Home Infrastructure ବିଡିଏର ନାଲିଆଖିକୁ ଖାତିର କରୁନାହାନ୍ତି

ବିଡିଏର ନାଲିଆଖିକୁ ଖାତିର କରୁନାହାନ୍ତି

ଭୁବନେଶ୍ୱର : ଭୁବନେଶ୍ୱର ସହରରେ ନେଇଥିବା ଜମି ଉପରେ ତୁରନ୍ତ ଘର ତିଆରି କରିବାପାଇଁ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଦେଇଥିବା ସମୟସୀମା ଗତ ମାର୍ଚ୍ଚରୁ ପୂରି ଯାଇଥିଲେ ମଧ୍ୟ ତାହାକୁ କେହି ଖାତିର କରୁନାହାନ୍ତି । ପୂର୍ବରୁ ବିଡିଏ ପକ୍ଷରୁ ବାରମ୍ବାର ଏଭଳି ନାଲିଆଖି ଦେଖାଯାଇଥିବା ନଜିର ରହିଛି ।

ଗତବର୍ଷ ଜୁଲାଇ ମାସରେ ବିଡିଏ ବୈଠକରେ ନିଷ୍ପତ୍ତି ଅନୁଯାୟୀ ଏହାର ପରିସୀମା ମାଧ୍ୟରେ ଲୋକଙ୍କୁ ଯୋଗାଯାଇଥିବା ଜମି ଉପରେ ତୁରନ୍ତ ଘର ନିର୍ମାଣ ପାଇଁ କୁହାଯାଇଥିଲା । ବର୍ଷ ବର୍ଷ ଧରି ଘର ତିଆରି ନହୋଇ ଅବ୍ୟବହୃତ ଭାବେ ପଡି ରହିଥିବା ଏହି ଜମିରେ ୨୦୨୨ ମାର୍ଚ୍ଚ ୩୧ ସୁଦ୍ଧା ଘର ନକଲେ ମୋଟା ଅଙ୍କର ଜୋରିମାନା ସହିତ ଆବଶ୍ୟକ ସ୍ଥଳେ ଜମି ଆବଣ୍ଟନ ଅନୁମତି ବାଜ୍ୟାପ୍ତି କରାଯିବ ବୋଲି ଧମକ ଦିଆଯାଇଥିଲା ।

ତେବେ ରାଜଧାନୀରେ ବର୍ଷ ବର୍ଷ ଧରି ଜମି ପକାଇ ରଖିଥିବା ଲୋକେ ବିଡିଏର ଏହି ନାଲିଆଖିକୁ ତିଳେ ମାତ୍ର ଖାତିର କରୁନାହାନ୍ତି । କାଁ ଭାଁ ଘର ତିଆରିକୁ ବାଦ୍‍ ଦେଲେ ପୂର୍ବରୁ ଯେଭଳି ଜମି ପଡି ରହିଥିଲା ଏବେ ବି ସେହିଭଳି ଅବସ୍ଥାରେ ରହିଛି । ଧାର୍ଯ୍ୟ ସମୟର ଦୁଇମାସ ଅତିକ୍ରମ ହୋଇଥିଲେ ମଧ୍ୟ ବିଡିଏ ପକ୍ଷରୁ ସେଭଳି କୌଣସି କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇନାହିଁ ।

ଏଠାରେ ଉଲ୍ଲେଖନୀୟ ଯେ ବିଡିଏର ଏହି ନାଲିଆଖି ପ୍ରଥମଥର ପାଇଁ ନୁହେଁ, ୨୦୦୯ ମସିହାରୁ ବିଡିଏ ନିୟମିତ ଭାବେ ଜମି ପକାଇ ରଖିଥିବା ଲୋକଙ୍କୁ ଏଭଳି କଡା ନିର୍ଦ୍ଦେଶ ଦେଉଥିଲେ ମଧ୍ୟ ତାହାକୁ କେହି ଅନୁପାଳନ କରୁନାହାନ୍ତି । ବିଡିଏର କାର୍ଯ୍ୟାନୁଷ୍ଠାନ ଶୂନ ହୋଇଥିବାରୁ ଅଧିକାଂଶ ଜମି ମାଲିକ ଏଭଳି ନିର୍ଦ୍ଦେଶନାମାକୁ ଖାତିର କରୁନଥିବା ଦେଖିବାକୁ ମିଳୁଛି ।

