Home Education ବି.ଏଡ୍‍ କଲେଜ ବନ୍ଦ ପରେ ଆଶଙ୍କା

ବି.ଏଡ୍‍ କଲେଜ ବନ୍ଦ ପରେ ଆଶଙ୍କା

ଭୁବନେଶ୍ୱର : ଶିକ୍ଷକ ଅଭାବ ଓ ଭିତ୍ତିଭୂମି ସମସ୍ୟା ଯୋଗୁଁ ରାଜ୍ୟର ବି.ଏଡ୍‍ କଲେଜଗୁଡିକୁ ବନ୍ଦ କରିଦେବାପାଇଁ କେନ୍ଦ୍ର ସରକାରଙ୍କ ଜାତୀୟ ଶିକ୍ଷକ ଶିକ୍ଷା ପରିଷଦ (ଏନ୍‍ସିଟିଇ) ଜଣାଇ ଦେଇଥିବାବେଳେ କେଉଁ ସମୟରେ ମେଡିକାଲ କଲେଜ, ହୋମିଓପାଥି ଓ ଆର‌୍ୟୁବେଦିକ କଲେଜ ଏବଂ ବିଶ୍ୱବିଦ୍ୟାଳୟ ସମେତ ଅନ୍ୟ ସରକାରୀ ଓ ସାହାଯ୍ୟପ୍ରାପ୍ତ ତଥା ସ୍ୱୟଂଶାସିତ କଲେଜଗୁଡିକ ଉପରେ କେନ୍ଦ୍ରୀୟ ସଂସ୍ଥାନଗୁଡିକର ଛାଟ ମାଡ ହେବ ସେଥିଘେନି ଆଶଙ୍କା ପ୍ରକାଶ ପାଇଛି ।

ଓଡିଶା ସରକାରଙ୍କ ନିୟନ୍ତ୍ରଣରେ ୧୫ଟି ବି.ଏଡ୍‍ କଲେଜ ରହିଛି । ଏଗୁଡିକରେ ଭିତ୍ତିଭୂମି ଅଭାବ ଓ ବିଶେଷକରି ଶିକ୍ଷକ ମରୁଡି ଅବସ୍ଥା ଲାଗି ରହିଥିବାରୁ ଚଳିତ ଶିକ୍ଷାବର୍ଷରୁ ଏହି ବି.ଏଡ୍‍ କଲେଜଗୁଡିକର ମାନ୍ୟତା ଏନ୍‍ସିଟିଇ ପ୍ରତ୍ୟାହାର କରିନେଇଛି । ତେବେ ପୂର୍ବରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନରେ ଏହି ସରକାରୀ ବି.ଏଡ୍‍ କଲେଜଗୁଡିକୁ ଗୁରୁତ୍ୱ ନନେଇ ଗୌଣ ଭାବେ ଦେଖାଯାଉଥିବାରୁ ବର୍ଷ ବର୍ଷ ଧରି କେଉଁଠି ଜଣେ ପ୍ରନ୍ସିପାଲ ତ ଆଉ କେଉଁଠି ଜଣେ ଦୁଇଜଣ ଶିକ୍ଷକରେ ଏହି ବି.ଏଡ୍‍ କଲେଜ ଚାଲୁଥିଲା । ଏବେ ବି.ଏଡ୍‍ କଲେଜଗୁଡିକ ଉଚ୍ଚଶିକ୍ଷା ବିଭାଗ ଅଧିନକୁ ଆସିଛି ଏବଂ ଏଥିରେ ଖାଲିପଡିଥିବା ପଦବୀଗୁଡିକ ମଧ୍ୟରୁ ୩୮୫ଟି ସହକାରୀ ପ୍ରଫେସର ପଦବୀ ପୂରଣ ପାଇଁ ରାଜ୍ୟ ସରକାର ଲୋକସେବା ଆୟୋଗକୁ କହିଛନ୍ତି ।

କରୋନା ପରିପ୍ରେକ୍ଷୀରେ ୧୫ଦିନ ଭିତରେ ଆୟୋଗ ୭୦୦ରୁ ଅଧିକ ଡାକ୍ତର ପଦବୀ ପାଇଁ ଯୋଗ୍ୟପ୍ରାର୍ଥୀ ଚୟନ କରିଥିବାବେଳେ ଅନୁରୂପ ଭାବେ ଗୁରୁତ୍ୱଦେଲେ ସପ୍ତାହେ ଦୁଇ ସପ୍ତାହ ଭିତରେ ବି.ଏଡ୍‍ କଲେଜଗୁଡିକରେ ୩୮୫ଜଣ ଅଧ୍ୟାପକ ନିଯୁକ୍ତି ପାଇପାରିବେ । ଏହାଛଡା ଅନ୍ୟ ପଦବୀଗୁଡିକ ମଧ୍ୟ ସରକାର ଚାହିଁଲେ ଅଗ୍ରାଧିକାର ଭିତ୍ତିରେ ପୂରଣ ହୋଇପାରିବ ।

