Home Administration ବିଶାଳଙ୍କୁ ଅର୍ଥ ବିଭାଗ ଦାୟିତ୍ୱ

ବିଶାଳଙ୍କୁ ଅର୍ଥ ବିଭାଗ ଦାୟିତ୍ୱ

ଭୁବନେଶ୍ୱର : ରାଜ୍ୟ ସରକାର ଆଜି ବରିଷ୍ଠ ଆଇଏଏସ୍‍ ଅଫିସର ସ୍ତରରେ ଅଦଳ ବଦଳ କିରବା ସହିତ ୧୯୯୬ ବ୍ୟାଚ୍‍ର ଆଇଏଏସ୍‍ ବିଶାଳ ଦେବଙ୍କୁ ଅର୍ଥ ବିଭାଗର ପ୍ରମୁଖ ସଚିବ ଦାୟିତ୍ୱ ଦେଇଛନ୍ତି । ଶ୍ରୀ ଦେବ ରାଜ୍ୟର କ୍ରୀଡା ଓ ଯୁବ ବ୍ୟାପାର ବିଭାଗର ପ୍ରମୁଖ ସଚିବ ସହିତ ଅତିରିକ୍ତ ଭବେ ପର୍ଯ୍ୟଟନ ବିଭାଗର ଦାୟିତ୍ୱ ସମ୍ଭାଳିଥିଲେ ।

ସେହିଭଳି ୧୯୯୩ ବ୍ୟାଚ୍‍ ଆଇଏଏସ୍‍ ଦେଓରଞ୍ଜନ କୁମାର ସିଂହଙ୍କୁ ଇସ୍ପାତ ଓ ଖଣି ବିଭାଗର ଶାସନ ସଚିବ ଭାବେ ବଦଳି କରାଯାଇଛି । ଶ୍ରୀ ସିଂହ ପ୍ରାୟ ୮ବର୍ଷ ହେଲା ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ଦାୟିତ୍ୱ ତୁଲାଉଥିଲେ ।

୧୯୯୩ ବ୍ୟାଚ୍‍ ଆଇଏଏସ୍‍ ଅଫିସର ଅଶୋକ କୁମାର ମୀନାଙ୍କୁ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗର ପ୍ରମୁଖ ସଚିବ ଭାବେ ବଦଳି ହୋଇଛି । ଶ୍ରୀ ମୀନା ଅର୍ଥ ବିଭାଗର ପ୍ରମୁଖ ସଚିବ ଭାବେ ଦାୟିତ୍ୱ ନିର୍ବାହ କରୁଥିଲେ ।

ଇସ୍ପାତ ଓ ଖଣି ବିଭାଗର ପ୍ରମୁଖ ସଚିବ ଥିବା ୧୯୯୩ ବ୍ୟାଚ୍‍ର ବରିଷ୍ଠ ଆଇଏଏସ୍‍ ଅଫିସର ସୁରେନ୍ଦ୍ର କୁମାରଙ୍କୁ ସାଧାରଣ ପ୍ରଶାସନ ବିଭାଗର ପ୍ରମୁଖ ସଚିବ ଭାବେ ବଦଳି କରାଯାଇଛି । ଶ୍ରୀ କୁମାର ସାଧାରଣ ପ୍ରଶାସନ ବିଭାଗ ସହିତ ଅତିରିକ୍ତ ଭାବେ ପର୍ଯ୍ୟଟନ ବିଭାଗର ପ୍ରମୁଖ ସଚିବ ଭାବେ କାର୍ଯ୍ୟ କରିବେ । ଶ୍ରୀ କୁମାର ଇସ୍ପାତ ଓ ଖଣି ବିଭାଗର ପ୍ରମୁଖ ସଚିବ ସହିତ ଓଏମ୍‍ସି, ଏମ୍‍ଇସିଏଲ୍‍ ଓ ଇଡିକଲର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱରେ ଥିଲେ । ସାଧାରଣ ପ୍ରଶାସନ ବିଭାଗଟି ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସଞ୍ଜିବ ଚୋପ୍ରାଙ୍କ ହାତରେ ଥିଲା ।

ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ଶାସନ ସଚିବ ଭାବେ ଦାୟିତ୍ୱ ତୁଲାଉଥିବା ୨୦୦୫ ବ୍ୟାଚ୍‍ ଆଇଏଏସ୍‍ ଆର.ଭିନିଲ କ୍ରିଷ୍ଣାଙ୍କୁ ଅତିରିକ୍ତ ଭାବେ କ୍ରୀଡା ଓ ଯୁବ ବ୍ୟାପାର ବିଭାଗର କମିଶନର ଓ ଶାସନ ସଚିବ ଦାୟିତ୍ୱ ଦିଆଯାଇଛି । ପୂର୍ବରୁ ଶ୍ରୀ କ୍ରିଷ୍ଣା କ୍ରୀଡା ଓ ଯୁବ ବ୍ୟାପାର ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ଅତିରିକ୍ତ ଦାୟିତ୍ୱରେ ଥିଲେ ।