ରାଜଧାନୀରେଏବେ ଜମି ଦର ଆକାଶଛୁଆଁ ହୋଇଥିବାବେଳେ ଅତି ସ୍ୱଳ୍ପ ମୂଲ୍ୟରେ ସରକାରଙ୍କ ଠାରୁ ପାଇଥିବା କିମ୍ବା ଘରୋଇ ସଂସ୍ଥାଙ୍କ ଠାରୁ ଖରିଦ କରିଥିବା ଜମି ଉପରେ ଲୋକେ ଘର ନକରି ପକାଇ ରଖି ଦର କଷିବାରେ ଲାଗିଛନ୍ତି । ବର୍ଷ ବର୍ଷ ଧରି ଜମି ପଡି ରହିବା ସହିତ ଏହାର ଦର ବି ବଢି ବଢି ଚାଲିଛି । ଏକାଧିକ ପ୍ଲଟ ହାତେଇଥିବା ଲୋକଙ୍କ ପାଇଁ ଏହା ଏବେ ଏକ ବଡ ଲାଭଜନକ ବ୍ୟବସାୟ ପାଲଟିଛି । ଲୋକସେବାଭବନ, ରାଜଭବନ ଆଖପାଖ ସହିତ ସହରର ଚାରିଆଡେ ଏଭଳି ଅବ୍ୟବହୃତ ଜମି ଏବେ ମଶାଙ୍କ ଉତ୍ପତିସ୍ଥଳ ପାଲଟିଛି ।

ସହର ମଧ୍ୟରେ ଜମିଗୁଡିକ ପଡି ରହିବା ଯୋଗୁଁ ସରକାରଙ୍କ ରାଜକୋଷକୁ ଟଙ୍କାଟିଏ ରାଜସ୍ୱ ବି ଆସିପାରୁ ନାହିଁ । ଦେଶର ଅନ୍ୟାନ୍ୟ ବଡ ବଡ ସହରରେ ଜମି ଖରିଦ କରିବାର ୬ମାସ ମଧ୍ୟରେ ଜମି ମାଲିକ ଘର କରିବାକୁ ବାଧ୍ୟ । ଏହା ନହେଲେ ସ୍ଥାନୀୟ ପୌରସଂସ୍ଥା ମୋଟା ଅଙ୍କର ମାସିକ ଜୋରିମାନା ଆଦାୟ କରିଥାନ୍ତି । ଏଥିଯୋଗୁଁ କେତେକ ସହରରେ ଲୋକେ ମୋଟା ଜୋରିମାନା ଭୟରେ ଋଣ କରି ଘର ତିଆରି କରିଥାନ୍ତି ।

ହେଲେ ରାଜଧାନୀରେ ବିଡିଏ ଭଳି ସଂସ୍ଥାକୁ ଆଦୌ ଖାତିର ନଥିବାରୁ ସହରର ଚାରିଆଡେ ଶହ ଶହ ଅବ୍ୟବହୃତ ଜମି ପଡି ରହିଛି ଯାହାକି ସ୍ଥାନୀୟ ଅଧିବାସୀଙ୍କ ପାଇଁ କାଳ ହୋଇଥିବାବେଳେ ଅନେକ ସମୟରେ ଏହାକୁ ଜମି ମାଫିଅମାନେ ମାଡି ବସୁଥିବାରୁ ଆଇନ୍‍ଶୃଙ୍ଖଳା ପରିସ୍ଥିତି ବି ସୃଷ୍ଟି ହେଉଛି । ତେଣୁ ବିଡିଏ କର୍ତ୍ତୃପକ୍ଷ ନିଜ ଘୋଷଣା ଅନୁଯାୟୀ ତୁରନ୍ତ କାର୍ଯ୍ୟାନଷ୍ଠାନ ଗ୍ରହଣ ପାଇଁ ମତପ୍ରକାଶ ପାଉଛି । (ତଥ୍ୟ)