Home Agriculture ନୂଆ ବିହନକୁ ଚାଷୀଙ୍କ ନା

ନୂଆ ବିହନକୁ ଚାଷୀଙ୍କ ନା

ଭୁବନେଶ୍ୱର : ଧାନ ଚାଷ କ୍ଷେତ୍ରରେ ଓଡିଶା ଦେଶର ଅନ୍ୟତମ ଅଗ୍ରଣୀ ରାଜ୍ୟଭାବେ ଏକାଧିକ ବାର କୃଷି କର୍ମଣ ପୁରସ୍କାର ପାଉଥିଲେ ବି ଚାଷୀମାନେ ନୂଆ ନୂଆ ଅମଳକ୍ଷମ ବିହନକୁ ଆପଣେଇ ପାରୁନାହାନ୍ତି । ରାଜ୍ୟରେ ଗୋଟିଏ ଗୋଟିଏ କିସମର ଧାନ ବିହନକୁ ରାଜ୍ୟର ଚାଷୀମାନେ ୨୦/୩୦ବର୍ଷ ଧରି ଚାଷ କରୁଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ ସ୍ୱର୍ଣ୍ଣ, ଖଣ୍ଡଗିରି, ଲଲାଟ, ପୂଜା, ଗାୟତ୍ରୀ, ଏମ୍‍ଟିୟୁ ୧୦୦୧, ଏମଟିୟୁ ୨୦୧୦ ଆଦି କିସମର ଧାନ ବିହନ ୧୦ରୁ ୩୦ବର୍ଷ ଧରି ରାଜ୍ୟରେ ଚାଷ ହେଉଛି । ଏକାଧିକ ଥର ଚାଷ ଯୋଗୁଁ ଏହିସବୁ ବିହନର ଅମଳକ୍ଷମ ଓ ରୋଗ ପ୍ରତିରୋଧ ଶକ୍ତି କମିଯାଉଥିବା ନେଇ ବିଶେଷଜ୍ଞମାନେ ମତ ଦେଉଛନ୍ତି । ଏପରିକି ଏହିସବୁ ବିହନ ପାଇଁ ଦିନକୁ ଦିନ ଅଧିକରୁ ଅଧିକ ଖର୍ଚ୍ଚ କରିବାକୁ ପଡୁଛି ।

ସ୍ୱର୍ଣ୍ଣ କିସମର ଧାନ ଓଡିଶାର ଚାଷୀଙ୍କ ନିକଟରେ ବେଶ୍‍ ଲୋକପ୍ରିୟ ହୋଇଥିବାବେଳେ ଏହି ଧାନ ଦୀର୍ଘଦିନ ଧରି ଚାଷ ଯୋଗୁଁ ଏଥିରେ ଚକଡା ପୋକ ଅଧିକ ମାତ୍ରାରେ ଲାଗୁଥିବା କୁହାଯାଉଛି । ଭାରତୀୟ କିଷାନ ମଜଦୂର ସଭା ପକ୍ଷରୁ ଏ ନେଇ ହୋଇଥିବା ସର୍ଭେରେ ଏକାଧିକବାର ଚାଷୀ ହେଉଥିବା ଧାନରେ ରୋଗପୋକ ଲାଗୁଥିବା ଜଣାପଡିଛି ।

