Home Agriculture ବିହନ ଚାଷୀ ମୁଣ୍ଡରେ ଚଡକ

ବିହନ ଚାଷୀ ମୁଣ୍ଡରେ ଚଡକ

ଭୁବନେଶ୍ୱର : ସରକାରଙ୍କ ଠାରୁ ଧାନ ବିହନ ଖରିଦ କରୁଥିବା ଚାଷୀଙ୍କୁ ଡିବିଟି ଜରିଆରେ ସବ୍‍ସିଡ୍‍ ଅର୍ଥ ଦେବାପାଇଁ ସରକାର ପୁଣିଥରେ ନିଷ୍ପତ୍ତି ନେବାପରେ ଏହା ବିହନ ଚାଷୀଙ୍କ ମୁଣ୍ଡରେ ଚଡକ ପକାଇଛି । କାରଣ ବିହନ ଚାଷୀଙ୍କ ଠାରୁ ଧାନ ବିହନ ସଂଗ୍ରହ କରୁଥିବା ଓଡିଶା ରାଜ୍ୟ ବିହନ ନିଗମ ଚଳିତବର୍ଷ ତାହାର ଧାର୍ଯ୍ୟ ଲକ୍ଷ୍ୟକୁ ଅଧା କରିବାକୁ ନିଷ୍ପତ୍ତି ନେଇଛି ।

ଚଳିତବର୍ଷ ବିହନ ନିଗମ ପଞ୍ଜିକୃତ ଚାଷୀଙ୍କ ଠାରୁ ହେକ୍ଟର ପିଛା ୧୫କୁଇଣ୍ଟାଲ ଧାନ ବିହନ ସଂଗ୍ରହ କରିବ ବୋଲି ଜଣାଇ ଦେଇଛି । ପୂର୍ବରୁ ଏହା ୩୦ କୁଇଣ୍ଟାଲ ଥିଲା । ସରକାର ହଠାତ୍‍ ଏଭଳି ନିଷତ୍ତି ନେବା ଫଳରେ ଧାନ ବିହନ ଚାଷ କରିଥିବା ଚାଷୀମାନେ ମୁଣ୍ଡରେ ହାତଦେଇ ବସି ଗଲେଣି । ବଳକା ଧାନକୁ ସେମାନେ କାହାକୁ ବିକ୍ରି କରିବେ ସେଥିନେଇ ଚିନ୍ତାରେ ପଡିଛନ୍ତି ।

ତେବେ ଏତେସବୁ ଘଟଣା ପଛରେ ରହିଛି ବିହନ ବାବଦ ସବସିଡ୍‍ ଅର୍ଥ ଡିବିଟି ଜରିଆରେ ଚାଷୀଙ୍କ ଆକାଉଣ୍ଟକୁ ସିଧାସଳଖ ପ୍ରଦାନ ନେଇ । ପ୍ରଥମେ ଏହି ବ୍ୟବସ୍ଥାକୁ ୨୦୧୬ ମସିହାରେ ସରକାର କାର୍ଯ୍ୟକାରୀ କରିଥିଲେ । ସେତେବେଳେ ନିଷ୍ପତ୍ତି ହୋଇଥିଲା ଯେ ଚାଷୀମାନେ ସରକାରଙ୍କ ଠାରୁ ସମ୍ପୂର୍ଣ୍ଣ ଦର ଦେଇ ବିହନ ଖରିଦ କରିବେ ଏବଂ ବିହନ ଉପରେ ସରକାର ଦେଉଥିବା ସବସିଡ୍‍ ଅର୍ଥ ପରେ ଡିବିଟି ଜରିଆରେ ସେମାନଙ୍କ ବ୍ୟାଙ୍କ୍‍ ଖାତାକୁ ଯିବ । ହେଲେ ଅର୍ଥ ଅଭାବରୁ ଚାଷୀମାନେ ସେତେବେଳେ ଯେଉଁ ପରିମାଣରେ ଧାନ ବିହନ କିଣୁଥିଲେ ତାହା ଆଉ ଖରିଦ କଲେ ନାହିଁ ।

