ଇମ୍ପ୍ଲିମେଣ୍ଟେସନ (ପ୍ରଗତି) ବଡ ବଡ ପ୍ରକଳ୍ପ ମନିଟରିଂରେ ସହାୟତା କରୁଥିବାବେଳେ ପିଏମଜି ଏଥିରେ ସମନ୍ୱୟ ରକ୍ଷା କରୁଛି । ଜିଲ୍ଲା ପ୍ରଶାସନଗୁଡିକ ପ୍ରକଳ୍ପ କାର୍ଯ୍ୟକାରିତାରେ ପ୍ରମୁଖ ଦାୟିତ୍ୱ ତୁଲାଉ ଥିବାରୁ ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱ ପାଇଁ ରାଜ୍ୟ ସରକାର ଏହି ବୈଷୟିକ ପ୍ଲାଟଫର୍ମକୁ ଆପଣେଇବା ଜରୁରୀ ବୋଲି କୁହାଯାଉଛି ।

ପଡୋଶୀ ରାଜ୍ୟ ତେଲେଙ୍ଗାନା ଭଳି ଅନେକ ରାଜ୍ୟ ଇତି ମଧ୍ୟରେ ଏହି ନୂତନ ବ୍ୟବସ୍ଥାକୁ ଗ୍ରହଣ କରିବା ସହିତ ବୃହତ୍‍ ପ୍ରକଳ୍ପଗୁଡିକ ଧାର୍ଯ୍ୟ ସମୟରେ ସାରିବାକୁ ନିଶ୍ଚିତ କରୁଛନ୍ତି । ଉତ୍ତରପ୍ରଦେଶ ଓ ଝାଡଖଣ୍ଡର ଜିଲ୍ଲା କର୍ତ୍ତୃପକ୍ଷମାନେ ପିଏମଜି ପୋର୍ଟାଲରେ ସାମିଲ ହୋଇସାରିଲେଣି । ତଦନୁଯାୟୀ ଓଡିଶା ସରକାର ବୃହଦାକାୟ ପ୍ରକଳ୍ପ କାର୍ଯ୍ୟକାରୀ କ୍ଷେତ୍ରରେ ପିଏମ୍‍ଜି ପୋର୍ଟାଲରେ ଯୋଡି ହେବାପାଇଁ ଡିପିଆଇଆଇଟି ପକ୍ଷରୁ ଅନୁରୋଧ କରାଯାଇଛି । (ତଥ୍ୟ)