Home News in Odia ବିଜେପିର ୭ଦିନିଆ ବିଜୁଳି ପ୍ରତିବାଦ

ବିଜେପିର ୭ଦିନିଆ ବିଜୁଳି ପ୍ରତିବାଦ

ଭୁବନେଶ୍ୱର : ବିଦ୍ୟୁତ ଦର ବୃଦ୍ଧି ହ୍ରାସ କରିବା ଏବଂ ଓଡିଶାର ସାଧାରଣ ଜନତାକୁ ନିରବିଚ୍ଛିନ୍ନ ଭାବେ ବିଦ୍ୟୁତ ଯୋଗାଇବା ଦାବିରେ ବିଜେପି ପକ୍ଷରୁ ସାଧାରଣ ଉପଭୋକ୍ତାଙ୍କୁ ସାଙ୍ଗରେ ଧରି ୭ ଦିନ ଧରି ସାରା ରାଜ୍ୟରେ ବିଦ୍ୟୁତ ବିତରଣ କମ୍ପାନୀଗୁଡିକ ଆଗରେ ପ୍ରତିବାଦ କରାଯିବ ବୋଲି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଚେତାବନୀ ଦେଇଛନ୍ତି । ଆସନ୍ତାକାଲି ତଥା ଜୁଲାଇ ୧୪ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ଏହି ପ୍ରତିବାଦ ଓ ବିକ୍ଷୋଭ କାର୍ଯ୍ୟକ୍ରମ ଚାଲୁ ରହିବ ।

କରୋନା ସମୟରେ ରାଜ୍ୟ ସରକାର ବିଦ୍ୟୁତ ବିଲ ବୃଦ୍ଧି କରିବା ବୋଝ ଉପରେ ନଳିତା ବିଡା ସଦୃଶ । ଓଡିଶା ବିଦ୍ୟୁତ୍‍ ନିୟାମକ ଆୟୋଗ (ଓଇଆରସି)ର ବିଦ୍ୟୁତ ଦର ବୃଦ୍ଧି କୌଣସି ପରିସ୍ଥିତିରେ ଗ୍ରହଣୀୟ ନୁହେଁ । ଏପ୍ରିଲ ୪ତାରିଖରୁ ରାଜ୍ୟ ସରକାର ବିଦ୍ୟୁତ ବିଲରେ ୟୁନିଟ ପିଛା ୩୦ ପଇସା ବୃଦ୍ଧି କରି ନିରୀହ ସାଧାରଣ ଜନତାଙ୍କୁ ଶୋଷଣ କରୁଛନ୍ତି । ଏହା ଅତ୍ୟନ୍ତ ନିନ୍ଦନୀୟ ଏବଂ ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାନ୍ତି କହିଛନ୍ତି ରାଜ୍ୟରେ ହୋଇଥିବା ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟରେ ହଜାର ହଜାର କୋଟି ଟଙ୍କା କେନ୍ଦ୍ରୀୟ ସହାୟତା ଓଡିଶାକୁ ପ୍ରଦାନ କରାଯାଇଛି । କିନ୍ତୁ ରାଜ୍ୟ ସରକାର ଭିତିଭୂମି ସୁଦୃଢ ନକରି ଏହି ଅର୍ଥକୁ ହରିଲୁଟ୍ କରିଛନ୍ତି । ରାଜ୍ୟ ସରକାରଙ୍କ ତ୍ରୁଟିପୂର୍ଣ୍ଣ ନୀତି ପାଇଁ ୯୨ ଲକ୍ଷ ବିଦ୍ୟୁତ ଉପଭୋକ୍ତା ଏବେ କଷ୍ଟରେ ଅଛନ୍ତି । ରାଜ୍ୟ ସରକାର ସେବା କମ୍‌୍ ଏବଂ ଟିକସ ଅଧିକା ନେବା ନୀତି ଆପଣାଇଛନ୍ତି । ବିଶେଷ କରି କରୋନା ମହାମାରୀ ସମୟରେ ବିଦ୍ୟୁତ ଦର ବୃଦ୍ଧି କରିବା ଆଦୌ ଗ୍ରହଣୀୟ ନୁହେଁ ।

