Home News in Odia ବିରୋଧିଦଳ ନେତା ଦୌଡରେ ଅନ୍ୟୁନ ପାଞ୍ଚ

ବିରୋଧିଦଳ ନେତା ଦୌଡରେ ଅନ୍ୟୁନ ପାଞ୍ଚ

ଭୁବନେଶ୍ୱର : ବିରୋଧିଦଳ ନେତା ପଦବୀରୁ ପ୍ରଦୀପ୍ତ ନାୟକଙ୍କୁ ହଟାଇ ତାଙ୍କ ସ୍ଥାନରେ ଅନ୍ୟଜଣେ ବିଜେପି ନେତାଙ୍କୁ ବସାଇବା ଲାଗି ଜୋରଦାର ଉଦ୍ୟମ ଚାଲିଛି । ବରୋଧିଦଳ ନେତା ହେବାପାଇଁ ଅନ୍ୟୁନ ୫ଜଣ ବିଧାୟକଙ୍କ ନାଁ ଚର୍ଚ୍ଚାରେ ଥିବାବେଳେ ବିଜେପିର କେନ୍ଦ୍ରୀୟ କର୍ତ୍ତୃପକ୍ଷ ଯାହା ନାଁରେ ମୋହର ମାରିବେ ସେ ଏହି ଚଉକିରେ ବସିବେ ।

କଂଗ୍ରେସକୁ ତୃତୀୟ ସ୍ଥାନକୁ ଠେଲି ବିଜେପି ୨୦୧୯ ବିଧାନସଭା ନିର୍ବାଚନରେ ଦ୍ୱିତୀୟ ସ୍ଥାନକୁ ଆସିବାରୁ ବିଧାନସଭାର ବିରୋଧିଦଳ ନେତା ପଦବୀ ପ୍ରଥମଥର ପାଇଁ ବିଜେପି ଖାତାକୁ ଆସିଥିଲା । ସେତେବେଳେ ବି ଅନେକ ଦାବିଦାର ଥିଲେ ମଧ୍ୟ ବିଜେପିର କେନ୍ଦ୍ରୀୟ କର୍ତ୍ତୃପକ୍ଷ ପୂର୍ବତନ ମନ୍ତ୍ରୀ ପ୍ରଦୀପ୍ତ ନାୟକଙ୍କୁ ଏହି ପଦବୀ ପାଇଁ ବାଛିଥିଲେ । ବିଶେଷକରି ଗତ ଲୋକସଭା ନିର୍ବାଚନରେ ବିଜେପି ପଶ୍ଚିମଓଡିଶାର ସବୁ ଆସନ ପୋଛିନେବା ସହ ବିଧାନସଭା କ୍ଷେତ୍ରରେ ବି ଅପେକ୍ଷାକୃତ ଭଲ ପ୍ରଦର୍ଶନ କରିଥିବା ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲାର ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ନାୟକଙ୍କୁ ଏହି ପଦବୀ ପାଇଁ ଚୟନ କରାଯାଇଥିଲା ।

ଦେଢ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ଶ୍ରୀ ନାୟକ ଅସୁସ୍ଥ ଅଛନ୍ତି । କରୋନା ସମୟରେ ସେ ଭୁବନେଶ୍ୱର ଏମ୍‍ସରେ ଦୀର୍ଘଦିନ ଧରି ଚିକିତ୍ସିତ ହେବା ସହ ଭର୍ଚୁଆଲ ମୋଡରେ ବିଧାନସଭା କାର୍ଯ୍ୟକ୍ରମରେ ଏମ୍‍ସ କ୍ୟାବିନରୁ ଅଂଶଗ୍ରହଣ କରୁଥିଲେ । ପରବର୍ତ୍ତୀ ସମୟରେ ଅଧିକ ଚିକିତ୍ସା ପାଇଁ ତାଙ୍କୁ ଦିଲ୍ଲୀ ନିଆଯାଇଥିଲା । ଏବେ ବି ଶ୍ରୀ ନାୟକ ଚିକିତ୍ସାଧିନ ଅଛନ୍ତି ।

