Home Election ବିଜେଡିର ମେୟର ପ୍ରାର୍ଥୀ

ବିଜେଡିର ମେୟର ପ୍ରାର୍ଥୀ

ଭୁବନେଶ୍ୱର : ରାଜ୍ୟର ତିନି ମହାନଗର ନିଗମ ପାଇଁ ବିଜୁ ଜନତା ଦଳ ଆଜି ତାହାର ମେୟର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ଭୁବନେଶ୍ୱର ମହାନଗର ନିଗମ ପାଇଁ ସୁଲୋଚନା ଦାସଙ୍କ ନାମରେ ମୋହର ବାଜିଥିବାବେଳେ କଟକ ପାଇଁ ସୁବାସ ସିଂହ ଓ ବ୍ରହ୍ମପୁର ପାଇଁ ସଂଘମିତ୍ରା ଦଳେଇଙ୍କୁ ଦଳ ପ୍ରାର୍ଥୀ କରିଛି ।

ଭୁବନେଶ୍ୱର ମହାନଗର ନିଗମ ପାଇଁ ପ୍ରାର୍ଥୀ ହୋଇଥିବା ସୁଲୋଚନା ଦାସ ବର୍ତ୍ତମାନ ଭିନ୍ନକ୍ଷମ କମିଶନର ଅଧ୍ୟକ୍ଷା ଦାୟିତ୍ୱ ତୁଲାଉଥିବାବେଳେ ସୁବାସ ସିଂହ ରାଜ୍ୟସଭା ସାଂସଦ ଅଛନ୍ତି ।

ତେବେ ଉଭୟଙ୍କର ସାମଞ୍ଜସ୍ୟ ହେଉଛି ଯେ ସେମାନେ ଅନ୍ୟ ଦଳରୁ ଆସି ଅତୀତରେ ବିଜେଡିରେ ମିଶିଛନ୍ତି । ଶ୍ରୀମତୀ ଦାସ ସାମ୍ବାଦିକତାରୁ ରାଜନୀତିକୁ ଆସି ପ୍ରଥମେ କଂଗ୍ରେସ ଦଳରେ ଯୋଗ ଦେଇଥିଲେ । ଏହାପରେ ବିଜେଡିରେ ମିଶି ଭିନ୍ନକ୍ଷମ କମିଶନ ଅଧ୍ୟକ୍ଷା ହୋଇଛନ୍ତି । ସେହିଭଳି ବାମପନ୍ଥୀ ରାଜନୀତିରୁ ରାଜନୈତିକ ଜୀବନ ଆରମ୍ଭ କରିଥିବା ଶ୍ରୀ ସିଂହ ବିଜେଡିରେ ଯୋଗଦେବା ପରେ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି ।

ସାମ୍ବାଦିକତା ବୃତ୍ତି ସମୟରୁ ଶ୍ରୀମତୀ ଦାସ ରାଜଧାନୀର ଗଳିକନ୍ଦି ସହିତ ଓତଃପ୍ରୋତ ଭାବେ ଜଡିତ ଥିବାବେଳେ ଶ୍ରୀ ସିଂହ ବାମପନ୍ଥୀ ନେତା ଭାବେ କଟକରେ ଚଳାଇଥିବା ବିଭିନ୍ନ ଆନ୍ଦୋଳନକୁ ସହରବାସୀ ଏବେ ବି ଭୁଲି ନାହାନ୍ତି ।

ଇତି ମଧ୍ୟରେ କଂଗ୍ରେସ ଭୁବନେଶ୍ୱର ପାଇଁ ମଧୁସ୍ମିତା ଆଚାର୍ଯ୍ୟ ଓ କଟକ ପାଇଁ ଗିରିବାଳା ବେହେରାଙ୍କ ନାମ ମେୟର ପଦବୀ ସକାଶେ ଘୋଷଣା କରି ସାରିଛି । ସମସ୍ତଙ୍କ ନଜର ଏବେ ବିଜେପି ପ୍ରାର୍ଥୀଙ୍କ ଉପରେ ରହିଛି ।