ଏହା ସହ ବାତ୍ୟା ପରେ ପରେ ମିଳିଥିବା କେନ୍ଦ୍ରୀୟ ସହାୟତାକୁ କିଭଳି ଖର୍ଚ୍ଚ କରାଯାଇଛି, କେଉଁ ଠିକାଦାରକୁ କାମ ଦିଆଯାଇଛି ଏବଂ କେତେ ପରିମାଣରେ କାମ ହୋଇଛି ତାହାର ସବିଶେଷ ତଥ୍ୟ ଏକ ଶ୍ୱେତପତ୍ର ମାଧ୍ୟମରେ ରାଜ୍ୟ ସରକାର ପ୍ରକାଶ କରନ୍ତୁ । ବିଧାନସଭାରେ ରାଜ୍ୟ ସରକାର ମୁଲତବି ଆଲୋଚନାର ଉତର ରଖି ବିଦ୍ୟୁତ ଦର କମାଇବା ନେଇ ଯେଉଁ ପ୍ରତିଶୃତି ଦେଇଥିଲେ ତାହା ଏବେ ପାଳନ କରନ୍ତୁ ଏବଂ ବର୍ଦ୍ଧିତ ଟାରିଫକୁ ରାଜ୍ୟ ସରକାର ତୁରନ୍ତ କମ୍ କରିବା ପାଇଁ ବିହିତ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ଶ୍ରୀ ମହାନ୍ତି ଦାବି କରିଛନ୍ତି ।

ରାଜ୍ୟରେ ୨୬ଟି ବଡ ଶିଳ୍ପ ସଂସ୍ଥା ଉପରେ ୨୯୪୯.୬୬ କୋଟି ଟଙ୍କାର ବକେୟା ବିଦ୍ୟୁତ ବିଲ୍ ପଡି ରହିଛି । ରାଜ୍ୟ ସରକାର ଓ ପ୍ରଶାସନର ପ୍ରଚ୍ଛନ୍ନ ଷଡଯନ୍ତ୍ରରେ ଏହି କମ୍ପାନୀମାନେ କୋର୍ଟରୁ ରହିତାଦେଶ ଆଣି ରାଜ୍ୟ ରାଜକୋଷକୁ ରୁଗ୍ନ କରିଦେଇଛନ୍ତି । ରାଜ୍ୟର ୪ଟି ବିଦ୍ୟୁତ ବିତରଣ କଂପାନୀ ଉପରେ ୫୪୧.୧୧ କୋଟି ଟଙ୍କା ବକେୟା ରହିଛି । ବାହାର ରାଜ୍ୟକୁ ଓଡିଶା ସରକାର ଯେଉଁ ବିଜୁଳି ବିକୁଛନ୍ତି ତାହାର ହାରାହାରି ୟୁନିଟ ପିଛା ମୂଲ୍ୟ ୩ଟ ୨୧ପଇସା ରହିଛି । ମାତ୍ର ବାହାର ରାଜ୍ୟ ମାନଙ୍କରୁ ଯେଉଁ ବିଜୁଳି ରାଜ୍ୟ ସରକାର କିଣୁଛନ୍ତି ତାହାର ୟୁନିଟ ପିଛା ହାରାହାରି ମୂଲ୍ୟ ୩ଟ ୮୧ପଇସା ରହିଛି ।