ଦୀର୍ଘଦିନ ଧରି ଅସୁସ୍ଥ ରହିବାରୁ ବିରୋଧିଦଳ ନେତାଭାବେ ଶ୍ରୀ ନାୟକ ବିଧାନସଭା ଭିତରେ ଓ ବାହାରେ ତାଙ୍କର ଭୂମିକା ନିଭାଇ ପାରୁନାହାନ୍ତି । ଏମିତିକି ସେ ବିଧାନସଭାର ପବ୍ଲିକ ଆକାଉଣ୍ଟସ କମିଟିର ଅଧ୍ୟକ୍ଷ ଥିଲେ ମଧ୍ୟ ତାଙ୍କ ଅନୁପସ୍ଥିତରେ ଏହି ଗୁରୁତ୍ୱପୂର୍ଣ୍ଣ କମିଟି ଯେଭଳି କାର୍ଯ୍ୟ କରିବାକଥା ତାହା କରିପାରୁ ନାହାନ୍ତି । ଅସୁସ୍ଥତା କାରଣରୁ ସେ ବାଲେଶ୍ୱର, ତିର୍ତ୍ତୋଲ, ପିପିଲି, ବ୍ରଜରାଜନଗର ଭଳି ବିଧାନସଭା ଉପନିର୍ବାଚନ ଏବଂ ପୌର, ପଞ୍ଚାୟତ ଓ ସମବାୟ ନିର୍ବାଚନରୁ ଏକ ପ୍ରକାର ନିଷ୍କ୍ରିୟ ରହିଛନ୍ତି ।

ବିରୋଧିଦଳ ନେତାଙ୍କୁ କ୍ୟାବିନେଟ୍‍ ମନ୍ତ୍ରୀ ପାହ୍ୟାର ମର୍ଯ୍ୟାଦା ମିଳୁଥିବାବେଳେ ଜନମାନସରେ ସେ ସରକାରୀ ବିରୋଧି ଶକ୍ତିର ନେତାଭାବେ ପରିଗଣିତ ହୋଇଥାନ୍ତି । ତାଙ୍କ ଅନୁପସ୍ଥିତରେ ବିଜେପି ବିଧାୟକଦଳର ଉପନେତା ବିଷ୍ଣୁ ସେଠୀ ଓ ବିରୋଧିଦଳର ସଚେତକ ମୋହନ ଚରଣ ମାଝି, ଅନ୍ୟତମ ବିଧାୟକ ଜୟ ନାରାୟଣ ମିଶ୍ର, କୁସୁମ ଟେଟେ, ମୁକେଶ ମହାଲିଙ୍ଗ ପ୍ରମୁଖ ବିଧାନସଭାରେ ଅଗ୍ରଣୀ ଭୂମିକା ନିଭାଇ ଆସୁଥିବାରୁ ଏମାନଙ୍କ ମଧ୍ୟରୁ କାହାକୁ ବିରୋଧିଦଳ ନେତା କରାଯାଇ ପାରେ ବୋଲି ଚର୍ଚ୍ଚା ଚାଲିଛି ।

୨୦୨୪ରେ ରାଜ୍ୟ ବିଧାନସଭା ସହ ଲୋକସଭା ପାଇଁ ସାଧାରଣ ନିର୍ବାଚନ ହେବାକୁ ଥିବା ପରିପ୍ରେକ୍ଷୀରେ ବିଜେପି ବିରୋଧିଦଳ ନେତାଙ୍କ ଉପସ୍ଥିତି ଉପରେ ବିଶେଷ ଗୁରୁତ୍ୱପ୍ରଦାନ କରୁଛି । ଇତି ମଧ୍ୟରେ ପୂର୍ବତନ ମନ୍ତ୍ରୀ ତଥା ଆଦିବାସୀ ନେତ୍ରୀ ଦ୍ରୌପଦୀ ମୁର୍ମୁଙ୍କୁ ବିଜେପି ଝାଡଖଣ୍ଡର ରାଜ୍ୟପାଳ କରାଇବା ପରେ ଦେଶର ରାଷ୍ଟ୍ରପତି ଆସନରେ ବସାଇବାକୁ ଯାଉଛି । ପଶ୍ଚିମଓଡିଶାରେ ଦଳର ସ୍ଥିତି ଯାହା ଥିଲା ଗତ ପୌର ଓ ପଞ୍ଚାୟତ ନିର୍ବାଚନରେ ଏବଂ ଚଳିତ ସମବାୟ ନିର୍ବାଚନରେ ତାହା ଅନେକ ପରିମାଣରେ ଦୋହଲି ଯାଇଥିବାରୁ ୨୦୨୪ ପାଇଁ ଗଡ ରକ୍ଷା ଲାଗି ବିଜେପି ତାହାର ଜଣେ ଟାଣୁଆ ବିଧାୟକଙ୍କୁ ବିରୋଧିଦଳ ନେତା କରିବାକୁ ଚାହୁଁଛି । ତେବେ ସାମ୍ବିଧାନିକ ବ୍ୟବସ୍ଥାନୁଯାୟୀ ବିଧାୟକଦଳ ବୈଠକରେ ଏ ଘେନି ନିଷ୍ପତ୍ତି ଦୁଇ ତିନି ଦିନ ମଧ୍ୟରେ ହୋଇପାରେ । (ତଥ୍ୟ)