Home News in Odia ବିଧାନସଭା ଘେରିବ ଛାତ୍ର କଂଗ୍ରେସ

ବିଧାନସଭା ଘେରିବ ଛାତ୍ର କଂଗ୍ରେସ

ଭୁବନେଶ୍ୱର : ଓଡିଶା ଷ୍ଟାଫସିଲେକସନ କମିଶନ ଦୁର୍ନୀତି ଓ ମନ୍ତ୍ରୀ ପ୍ରତାପ ଜେନାଙ୍କ ଇସ୍ତଫା ଏବଂ ବହିସ୍କାର ଦାବିରେ ସେପ୍ଟେମ୍ବର ୭ ତାରିଖରେ ପ୍ରଦେଶ ଛାତ୍ର କଂଗ୍ରେସ ବିଧାନସଭା ଘେରାଉ କରିବ । ଆଜି ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ।

ଛାତ୍ର କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ ଷ୍ଟାଫସିଲେକସନ ଦୁର୍ନୀତି ରେ ଜଣେ ସାଧାରଣ କିରାଣୀକୁ ବହିସ୍କାର ଏବଂ ତାର ସମ୍ପତିର ଭିଜିଲାନ୍ସ ତଦନ୍ତ କରାଇ ସରକାର ସ୍ୱଚ୍ଛତାର ଦିଣ୍ଡିମ ପିଟୁଛନ୍ତି । ଏ ରାଜ୍ୟର ବୁଦ୍ଧିଜୀବୀ ଓ ଛାତ୍ର ସମାଜକୁ ଭୂଆଁ ବୁଲାଇବା ପାଇଁ ନବୀନ ସରକାର ଅପଚେଷ୍ଟା କରୁଛନ୍ତି । ଏ ମହାଦୁର୍ନୀତି କ’ଣ ଜଣେ କିରାଣୀ ଦ୍ୱାରା ସମ୍ଭବ କି?

ଷ୍ଟାଫସିଲେକସନ କମିଶନ ମୁଖ୍ୟମନ୍ତ୍ରୀଙ୍କ ବିଭାଗର ଅଧୀନ । ଏଣୁ ଏହାକୁ ଚପାଇ ଦେବାପାଇଁ ମୁଖ୍ୟମନ୍ତ୍ରୀ ଅପଚେଷ୍ଟା କରୁଛନ୍ତି । ଷ୍ଟାଫ ସିଲେକସନ କମିଶନର ଅଧ୍ୟକ୍ଷ ଏବଂ ସଭ୍ୟ ମାନଙ୍କୁ ଘଣ୍ଟ ଘୋଡାଉଛନ୍ତି । ୨୧ ବର୍ଷ ଭିତରେ ନବୀନ ସରକାର ୯୦ ପ୍ରତିଶତ ଚାକିରୀ ବିକ୍ରି କରିଦେଇଛନ୍ତି । କହିଥିଲେ ବର୍ଷକୁ ୨ଲକ୍ଷ ଚାକିରୀ ଦେବେ ମାତ୍ର ଚାକିରୀ ଦେବାତ ଦୁରର କଥା ସରକାରୀ ଚାକିରୀ ହାଟରେ ଟେଣ୍ଡର ହେଉଛି ।

ଷ୍ଟାଫସିଲେକସନ ଅଧ୍ୟକ୍ଷ ଏବଂ ସମସ୍ତ ସଭ୍ୟଙ୍କୁ ତଦନ୍ତ ପରିସରକୁ ଆଣିବା ସହ ୨୧ ବର୍ଷ ଭିତରେ ଯେଉଁମାନେ ଦାୟୀତ୍ୱରେ ଥିଲେ ସେମାନଙ୍କର ବି ତଦନ୍ତ କରାଯାଉ । ଆଉ ନବୀନ ସରକାର ଛାତ୍ରଛାତ୍ରୀଙ୍କ ସ୍ୱପ୍ନକୁ ଅପହରଣ ନକରନ୍ତୁ । ସରକାରୀ ଚାକିରୀ ନିଲାମ ନିଲାମ ନକରନ୍ତୁ । ଚାକିରୀର ପରୀକ୍ଷାର୍ଥୀ ମାନଙ୍କୁ ନ୍ୟାୟ ମିଳୁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ବିଭାଗର ଦୁର୍ନୀତିକୁ ସ୍ୱୀକାର କରନ୍ତୁ ।

ଏ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ଆଜି ବିପର୍ଯ୍ୟସ୍ତ । ଆଇନ ମନ୍ତ୍ରୀ ଏବଂ ମାହାଙ୍ଗା ବିଧାୟକଙ୍କ ଅପରାଧକୁ ରାଜ୍ୟ ମୁଖ୍ୟମନ୍ତ୍ରୀ ଘଂଟ ଘୋଉଛନ୍ତି । ରାଜନେତା କୁଳମଣି ବରାଳଙ୍କ ପୁଅ ରମାକାନ୍ତ ବରାଳ ଏଫଆଇଆରରେ ମାହାଙ୍ଗା ଡବଲ ମର୍ଡ଼ର ଘଟଣାରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ସଂପୃକ୍ତିକୁ ନେଇ ତାଙ୍କ ନାମ ଲେଖିଥିଲେ । ମାତ୍ର ଅଭିଯୋଗ ହେଉଛି ମାହାଙ୍ଗା ଥାନା ତୃତୀୟ ମହଲାର ନିର୍ଦ୍ଦେଶରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ନାମକୁ ଚାର୍ଜସିଟ୍‌ରୁ ବାଦ ଦେଇଛନ୍ତି ।

ମାନ୍ୟବର ଅଦାଲତ ଘଟଣାର ଗୁରୁତ୍ୱ ଉପଲବ୍ଧି କରି ଏବଂ ରମାକାନ୍ତ ବରାଳଙ୍କ ଆବେଦନକୁ ବିଚାରକୁ ନେଇ ମନ୍ତ୍ରୀ ପ୍ରତାପ ଜେନାଙ୍କ ସଂପୃକ୍ତି ଅଭିଯୋଗ ଉପରେ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଆଉ ଘଣ୍ଟ ଘୋଡ଼ାନ୍ତୁ ନାହିଁ । ପୋଲିସ୍‌କୁ ପ୍ରମାଣ ଲୁଚାଇବା ପାଇଁ ଚାପ ପ୍ରୟୋଗ କରନ୍ତୁ ନାହିଁ । ସୁତରାଂ ପ୍ରଦେଶ ଛାତ୍ର କଂଗ୍ରେସ ମନ୍ତ୍ରୀ ପ୍ରତାପ ଜେନାଙ୍କ ବହିସ୍କାର ଏବଂ ଗିରଫ ଦାବି କରୁଛି । ଶ୍ରୀ ଜେନା ଜଣେ ଅପରାଧି ହୋଇଥିବାରୁ ମନ୍ତ୍ରୀ ପଦରେ ରହିବା ଅଧିକାର ତାଙ୍କର ନାହିଁ ।