Home Education ବିଳମ୍ବ ହୋଇପାରେ କୁଳପତି ନିଯୁକ୍ତି

ବିଳମ୍ବ ହୋଇପାରେ କୁଳପତି ନିଯୁକ୍ତି

ରାଜ୍ୟ ସରକାରଙ୍କ ନିୟନ୍ତ୍ରଣାଧୀନ ଯେଉଁ ୬ଟି ବିଶ୍ୱବିଦ୍ୟାଳୟର କୁଳପତିମାନଙ୍କ କାର୍ଯ୍ୟକାଳ ଚଳିତବର୍ଷର ପ୍ରଥମାର୍ଦ୍ଧରେ ସରିଯାଇଛି ସେଗୁଡ଼ିକ ଲାଗି ନୂଆ କୁଳପତି ନିଯୁକ୍ତି ଏ ବର୍ଷ ଶେଷ ସୁଦ୍ଧା ହେବା ସମ୍ଭାବନା କମ୍‍ ।

ଉତ୍‍କଳ, ଫକୀରମୋହନ, ଉତ୍ତର ଓଡ଼ିଶା, ଗଙ୍ଗାଧର ମେହେର, ଖଲ୍ଲିକୋଟ ଓ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର କୁଳପତିମାନଙ୍କ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ସେମାନଙ୍କ ଉତ୍ତରାଧିକାରୀ ଚୟନ ହୋଇପାରିନଥିଲା । ତେଣୁ ଏହି ୬ଟି ଯାକ ବିଶ୍ୱବିଦ୍ୟାଳୟରେ ଯେଉଁମାନେ କୁଳପତି ଭାବେ କାର୍ଯ୍ୟ କରୁଥିଲେ ସେମାନଙ୍କ କାର୍ଯ୍ୟକାଳ ୬ ମାସ ପର୍ଯ୍ୟନ୍ତ ବଢ଼ା ଯାଇଥିଲା । ଏହି ବର୍ଦ୍ଧିତ ସମୟ ମଧ୍ୟରେ ନୂଆ କୁଳପତି ଚୟନ ହୋଇନପାରିବାରୁ ପୁଣିଥରେ ସେମାନଙ୍କ କାର୍ଯ୍ୟକାଳ ବଢ଼ା ଯାଇଛି ।

ପୁରୁଣା ଆଇନ ଆଧାରରେ ଏହି ୬ଟି ଯାକ ବିଶ୍ୱବିଦ୍ୟାଳୟର କୁଳପତି ନିଯୁକ୍ତି ପାଇଁ ବିଜ୍ଞାପନ ପ୍ରକାଶ ପାଇଥିଲା ଏବଂ ସେଥିଲାଗି ଅନେକ ଆଶାୟୀ ପ୍ରାର୍ଥୀ ମଧ୍ୟ ଆବେଦନ କରିଥିଲେ । ନିଯୁକ୍ତି ପ୍ରକ୍ରିୟା ବିଜ୍ଞପ୍ତି ପ୍ରକାଶ ପାଇବା ଦିନଠାରୁ ଆରମ୍ଭ ହୋଇଥିବା ଦୃଷ୍ଟିରୁ ଆଇନାନୁଯାୟୀ ଯେଉଁ ଆଇନ୍‍ ଆଧାରରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା ସେହି ଆଇନ୍‍ ଆଧାରରେ ପ୍ରାର୍ଥୀ ଚୟନ ଓ ନିଯୁକ୍ତି ହେବା କଥା ବୋଲି ଆଇନ୍‍ ବିଶାରଦମାନେ ମତ ଦେଉଛନ୍ତି ।

କିନ୍ତୁ ଇତିମଧ୍ୟରେ ରାଜ୍ୟ ସରକାର ଗତ ସେପ୍ଟେମ୍ବର ମାସରେ ବିଶ୍ୱବିଦ୍ୟାଳୟ ଆଇନ୍‍ ସଂଶୋଧନ କରି କୁଳପତିମାନଙ୍କ କାର୍ଯ୍ୟକାଳ ୪ ବର୍ଷ ଏବଂ ଏହି ପଦବୀ ଲାଗି ସର୍ବନିମ୍ନ ବୟସ ସୀମା ୬୫କୁ ବୃଦ୍ଧି କରିଛନ୍ତି । ସଂଶୋଧିତ ଆଇନ୍‍ ଆଧାରରେ ପୁନର୍ବାର କୁଳପତି ନିଯୁକ୍ତି ବିଜ୍ଞାପନ ପ୍ରକାଶ ପାଇବାରୁ ଏବେ ଆଶାୟୀଙ୍କ ସଂଖ୍ୟା ଆଶାତୀତ ଭାବେ ବଢ଼ି ଯାଇଛି ।