୨୦୧୬ ମସିହାରେ ଏହି ଯୋଜନା କାର୍ଯ୍ୟକାରୀ ର୍ପୂବରୁ ରାଜ୍ୟରେ ବାର୍ଷିକ ସାଢେ ୬ଲକ୍ଷ କୁଇଣ୍ଟାଲ ବିହନ ବିକ୍ରି ହେଉଥିଲା । ଡିବିଟି ଜରିଆରେ ସବ୍‍ସିଡ୍‍ ପ୍ରଦାନ ବ୍ୟବସ୍ଥା ଲାଗୁ ପରେ ଚାଷୀମାନେ ମାତ୍ର ଅଢେଇ ଲକ୍ଷ କୁଇଣ୍ଟାଲ ବିହନ ଉଠାଇଲେ । ଫଳରେ ସେତେବେଳେ ବିହନ ନଗମ ନିଗମର ପ୍ରାୟ ଅଢେଇ ଲକ୍ଷ କୁଇଣ୍ଟାଇ ଧାନ ବିହନ ବଳି ପଡିଲା ଓ ପାଖାପାଖି ୩୦କୋଟି ଟଙ୍କା କ୍ଷତି ହେଲା । ଏହାଦ୍ୱାରା କେବଳ ସରକାରଙ୍କ ବିହନ ବିକ୍ରି କମିଲା ନାହିଁ ବିହନ ପ୍ରତିବଦଳ ବି ହ୍ରାସ ପାଇଲା ।

ବ୍ୟବସ୍ଥା ପ୍ରତି ଚାଷୀଙ୍କ ଅନାଗ୍ରହ ଦେଖି ରାଜ୍ୟ ସରକାର ୨୦୧୮ ମସିହାରେ ପୁର୍ନବାର ପୁରୁଣା ବ୍ୟବସ୍ଥା ଜରିଆରେ ଚାଷୀମାନଙ୍କୁ ସବସିଡ୍‍ ଦରରେ ବିହନ ଯୋଗାଣ କଲେ । ପ୍ରାୟ ଚାରିବର୍ଷ ଧରି ଚାଷୀମାନେ ସବ୍‍ସିଡ୍‍ ଦରରେ ବିହନ ଖରିଦ କରୁଥିବାବେଳେ ଚଳିତବର୍ଷ ଠାରୁ ପୁଣିଥରେ ପୁରୁଣା ସବସିଡ୍‍ ପ୍ରଦାନ ବ୍ୟବସ୍ଥା ଲାଗୁ ପାଇଁ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି । ସରକାରଙ୍କ ଏଭଳି ନିଷ୍ପତ୍ତି ସଂକ୍ରାନ୍ତରେ ଅବଗତ ହେଲାପରେ ପୂର୍ବରୁ ୩୦କୋଟି ଟଙ୍କାର କ୍ଷତି ସହିଥିବା ବିହନ ନିଗମ ଧାନ ବିହନ ସଂଗ୍ରହ ହ୍ରାସ ପାଇଁ ପଦକ୍ଷେପ ନେଇଥିବା ସୂଚନା ମିଳିଛି । ନିଜେ କ୍ଷତି ସହିବା ଭୟରେ ଚାଷୀଙ୍କ ଠାରୁ ସଂଗ୍ରହ ଧାନ ବିହନ ଲକ୍ଷ୍ୟକୁ ୫୦ ପ୍ରତିଶତ ହ୍ରାସ ପାଇଁ ସ୍ଥିର କରିଛି ।

ଏହା ଫଳରେ ବାତ୍ୟା ଓ ଅଦିନିଆ ବର୍ଷାର ସମ୍ମୁଖୀନ ହୋଇ ବ୍ୟାପକ କ୍ଷତି ସହିଥିବା ଧାନ ବିହନ ଚାଷୀମାନେ ଏବେ ମୁଣ୍ଡରେ ହାତଦେଇ ବସିଗଲେଣି । ସରକାର ଯଦି ସେମାନଙ୍କ ବିହନ ଖରିଦ ନକରିବେ ତେବେ ଅଧିକ ଅର୍ଥ ବ୍ୟୟରେ ସେମାନେ ଚାଷ କରିଥିବା ଧାନ ବିହନକୁ କମ୍‍ ଦରରେ ବେପାରୀଙ୍କ ହାତରେ ଟେକିଦେବାକୁ ବାଧ୍ୟ ହେବେ ଓ ଆହୁରି ଅଧିକ କ୍ଷତି ସହିତ ଋଣବୋଝରେ ଡୁବିଯିବେ । ତେଣୁ ସରକାର ତାଙ୍କ ନିଷ୍ପତ୍ତିର ପୁର୍ନବିଚାର ପାଇଁ ବିହନଚାଷୀମାନେ ଦାବି କରୁଛନ୍ତି । (ତଥ୍ୟ)