କିଣାବିକାରେ ଏହି ତାରତମ୍ୟ କାରଣରୁ ରାଜ୍ୟର ରାଜକୋଷ ଦୁର୍ବଳ ହୋଇଛି । ରାଜ୍ୟର ୩୩୨ଟି କମ୍ପାନୀ ଉପରେ ଜଳକର ବାବଦରେ ୫୧୫କୋଟିରୁ ଅଧିକ ଟଙ୍କା ଦୀର୍ଘ ଦିନରୁ ପଡି ରହିଛି ମାତ୍ର ଏହାକୁ ଆଦାୟ କରିବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି । ରାଜ୍ୟ ସରକାରଙ୍କ ଉଦ୍ୟୋଗ ଓଏଚପିସିକୁ କମ ଦରରେ ବିଜୁଳି ଉତ୍ପାଦନ ପାଇଁ ୫୨୨୫କୋଟି ଟଙ୍କା ଜଳକର ଛାଡ କରାଯାଇଛି । ଏହା ପରେ ବି ବିଦ୍ୟୁତ୍ ନିୟାମକ ଆୟୋଗ ସାମ୍ନାରେ ଓଏଚପିସି ତରଫରୁ ବିଜୁଳି ଟାରିଫ୍ ରେ ବଡ ବୃଦ୍ଧି ପାଇଁ ଦାବି କରାଯିବା ଦୁର୍ଭାଗ୍ୟଜନକ ବୋଲି ରାଜ୍ୟ ସାଧାରଣ ସଂପାଦକ ଗୋଲକ ମହାପାତ୍ର ଅଭିଯୋଗ କରିଛନ୍ତି ।

ଓଡିଶାରେ ଘରୋଇ ବିଦ୍ୟୁତ ଟାରିଫ ୟୁନିଟ୍ ପିଛା ପ୍ରଥମ ୫୦ୟୁନିଟ ପର୍ଯ୍ୟନ୍ତ ୨ଟ ୫୦ପଇସା ରହିଥିବା ବେଳେ ଦେଶର ସିକିମ, ଆନ୍ଧ୍ର, ତେଲେଙ୍ଗାନା, ଗୋଆ ଓ ଛତିଶଗଡରେ ଏହା ହାରାହାରି କମ୍ ରହିଛି । ଖାଉଟି ମାନଙ୍କର ବିଜୁଳି ଟାରିଫ୍ ଅପରିବର୍ତିତ ରଖିବା ସହ ରାଜ୍ୟର କୃଷକମାନଙ୍କୁ ଶାସକ ଦଳର ପ୍ରତିଶୃତି ଅନୁସାରେ ମାଗଣା ବିଜୁଳି ଯୋଗାଇ ଦିଅନ୍ତୁ ।

ରାଜ୍ୟରେ ଶିଳ୍ପ ବିକାଶ ପାଇଁ ବର୍ତମାନ ପ୍ରଚଳିତ ୟୁନିଟ ପିଛା ୫ଟଙ୍କା ୭୦ପଇସାର ଟାରିଫ ବଦଳରେ ଦେଶର ଶିଳ୍ପ ସମୃଦ୍ଧ ରାଜ୍ୟ ଗୁଜୁରାଟ ପରି ୪ଟଙ୍କା ୫୦କୁ କମ୍ କରନ୍ତୁ । ଆନ୍ଧ୍ର ଓ ଗୁଜୁରାଟ ଭଳି ରାଜ୍ୟରେ ଅଣୁ କ୍ଷୁଦ୍ର ଶିଳ୍ପ ପାଇଁ ବିଶେଷ ରିହାତି ସହ ୟୁନିଟ ପିଛା ମୂଲ୍ୟ ୨ଟଙ୍କା ୬୦ପଇସା ଟାରିଫ୍ ଓଡିଶାରେ ଲାଗୁ କରିବା ପାଇଁ ଶ୍ରୀ ମହାପାତ୍ର ଦାବି କରିଛନ୍ତି ।