ଇତିମଧ୍ୟରେ ଉକ୍ରଳ ବିଶ୍ୱବିଦ୍ୟାଳୟ କୁଳପତି ପଦବୀ ପାଇଁ ୮୫ ଜଣ ପ୍ରାର୍ଥୀ ଆବେଦନ କରିଥିବା ବେଳେ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ପାଇଁ ୯୦ ଓ ଫକୀରମୋହନ ବିଶ୍ୱବିଦ୍ୟାଳୟ ଲାଗି ୧୦୫ ଜଣ ପ୍ରାର୍ଥୀ ଦରଖାସ୍ତ କରିଛନ୍ତି । ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ କୁଳପତି ପଦବୀ ପାଇଁ ୬୨ ଜଣ ଆବେଦନକାରୀ ଥିବା ବେଳେ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ପାଇଁ ୭୩ ଓ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ପାଇଁ ୮୧ ଜଣ ଦରଖାସ୍ତ ଦେଇଛନ୍ତି ।

ବ୍ୟବସ୍ଥା ଅନୁଯାୟୀ ଯୋଗ୍ୟ ପ୍ରାର୍ଥୀ ଚିହ୍ନଟ ଲାଗି ସର୍ଚ୍ଚ କମିଟି ର ଅଧ୍ୟକ୍ଷ ଓ ସଦସ୍ୟ ମଧ୍ୟ ନିଯୁକ୍ତ ହୋଇଛନ୍ତି । ନୂଆ ଆଇନ୍‍ ଆଧାରରେ ଉଚ୍ଚଶିକ୍ଷା ବିଭାଗ ଏହି ପ୍ରକ୍ରିୟାର ଯାଞ୍ଚ ପରତାଳ କରିବା କଥା । ଗୋଟିଏ ପଟେ ବହୁ ସଂଖ୍ୟକ ଆବେଦନ ଆସିଥିବା ବେଳେ ଅନ୍ୟପଟେ କୋଭିଡ୍‍ ମହାମାରୀ ଯୋଗୁ ଆବେଦନ ପତ୍ରଗୁଡ଼ିକର ତ୍ୱରିତ ଯାଞ୍ଚ ହୋଇପାରିନଥିଲା । ତେବେ ଇତିମଧ୍ୟରେ ଆବେଦନକାରୀମାନଙ୍କ ସଂକ୍ରାନ୍ତରେ ସର୍ଚ୍ଚ କମିଟିକୁ କର୍ତ୍ତୃପକ୍ଷ ବିବରଣୀ ପ୍ରଦାନ କରିଛନ୍ତି ।

କୁଳପତି ଚୟନ ଲାଗି ମନୋନୟନ କମିଟିରେ ରାଜ୍ୟ ବାହାରୁ ବିଶେଷଜ୍ଞ ସଦସ୍ୟମାନେ ମଧ୍ୟ ରହୁଛନ୍ତି । ସର୍ଚ୍ଚ କମିଟିର ଯାଞ୍ଚ ଆଧାରରେ ମନୋନୟନ କମିଟି ଯୋଗ୍ୟ ପ୍ରାର୍ଥୀମାନଙ୍କୁ ସାକ୍ଷାତକାର ଏବଂ ଅନ୍ୟାନ୍ୟ ମାଧ୍ୟମରେ ଚୟନ କରି ବିଶ୍ୱବିଦ୍ୟାଳୟୱାରୀ ପ୍ୟାନେଲ୍‍ ପ୍ରସ୍ତୁତ କରିବା । ଏହି ପ୍ୟାନେଲ୍‍ରୁ କୁଳାଧିପତିଙ୍କ ଅନୁମୋଦନ କ୍ରମେ ନିଯୁକ୍ତି ଦିଆଯିବ । ଏ ସବୁ ପ୍ରକ୍ରିୟା ଶେଷ ହୋଇ ନୂଆ କୁଳପତିମାନେ ନିଯୁକ୍ତି ପାଇବା ବେଳକୁ ୨୦୨୧ ମସିହା ଆସି ଯାଇଥିବ ବୋଲି ଆଶଙ୍କା କରାଯାଉଛି ।  

LEAVE A REPLY

Please enter your comment!
Please enter your name here