Home Finance ବିନା କାଗଜରେ ସରକାରୀ ଦେଣ ନେଣ

ବିନା କାଗଜରେ ସରକାରୀ ଦେଣ ନେଣ

170
0

ଭୁବନେଶ୍ୱର : ସରକାରୀ ଦେଣ ନେଣ ଆଉ କାଗଜପତ୍ରରେ ହେବନାହିଁ । ଏ କ୍ଷେତ୍ରରେ ସମ୍ପୂର୍ଣ୍ଣ ଡିଜିଟାଲ ବ୍ୟବସ୍ଥା ଆପଣେଇବାକୁ ସରକାର ନିଷ୍ପତ୍ତି କରିଛନ୍ତି । ସେଥିପାଇଁ ଡିଜିଟାଲ ଟ୍ରାଂଜାକ୍ସନ (ଇ-ଭାଉଚର) ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ଯାଇ ରାଜ୍ୟ ସରକାର ସମ୍ପୂର୍ଣର୍ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିଛନ୍ତି । ଯାହା ଫଳରେ କି ଦେଣ ନେଣ ପାଇଁ ଧାର୍ଯ୍ୟ ଅଧିକାରୀ (ଡିଡିଓ) ମାନଙ୍କୁ ଆଉ ଟ୍ରେଜେରୀକୁ ଯାଇ ବିଲ୍‍ ଦେବାକୁ ପଡିବନାହିଁ ।

ଏଥିପାଇଁ ପ୍ରସ୍ତୁତ କରାଯାଇଥିବା ରୋଡ୍‍ମ୍ୟାପ୍‍ରୁ ଜଣାଯାଇଛି ଯେ ସମଗ୍ର ରାଜ୍ୟରେ ଏହି ବ୍ୟବସ୍ଥା ଆଗାମୀ ଅଗଷ୍ଟ ମାସ ସୁଦ୍ଧା ସମ୍ପୂର୍ଣ୍ଣ ଭାବରେ କାର୍ଯ୍ୟକାରୀ ହୋଇଯିବ । ଏହି ବ୍ୟବସ୍ଥାକୁ ପର୍ଯ୍ୟାୟକ୍ରମେ କାର୍ଯ୍ୟକାରୀ କରିବାପାଇଁ ହୋଇଥିବା ଯୋଜନାରୁ ଜଣାଯାଇଛ ଯେ ଆଗାମୀ ମାର୍ଚ୍ଚ ମାସ ଶେଷସୁଦ୍ଧା ସମସ୍ତ ବିଭାଗ ଓ ବିଭାଗୀୟ ମୁଖ୍ୟମାନଙ୍କର ଡିଡିଓମାନେ ଏହି ବ୍ୟବସ୍ଥାକୁ ଲାଗୁ କରିବେ । 

ଦ୍ୱିତୀୟ ପର୍ଯ୍ୟାୟରେ ସମସ୍ତ କ୍ଷେତ୍ର ସ୍ତରୀୟ ଦପ୍ତରମାନଙ୍କରେ ଥିବା ଡିଡିଓମାନେ ଅଗଷ୍ଟ ମାସ ସୁଦ୍ଧା ଡିଜିଟାଲ ସ୍ୱାକ୍ଷର ମାଧ୍ୟମରେ ବିଲ୍‍ ଉପସ୍ଥାପନ କରିବେ । ଏହା ଫଳରେ ଆଉ କୌଣସି ଡିଡିଓଙ୍କୁ ଟ୍ରେଜେରୀକୁ ବିଲ୍‍ ନେଇ ବ୍ୟକ୍ତିଗତ ଭାବେ ଯିବାକୁ ପଡିବନାହିଁ । ସମ୍ପୂର୍ଣ୍ଣ ଡିଜିଟାଲ ଟ୍ରାଂଜାକ୍ସନ କାର୍ଯ୍ୟକାରୀ କରାଯିବ । ଏଠାରେ ଉଲ୍ଲେଖ କରାଯାଇପାରେ ଯେ ଇ-ଭାଉଚର ଅଗ୍ରଣୀ ଯୋଜନା ସଫଳ ଭାବରେ କାର୍ଯ୍ୟକାରୀ ହୋଇପାରିଛି । 

ଏହି ପାଇଲଟ୍‍ ଯୋଜନାରୁ ମିଳିଥିବା ସଫଳତା ଯୋଗୁଁ ରାଜ୍ୟ ଅର୍ଥ ବିଭାଗ ଡିଜିଟାଲ ଟ୍ରାଂଜାକ୍ସନ ପାଇଁ କାର୍ଯ୍ୟଯୋଜନା ପ୍ରସ୍ତୁତ କରିଛନ୍ତି । ଇତି ମଧ୍ୟରେ ସମସ୍ତ ବିଭାଗ ଓ ବିଭାଗୀୟ ମୁଖ୍ୟ ଡିଡିଓମାନଙ୍କୁ ଡିଜିଟାଲ ସ୍ୱାକ୍ଷର ପ୍ରମାଣପତ୍ର ପ୍ରଦାନ କରାଯାଇ ସାରିଛି । ଆଗାମୀ ଫେବୃୟାରୀମାସରେ ବିଭାଗୀୟ ମୁଖ୍ୟ ଦପ୍ତରମାନଙ୍କରେ ଏହି ଯୋଜନାକୁ କାର୍ଯ୍ୟକାରୀ କରାଯିବ । ଏଥି ସଂଗେ ସଂଗେ କଲେକ୍ଟରିଏଟ୍‍ ସ୍ତରରେ ଫେବୃୟାରୀମାସ ସୁଦ୍ଧା ଏହା କାର୍ଯ୍ୟକାରୀ କରାଯିବ । 

ଏହାପରେ ସମସ୍ତ କ୍ଷେତ୍ର ସ୍ତରୀୟ ଦପ୍ତରମାନଙ୍କରେ ଅଗଷ୍ଟ ମାସ ସୁଦ୍ଧା ଇ-ଭାଉଚର ବ୍ୟବସ୍ଥା କାର୍ଯ୍ୟକାରୀ ହେବ । ଫଳରେ ସମଗ୍ର ରାଜ୍ୟରେ ସରକାରୀ ଦପ୍ତରମାନଙ୍କରେ ଆଉ କାଗଜପତ୍ରରେ ଦେଣ ନେଣ ବ୍ୟବସ୍ଥା ରହିବନାହିଁ । (ତଥ୍ୟ)

LEAVE A REPLY

Please enter your comment!
Please enter your name here