Home Agriculture ବିହନ ପ୍ରକ୍ରିୟାକରଣ କେନ୍ଦ୍ର ସ୍ଥାନାନ୍ତରକୁ ବିରୋଧ

ବିହନ ପ୍ରକ୍ରିୟାକରଣ କେନ୍ଦ୍ର ସ୍ଥାନାନ୍ତରକୁ ବିରୋଧ

ଭୁବନେଶ୍ୱର : ଓଡିଶା ରାଜ୍ୟ ବିହନ ନିଗମର ସମ୍ବଲପୁର ଠାରେ ଥିବା ବିହନ ପ୍ରକ୍ରିୟାକରଣ କେନ୍ଦ୍ର ସ୍ଥାନାନ୍ତରକୁ ସାମୟିକ ଭାବେ ସ୍ଥଗିତ ରଖିବାଲାଗି ନିଗମର ବୋର୍ଡ ବୈଠକରେ ସ୍ଥିର ହୋଇଛି । ଏ ସଂକ୍ରାନ୍ତରେ ବିଭାଗୀୟ ମନ୍ତ୍ରୀ ଓ ସଚିବଙ୍କୁ ଭେଟି ଆଲୋଚନା କରାଯିବ ।

ସମଲେଶ୍ୱରୀ ମନ୍ଦିର ବିକାଶ କାର୍ଯ୍ୟକ୍ରମ ପାଇଁ ବିହନ ନିଗମର ପ୍ରକ୍ରିୟାକରଣ ଜମି ଆବଶ୍ୟକ ପଡୁଥିବାରୁ ଏହାକୁ ସ୍ଥାନାନ୍ତର ପାଇଁ ନିଷ୍ପତ୍ତି ହୋଇଛି । ତେବେ ଚଳିତ ଖରିଫ ଋତୁରେ ୮୦୦ ହେକ୍ଟର ଜମିରେ ବିହନ ଚାଷ ହୋଇଥିବାବେଳେ ନିଗମ ସହ ଅନୁବନ୍ଧିତ ଚାଷୀମାନଙ୍କର ଏଠାରେ ପ୍ରାୟ ୨୫ହଜାର କୁଇଣ୍ଟାଲ ଧାନ ବିହନ ପ୍ରକ୍ରିୟାକରଣ କରିବାର ଲକ୍ଷ୍ୟଧାର୍ଯ୍ୟ ହୋଇଛି । ବର୍ତ୍ତମାନ ଯଦି ଏହାକୁ ସ୍ଥାନାନ୍ତର କରାଯାଏ ତେବେ ଚାଷୀମାନେ ହଇରାଣ ହୋଇଯିବେ ଓ ବିହନ ପ୍ରକ୍ରିୟାକରଣ ହୋଇପାରିବ ନାହିଁ । କାରଣ ପ୍ରକ୍ରିୟାକରଣ କେନ୍ଦ୍ରଟି ନୂତନ ସ୍ଥାନରେ ଏତେଶୀଘ୍ର ପ୍ରତିଷ୍ଠା କରିବା ସମ୍ଭବପର ନୁହେଁ ।

ଚାଷୀଙ୍କ ଏହି ସମସ୍ୟା ସଂକ୍ରାନ୍ତରେ ବୋର୍ଡ ବୈଠକରେ ତନାଘନା ଆଲୋଚନା ହୋଇଥିଲା । ଅତି କମ୍‍ରେ ବିହନ ପ୍ରକ୍ରିୟାକରଣ କାର୍ଯ୍ୟ ଶେଷ ପର୍ଯ୍ୟନ୍ତ ଏହାକୁ ସ୍ଥାନାନ୍ତର ନକରିବାପାଇଁ ନିଷ୍ପତ୍ତି ନିଆଯିବା ସହିତ ଏ ସଂକ୍ରାନ୍ତରେ ରାଜ୍ୟ କୃଷିମନ୍ତ୍ରୀ ଓ ବିଭାଗୀୟ ଶାସନ ସଚିବଙ୍କୁ ଭେଟିବାକୁ ସ୍ଥିର ହୋଇଛି । ସେହିଭଳି ଚାଷୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଉପଯୁକ୍ତ ସ୍ଥାନରେ ନୂତନ ପ୍ରକ୍ରିୟାକରଣ କେନ୍ଦ୍ର ସ୍ଥାପନ ସହିତ ଏଥିପାଇଁ ଜିଲ୍ଲା ପ୍ରଶାସନ ଜମି ଯୋଗାଇ ଦେବାକୁ ଅନୁରୋଧ କରଯିବ ।

ଏଠାରେ ଉଲ୍ଲେଖ କରାଯାଇପାରେ ଯେ ବିହନ ନିଗମ ସହିତ ଅନୁବନ୍ଧିତ ଚାଷୀମାନଙ୍କ ଧାନ ଆସନ୍ତା ମାସ ପ୍ରଥମ ସପ୍ତାହରେ ଅମଳ ହେବାକ୍ଷଣି ସେମାନେ ନିଗମର ଏହି ପ୍ରକ୍ରିୟାକରଣ କେନ୍ଦ୍ରକୁ ବିହନ ଆଣିବେ । ଏଠାରେ ଧାନର ପ୍ରକ୍ରିୟାକରଣ ସହିତ ମାନ ପରୀକ୍ଷା ଆଦି କରାଯିବାପରେ ଚାଷୀମାନେ ସେମାନଙ୍କ ପ୍ରାପ୍ୟ ପାଇପାରିବେ । ତେଣୁ ଖରିଫ ବିହନ ପ୍ରକ୍ରିୟାକରଣ ସରିବା ପର୍ଯ୍ୟନ୍ତ ଏହାକୁ ସ୍ଥାନାନ୍ତର ନକରିବାକୁ ସରକାରଙ୍କୁ ଅନୁରୋଧ କରାଯିବ ।

ସେହିଭଳି ସ୍ଥାନାନ୍ତର ପରେ ନିଗମର ଆଞ୍ଚଳିକ ଦପ୍ତର ଓ ପ୍ରକ୍ରିୟାକରଣ କେନ୍ଦ୍ରର ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବାପାଇଁ ବୋର୍ଡ ବୈଠକରେ ସ୍ଥିର ହୋଇଛି । ଏ ସଂକ୍ରାନ୍ତରେ ମଧ୍ୟ ସରକାରଙ୍କୁ ଅବଗତ କରାଯିବ । ଦିନେ ଦୁଇଦିନ ମଧ୍ୟରେ ବୋର୍ଡର ସଦସ୍ୟମାନେ ଏହି ପ୍ରସଙ୍ଗରେ ବିଭାଗୀୟ ମନ୍ତ୍ରୀ ଓ ସଚିବଙ୍କୁ ଭେଟି ଆଲୋଚନା କରିବେ ବୋଲି ସୂଚନା ମିଳିଛି । (ତଥ୍ୟ)

LEAVE A REPLY

Please enter your comment!
Please enter your name here