ଏଠାରେ ଉଲ୍ଲେଖନୀୟ ଯେ ରାଜ୍ୟରେ ପ୍ରାୟ ୮ହଜାର ହାଇସ୍କୁଲ ଏବଂ ପ୍ରାୟ ୫୦ହଜାର ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅଛି । ପ୍ରାଥମିକ ବିଦ୍ୟାଳୟଗୁଡିକରେ ସିଟି ତାଲିମପ୍ରାପ୍ତ ଶିକ୍ଷକ ନିଯୁକ୍ତ ହେଉଥିବାବେଳେ ହାଇସ୍କୁଲଗୁଡିକରେ ବି.ଏଡ୍‍ ଶିକ୍ଷକଙ୍କର ଆବଶ୍ୟକତା ଥାଏ । ହାଇସ୍କୁଲରେ ପାଠପଢୁଥିବା ପ୍ରାୟ ୧୨ଲକ୍ଷ ଛାତ୍ରଙ୍କ ପାଇଁ ଏହି ତାଲିମପ୍ରାପ୍ତ ବି.ଏଡ୍‍ ଶିକ୍ଷକଙ୍କ ଶିକ୍ଷାଦାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥିବାବେଳେ ହାଇସ୍କୁଲଗୁଡିକରେ ୧୬ହଜାରରୁ ଅଧିକ ଶିକ୍ଷକ ଓ ପ୍ରଧାନଶିକ୍ଷକ ପଦବୀ ଖାଲି ପଡିଥିବା କୁହାଯାଉଛି । ବି.ଏଡ୍‍ କଲେଜଗୁଡିକ ଯଦି ବନ୍ଦ ହୋଇଯିବ ତେବେ ହାଇସ୍କୁଲପାଇଁ ରାଜ୍ୟରେ ଆଉ ତାଲିମପ୍ରାପ୍ତ ଶିକ୍ଷକ ମିଳିବେ ନାହିଁ ।

ଏ ପରିପ୍ରେକ୍ଷୀରେ କେନ୍ଦ୍ର ସରକାରଙ୍କ ଏନ୍‍ସିଟିଇ ରାଜ୍ୟର ବି.ଏଡ୍‍ କଲେଜଗୁଡିକରୁ ମାନ୍ୟତା ପ୍ରତ୍ୟାହାର ପାଇଁ ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହାର ପୁର୍ନବିଚାର କରି ବି.ଏଡ୍‍ କଲେଜ ଗୁଡିକରେ ନାମାଙ୍କନପାଇଁ ପ୍ରତିବନ୍ଧକ ନରଖିବାକୁ ଉଚ୍ଚଶିକ୍ଷା ବିଭାଗ ଅନୁରୋଧ ଜଣାଇଛି ।

ଅନ୍ୟ ପକ୍ଷରେ ରାଜ୍ୟରେ ଥିବା ୫୨ଟି ସରକାରୀ ଡିଗ୍ରୀ କଲେଜ ଓ ୩୭ଟି ସ୍ୱୟଂଶାସିତ କଲେଜ ସମେତ ଅନ୍ୟ ସାହାଯ୍ୟପ୍ରାପ୍ତ ଡିଗ୍ରୀ କଲେଜ ଓ ଯୁକ୍ତଦୁଇ ଶିକ୍ଷାନୁଷ୍ଠାନଗୁଡିକରେ ସାଂଘାତିକ ଅବସ୍ଥା । ଏଥିରୁ ଅଧିକାଂଶ ସ୍ଥାନରେ ନିୟମିତ ଅଧ୍ୟକ୍ଷ ନାହାନ୍ତି ଏବଂ ବ୍ୟାପକ ସଂଖ୍ୟକ ଅଧ୍ୟାପକ ପଦବୀ ଖାଲି ପଡିଥିବାରୁ ଠିକା ନିଯୁକ୍ତିରେ କାମ ଚାଲିଛି ।

ଫଳରେ ଅଧିକାଂଶ ସ୍ୱୟଂଶାସିତ କଲେଜର ସ୍ୱୟଂଶାସନ ମର୍ଯ୍ୟାଦା ଉପରେ ପ୍ରଶ୍ନବାଚୀ ଲାଗିଥିବାବେଳେ ଯେଉଁସବୁ ଉଚ୍ଚ ଶିକ୍ଷାନୁଷ୍ଠାନ ନାକ୍‍ ମାନ୍ୟତା ହାସଲ କରିଛନ୍ତି ସେଗୁଡିକର ନାକ୍‍ ନବୀକରଣ ଘେନି ସମସ୍ୟା ଉପୁଜିପାରେ । ରାଜ୍ୟସରକାରଙ୍କ ନିୟନ୍ତ୍ରଣରେ ଥିବା ବିଶ୍ୱବିଦ୍ୟାଳୟ, ମେଡିକାଲ କଲେଜ, ହୋମିଓପାଥିକ ଓ ଆର‌୍ୟୁବେଦିକ କଲେଜ ଏବଂ ଅନ୍ୟ ବୈଷୟିକ ଶିକ୍ଷାନୁଷ୍ଠାନଗୁଡିକରେ ଶିକ୍ଷକ ମରୁଡି ଅବସ୍ଥା ଯୋଗୁଁ ମାନ୍ୟତା ପ୍ରତ୍ୟାହାର ପ୍ରସଙ୍ଗ ବି ସୂତାଖିଅରେ ଝୁଲୁଥିବା ଶିକ୍ଷାବିତ୍‍ମାନେ କହୁଛନ୍ତି । (ତଥ୍ୟ)