ଲକ୍‌ଡାଉନ ସମୟରେ ବିଦ୍ୟୁତ କିଣିବା ପାଇଁ ଓଡିଶାର ବିଦ୍ୟୁତ ବିତରଣ କମ୍ପାନୀ (ଡିସକମ) ଗୁଡିକୁ ଶକ୍ତି ମନ୍ତ୍ରଣାଳୟର ରାଷ୍ଟ୍ରାୟତ ଉଦ୍ୟୋଗ ଦ୍ୱାରା ଦିଆଯାଇଥିବା ୮୪କୋଟି ଟଙ୍କାର ରିହାତି ଦିଆଯାଇଛି । ରାଜ୍ୟର ବିଦ୍ୟୁତ ବିତରଣ କମ୍ପାନି ଗୁଡିକୁ କେନ୍ଦ୍ରୀୟ ରାଷ୍ଟ୍ରାୟତ ଉଦ୍ୟୋଗ ଅଧୀନରେ ଥିବା ଏନଏଚପିସି ୩.୭୮କୋଟି, ଏନଟିପିସି ୫୬.୮କୋଟି ଏବଂ ପିଜିସିଆଇଏଲ ପକ୍ଷରୁ ୨୪.୩୫କୋଟି ରିହାତି ଦିଆଯାଇଛି ।

କରୋନା ସମୟରେ ଉପଭୋକ୍ତା ମାନଙ୍କ ପାଇଁ ନିରନ୍ତର ବିଦ୍ୟୁତ ସରବରାହ ହୋଇପାରିବା ଲକ୍ଷ୍ୟରେ ଏହି ଆର୍ଥିକ ରିହାତି ଦିଆଯାଇଛି । ବିଦ୍ୟୁତ ବିତରଣ କମ୍ପାନୀ (ଡିସକମ) ପ୍ରଦାନ କରାଯାଇଥିବା ତଥ୍ୟରୁ ଜଣାପଡିଛି ଯେ ରାଜ୍ୟର ଚାରୋଟି ବିଦ୍ୟୁତ ବିତରଣ କମ୍ପାନୀ ଉପରେ ୫୪୧.୧୧ଟଙ୍କା ବକେୟା ଅଛି । ସେଥି ମଧ୍ୟରୁ ଟିପିସିଓଡିଏଲ ଉପରେ ୧୬୫.୫୫, ଟିପିଏସଓଡିଏଲ୍ ଉପରେ ୧୧.୫୩, ଟିପିଡବ୍‌ଲ୍ୟୁଓଡିଏଲ ଉପରେ ୧୪୦.୨୪ ଏବଂ ନେସ୍କୋ ଉପରେ ୨୨୩.୭୯କୋଟି କୋଟି ବକେୟା ରହିଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।

ଫନି ବାତ୍ୟା ସମୟରେ ସ୍ପେଶାଲ ରିଲିଫ୍ କମିଶନରଙ୍କ ଅଫିସରୁ ଶକ୍ତି ବିଭାଗକୁ ପାୱାର ସପ୍ଲାଏ ରିଷ୍ଟୋର କରିବା ପାଇଁ ୭୨୮ କୋଟି ଦିଆଯାଇଥିଲା । କିନ୍ତୁ ଶକ୍ତି ବିଭାଗ ମୋଟ ୭୦୧କୋଟି ବିଦ୍ୟୁତ୍ ବିତରଣ କମ୍ପାନୀ ମାନଙ୍କୁ ରିଲିଜ୍ କରିଥିଲେ । ସେଥିମଧ୍ୟରୁ ନେସ୍କୋ ୩୪୩କୋଟି ଖର୍ଚ୍ଚର ବିବରଣୀ ଶକ୍ତି ବିଭାଗକୁ ପ୍ରଦାନ କରିଥିବା ବେଳେ ଟିପିଡବ୍ଲୁଓଡିଏଲ ଓ ନେସ୍କୋ ବଳକା ଅର୍ଥ ଶକ୍ତି ବିଭାଗକୁ ଫେରାଇ ନାହାଁନ୍ତି ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।