Home General ବିପଦରେ ବାଲେଶ୍ୱର

ବିପଦରେ ବାଲେଶ୍ୱର

ଭୁବନେଶ୍ୱର : ସାମୁଦ୍ରିକ ଝଡ଼ ‘ୟଶ ‘ ବର୍ତମାନ ପାରାଦୀପ ଠାରୁ ୨୮୦ କିଲୋମିଟର ଦକ୍ଷିଣ -ଦକ୍ଷିଣ ପୂର୍ବ ଦୂରରେ ଥିବା ବେଳେ ବୁଧବାର ସକାଳ ସୁଦ୍ଧା ଏହା ବାଲେଶ୍ୱର ଜିଲ୍ଲା ସୋର – ବାହାନଗା ନିକଟରେ ଓଡିଶା ଉପକୂଳ ଅତିକ୍ରମ କରିବ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ ସୂଚନା ଦିଆ ଯାଇଛି |

ଏହି ସାମୁଦ୍ରିକ ଝଡ଼ ଉତ୍ତର -ଉତ୍ତରପୂର୍ବ ଦିଗ ଦେଇ ଗତି କରିବାର ସମ୍ଭାବନା ଥିବାବେଳେ ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୧୦୦ ରୁ ୧୨୦ କିଲୋମିଟର ହେବ ବୋଲି ସିଇସି ର ନିର୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ କହିଛନ୍ତି |

ଏହି ଝଡ ବୁଧବାର ମଧ୍ୟରାତ୍ରି ଓ ଭୋର ୪ଟ। ମଧ୍ୟରେ ଲାଣ୍ଡଫଲ କରିପାରେ ବୋଲି ଆକଳନ କରିଛନ୍ତି ଡକ୍ଟର ସାହୁ | ଭୁବନେଶ୍ୱରରେ ମଙ୍ଗଳବାର ସନ୍ଧ୍ୟାରୁ ସାମାନ୍ୟ ରୁ ମଧ୍ୟମ ଧରଣର ବର୍ଷା ହେବା ସହ ଏହି ସମୟରେ ପବନର ବେଗ ଘଂଟାପ୍ରତି ୪୦ ରୁ ୫୦ କିଲୋମିଟର ହେବ ବୋଲି ଆଶଙ୍କା କରାଯାଉଛି |

ମଙ୍ଗଳବାର ଅପରାହ୍ନରୁ ଓଡିଶା ଉପକୂଳବର୍ତ୍ତୀ ଜଗତସିଂହପୁର ରୁ ବାଲେଶ୍ୱର ଜିଲ୍ଲା ମଧ୍ୟରେ ପବନର ବେଗ ଘଣ୍ଟା ପ୍ରତି ୭୦ ରୁ ୧୦୦ କିଲୋମିଟର ହୋଇପାରେ ବୋଲି ଡକ୍ଟର ସାହୁ କହିଛନ୍ତି |

କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ବେଳେ କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର,ମୟୁରଭଞ୍ଜ, ଯାଜପୁର, କେଉଁଝର, ସୁନ୍ଦରଗଡ଼, ଦେବଗଡ଼, ଝାରସୁଗୁଡା, ସମ୍ବଲପୁର, ଢେଙ୍କାନାଳ, ଏବଂ ଅନୁଗୁଳ ପ୍ରଭୃତି ଜିଲ୍ଲା ଗୁଡିକର କେତେକ ଅଂଚଳରେ ମଙ୍ଗଳବାର ରାତିରୁ ଅତି ପ୍ରବଳ ବର୍ଷା ହେବାର ସେ ଅନୁମାନ କରିଛନ୍ତି |

ବାଲେଶ୍ୱର,ମୟୁରଭଞ୍ଜ, କେଉଁଝର, ସୁନ୍ଦରଗଡ଼, ଯାଜପୁର ଏବଂ ଢେଙ୍କାନାଳ ପ୍ରଭୃତି ଜିଲ୍ଲାରେ ୨୫୦ ମିଲିମିଟର ରୁ ଅଧିକ ପରିମାଣର ବୃଷ୍ଟିପାତ ହେବାର ସମ୍ଭାବନା ଥିବା ସେ କହିଛନ୍ତି |