Home Education ବିଦେଶୀ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଫିସାଓର ଶୁଭାରମ୍ଭ

ବିଦେଶୀ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଫିସାଓର ଶୁଭାରମ୍ଭ

ଭୁବନେଶ୍ୱର : ଓଡ଼ିଶାର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନରତ ୧୯ଟି ବିଦେଶୀ ରାଷ୍ଟ୍ରର ପ୍ରାୟ ୧୫୦ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବିଦେଶୀ ଛାତ୍ରଛାତ୍ରୀ ସଂଘ-ଓଡ଼ିଶା (ଫେଡେରେସନ୍ ଅଫ୍ ଇଂଟରନ୍ୟାସ୍‌ନାଲ୍ ଷ୍ଟୁଡେଂଟସ ଆସୋସିଏସନ୍‌-ଓଡ଼ିଶା)ର ଶୁଭାରମ୍ଭ ହୋଇଛି ।

ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌) ଠାରେ ନିକଟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହାର ଶୁଭାରମ୍ଭ ହୋଇଥିବା ବେଳେ ବିଭିନ୍ନ ଦେଶର ଛାତ୍ରଛାତ୍ରୀମାନେ ଏଥିରେ ସାମିଲ ହୋଇଥିଲେ ।

ଆଇଆଇଟି ଭୁବନେଶ୍ୱର, ଇଂଟରନ୍ୟାସନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଇନ୍‌ଫର୍ମେସନ୍ ଟେକ୍ନୋଲୋଜି (ଆଇଆଇଆଇଟି), ସି.ଭି. ରମଣ ଗ୍ଲୋବାଲ୍ ୟୁନିଭର୍ସିଟି, ସେଂଚୁରିଆନ୍ ୟୁନିଭର୍ସିଟି, କିଟ୍ ୟୁନିଭର୍ସିଟି, ଉତ୍କଳ ୟୁନିଭର୍ସିଟି ଏବଂ ସୋଆ ରେ ପାଠ ପଢ଼ୁଥିବା ଛାତ୍ରଛାତ୍ରୀମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ ଇଣ୍ଡିଆନ୍ କାଉନ୍‌ସିଲ୍ ଫର୍ କଲ୍‌ଚରାଲ୍ ରିଲେସନ୍ସ (ଆଇସିସିଆର୍‌)ର ଆଂଚଳିକ ନିର୍ଦ୍ଦେଶିକା ମୀନାକ୍ଷି ମିଶ୍ର ଏଥିରେ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କ ଉଦ୍ଦେଶ୍ୟରେ ବକ୍ତବ୍ୟ ରଖିଥିଲେ ।

ମୀନାକ୍ଷି ମିଶ୍ର ଆନ୍ତର୍ଜାତୀୟ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଦୃଢ଼ିଭୂତ ସମ୍ପର୍କକୁ ସ୍ୱାଗତ କରିବା ସହ ବିଶ୍ୱସ୍ତରରେ ଭାଇଚାରାକୁ ପ୍ରୋତ୍ସାହନ ଦେବା ନିମନ୍ତେ ମତ ରଖିଥିଲେ ।

ଏହି କାର୍ଯ୍ୟକ୍ରମରେ ସୋଆ କୁଳପତି ପ୍ରଫେସର ଡାକ୍ତର ଅଶୋକ କୁମାର ମହାପାତ୍ର ଅଧ୍ୟକ୍ଷତା କରିବା ସହ ଛାତ୍ରଛାତ୍ରୀମାନେ କିଭଳି ଆନନ୍ଦ ଓ ସମାଜ ସେବା ଉପରେ ଅଧିକ ଧ୍ୟାନ ଦେବା ସହ ସୁନ୍ଦର ପୃଥିବୀ ନିର୍ମାଣରେ ନିଜକୁ ନିୟୋଜିତ କରିବାକୁ ଉପଦେଶ ଦେଇଥିଲେ । ଭାରତର ସୁନ୍ଦର ରାଜ୍ୟ ଓଡ଼ିଶାର ଐତିହ୍ୟ, କଳା ଓ ଆତ୍ମା ସହ ଯୋଡି ହେବାକୁ ମଧ୍ୟ ଛାତ୍ରଛାତ୍ରୀମାନଙ୍କୁ ଆହ୍ୱାନ ଦେଇଥିଲେ ।

ସୋଆ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ବିଶ୍ୱବିଦ୍ୟାଳୟ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିବା ବେଳେ ଇଂଟରନ୍ୟାସ୍‌ନାଲ୍ ଆଡମିଶନ୍ ଏବଂ ଆଉଟ୍‌ରିଚ୍ ପ୍ରୋଗ୍ରାମର ନିର୍ଦ୍ଦେଶକ ପ୍ରଫେସର ନଚିକେତା କେ. ଶର୍ମା ବିଦେଶୀ ଛାତ୍ରଛାତ୍ରୀମାନଙ୍କ ପାଇଁ ସୋଆ କିଭଳି ସବୁଠାରୁ ଉତ୍କୃଷ୍ଟ ଧରଣର ଶିକ୍ଷାନୁଷ୍ଠାନ ହେବ ସେ ଦିଗରେ ପ୍ରଚେଷ୍ଟା କରାଯାଉଥିବା କହିଥିଲେ ।

କାର୍ଯ୍ୟକ୍ରମରେ ଆଉଟ୍‌ରିଚ୍ ପ୍ରୋଗ୍ରାମ ମ୍ୟାନେଜର ସୁଜାତା ପାଢ଼ୀ, ଇଂଟରନ୍ୟାସ୍‌ନାଲ୍ ଆଡମିଶନ୍ ମ୍ୟାନେଜର ଶ୍ରୀ ଶିବାଶିଷ ପତି, ଆଉଟ୍‌ରିଚ କୋର୍ଡିନେଟର ଶ୍ରୀ ରାଜଶେଖର ବେହେରା, ଉଗାଣ୍ଡାର ଛାତ୍ରଛାତ୍ରୀ ଜନ୍ ବ୍ରାଭୋ ମୁରୁଙ୍ଗି, ରବର୍ଟ ଓ ସାଣ୍ଡ୍ରା, ଇଥିଓପିଆର ଛାତ୍ର ସେଗ୍‌ନେଟ୍‌, ଚାଦ୍‌ର ଛାତ୍ର ଅବ୍‌ଦଲା, ଦକ୍ଷିଣ ସୁଦାନ୍‌ର ଛାତ୍ର ଆପଲୋ, କେନିଆର ଛାତ୍ରୀ ପ୍ୟାଟ୍ରିସିଆ, ନେପାଳର ଛାତ୍ର ଆରୋହି ଏବଂ ଭୁଟାନ୍ ର ଛାତ୍ର କର୍ଣ୍ଣ ପ୍ରମୁଖ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ବିଶ୍ୱ ଭାଇଚାରାକୁ ବଜାୟ ରଖିବା ନିମନ୍ତେ ଛାତ୍ରଛାତ୍ରୀମାନେ ଏକ କେକ୍ ମଧ୍ୟ କାଟିଥିଲେ ।

LEAVE A REPLY

Please enter your comment!
Please enter your name here