ତେବେ ରାଜ୍ୟ ସରକାର ଚାଷୀଙ୍କୁ ନୂଆ ନୂଆ କିସମର ବିହନ ଯୋଗାଣ କରୁଥିଲେ ମଧ୍ୟ ଚାଷୀମାନେ ତାହାକୁ ଗ୍ରହଣ କରୁନଥିବା ଜଣାଯାଇଛି । ନୂଆ କିସମର ବିହନ ବିଷୟରେ ସେମାନେ ଠିକଣା ଭାବେ ଜାଣିନଥିବା ଓ କାଳେ ଏଥିରୁ କମ୍‍ ଅମଳ ମିଳିବ ସେଥିପାଇଁ ସେମାନେ ନୂଆ କିସମ ବିହନ ଗ୍ରହଣ କରିବାକୁ ନାରାଜ । ଅନ୍ୟ ପକ୍ଷରେ କେନ୍ଦ୍ର ସରକାର ୧୦ବର୍ଷରୁ ଅଧିକ ପୁରୁଣା କିସମର ବିହନ ଉପରେ ସବ୍‍ସିଡ୍‍ ଦେବାପାଇଁ ମନାକରି ଦେବାରୁ ସରକାର ପୁରୁଣା ବିହନ ଯୋଗାଣକୁ ଏକ ପ୍ରକାର ବନ୍ଦ କରିଛନ୍ତି । ହେଲେ ଚାଷୀମାନେ ନିଜ ନିଜ ନିକଟରେ ଥିବା ବିହନକୁ ବ୍ୟବହାର କରୁଥିବା ଜଣାଯାଇଛି ।

ବିଶେଷଜ୍ଞମାନଙ୍କ ମତରେ ଚାଷୀଙ୍କୁ ନୂଆ ନୂଆ କିସମର ବିହନ ଆପେଣଇବାକୁ ପଡିବ । କାରଣ ପ୍ରାକୃତିକ ବିପର୍ଯ୍ୟକୁ ଦୃଷ୍ଟିରେ ରଖି ବୈଜ୍ଞନିକମାନେ ମରୁଡି ସହନଶୀଳ ବିହନ ସହିତ ଅଧିକ ଦିନ ପାଣିରେ ବୁଡି ରହିପାରୁଥିବା ଓ ଲୁଣା ଜମିରେ ଚାଷ ହୋଇପାରୁଥିବା ଧାନ ବିହନ ଉଦ୍ଭାବନ କରିଛନ୍ତି । ଓଡିଶାରେ ବାରମ୍ବାର ମରୁଡି, ବନ୍ୟା, ବାତ୍ୟା ଭଳି ବିପର୍ଯ୍ୟୟ ଦେଖା ଦେଉଥିବାରୁ ରାଜ୍ୟର ଚାଷୀଙ୍କ ପାଇଁ ଏହା ବେଶ୍‍ ଉପଯୋଗୀ ହୋଇପାରିବ ।

ତେବେ କିଛି ଚାଷୀଙ୍କ ମତ ହେଉଛି ସରକାର ଯୋଗାଉଥିବା ଅଧିକ ଅମଳକ୍ଷମ ବିହନକୁ ଆପେଣଇବାକୁ ଢେର ଅଧିକ ସମୟ ଲାଗିଯିବ । କାରଣ ଚାଷୀମାନେ ନିଜ ଆଖିରେ ନୂଆ କିସମର ବିହନର ଉତ୍ପାଦନ ନଦେଖିବା ପର୍ଯ୍ୟନ୍ତ ତାହାକୁ ସହଜରେ ଗ୍ରହଣ କରିପାରିବେ ନାହିଁ । ସେମାନେ ଦୀର୍ଘବର୍ଷ ଧରି ବ୍ୟବହାର କରୁଥିବା ସ୍ୱର୍ଣ୍ଣ, ଲଲାଟ ଓ ୧୦୧୮ ଭଳି କିସମର ଧାନ ବିହନ ଯେତେବେଳେ ଆସିଥିଲା ତାହାକୁ ମଧ୍ୟ ସହଜରେ ଗ୍ରହଣ କରିପାରିନଥିଲେ । ତେବେ ନୂଆ କିସମର ବିହନକୁ ଆପଣେଇବାକୁ ଯେତେ ବିଳମ୍ବ ହେବ ଓଡିଶା ଧାନ ଉତ୍ପାଦନ କ୍ଷେତ୍ରରେ ସେତେ ପଛେଇବ ବୋଲି ମତପ୍ରକାଶ ପାଉଛି । (ତଥ୍ୟ)