Home General ବିଜୁ ରକ୍ତାକ୍ତ ହୋଇଥିଲେ କାହିଁକି ?

ବିଜୁ ରକ୍ତାକ୍ତ ହୋଇଥିଲେ କାହିଁକି ?

ଭୁବନେଶ୍ୱର : ବିଜୁ ପଟ୍ଟନାୟକଙ୍କ ରକ୍ତରେ କଳାହାଣ୍ଡି ମାଟି ଭିଜିଥିବା ପ୍ରସଙ୍ଗ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉତ୍‍ଥାପନ କରିବା ପରେ ୯୦ ଦଶକର ଏହି ଘଟଣା ସମ୍ପର୍କରେ ଜାଣିବା ଲାଗି ବିଭିନ୍ନ ମହଲରେ ଉତ୍ସୁକତା ପ୍ରକାଶ ପାଇଛି । ସେତେବେଳେ ମୁଖ୍ୟମନ୍ତ୍ରୀ ଥିବା ବିଜୁ ପଟ୍ଟନାୟକଙ୍କ ଉପରେ କାହିଁକି ଆକ୍ରମଣ କରାଯାଇଥିଲଶ ଓ ଏହା ଉପରେ ତାଙ୍କର କ’ଣ ପ୍ରତିକ୍ରିୟା ଥିଲା ତାହା ଇତିହାସର ଦସ୍ତାବିଜ୍‍ ହୋଇ ରହିଛି ।

ବିଜୁ ବାବୁଙ୍କ ସରକାର ସମୟରେ ରାଜ୍ୟର ଜିଲ୍ଲା ସଂଖ୍ୟା ୧୩ରୁ ୩୦କୁ ବଢ଼ାଇବା କ୍ଷେତ୍ରରେ ପ୍ରମୁଖ ଭୂମିକା ନିଭାଇଥିବା ତତ୍କାଳୀନ ରାଜସ୍ୱ ମନ୍ତ୍ରୀ ସୁରେନ୍ଦ୍ର ନାଥ ନାୟକ କୁହନ୍ତି ଯେ ବିଜୁବାବୁ କଳାହାଣ୍ଡି ଗସ୍ତରେ ନବେ ଦଶକରେ ଯିବାବେଳେ ଜଣେ ଉଦ୍‍ଭ୍ରାନ୍ତ ଯୁବକର ଟେକାମାଡ଼ରେ ରକ୍ତାକ୍ତ ହୋଇଥିଲେ । ଏ ଖବର ପାଇ ଶ୍ରୀ ନାୟକଙ୍କ ସମେତ ଆଉ କିଛି ମନ୍ତ୍ରୀ ଭୁବନେଶ୍ୱରରୁ ଭବାନୀପାଟଣା ଯିବାକୁ ବାହାରିଥିବା ବେଳେ ବିଜୁବାବୁ ରୋକ୍‍ଠୋକ୍‍ ଭାବେ କହିଥିଲେ ଯେ ସେ ଭଲ ଅଛନ୍ତି ଓ ଆଉ କେହି ତାଙ୍କ ପାଖକୁ ଭୁବନେଶ୍ୱରରୁ ଯିବା ଦରକାର ନାହିଁ । ରକ୍ତାକ୍ତ ହେବା ସତ୍ତ୍ୱେ ବି ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମରେ ବିଜୁବାବୁ ଅଂଶଗ୍ରହଣ କରିଥିଲେ ।

ସେତେବେଳେ ଭବାନୀପାଟଣା ସର୍କିଟ୍‍ ହାଉସ୍‍ରେ ଉପସ୍ଥିତ ଥିବା ସେତେବେଳର ସର୍ବୋଦୟ ରିଲିଫ୍‍ କମିଟିର ସମ୍ପାଦକ ପ୍ରହଲାଦ ସିଂହ କୁହନ୍ତି ଯେ ତାଙ୍କୁ ଟେକାମାରି ରକ୍ତାକ୍ତ କରିଥିବା ଯୁବକକୁ ପୁଲିସ ଧରିଥିଲା ଏବଂ ତାକୁ ଦେଖିବା ପାଇଁ ବିଜୁବାବୁ ଚାହିଁବାରୁ ତାକୁ ସର୍କିଟ୍‍ ହାଉସ୍‍କୁ ଅଣାଯାଇଥିଲା । ବିଜୁବାବୁ ତାକୁ ପଚାରିଥିଲେ, ‘ମୁଁ ତୋର କ’ଣ କ୍ଷତି କରିଥିଲି ଯେ ତୁ ମୋତେ ପଥର ମାରି ରକ୍ତାକ୍ତ କଲୁ?’ ସେହି ଯୁବକଟି ଉତ୍ତର ଦେଇଥିଲା ଯେ ବ୍ୟକ୍ତିଗତ ଭାବେ ତାଙ୍କୁ ଆଘାତ ପହଞ୍ଚାଇବା ପାଇଁ ତା’ର କିଛି ଉଦ୍ଦେଶ୍ୟ ନ ଥିଲା । ତେବେ ଅନ୍ୟମାନଙ୍କ ପ୍ରରୋଚନାରେ କେଇଟା ଟଙ୍କା ନେଇ ସଭା ଭଣ୍ଡୁର କରିବା ପାଇଁ ସେ ଟେକା ମାରିଥିଲା । ଏଥିରେ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ରାଗିବା ପରିବର୍ତ୍ତେ ହସି ହସି ତାକୁ ଓଲଟା ଦୁଇଶହ ଟଙ୍କା ଦେଇ ଆଉ ଏଭଳି କାହା ପ୍ରତି ନ କରିବାକୁ ତାଗିଦ୍‍ କରିବା ସଙ୍ଗେ ସଙ୍ଗେ ପରିଶ୍ରମ କରି ବଞ୍ଚିବାକୁ ପରାମର୍ଶ ଦେଇଥିଲେ ଏବଂ ତା’ ନାଁରେ ମୋକଦ୍ଦମା ନ କରି ଛାଡ଼ି ଦେବାକୁ ପୁଲିସକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ ।

ଅଶୀ ଦଶକରେ ଅବିଭକ୍ତ କଳାହାଣ୍ଡିରେ ଅଦ୍ଭୂତପୂର୍ବ ମରୁଡ଼ି ଯୋଗୁ ଅନାହାର ମୃତ୍ୟୁ, ଶିଶୁ ଓ ଝିଅ ବିକ୍ରି, ଦାଦନ ଚାଲାଣ ଭଳି ଅନେକ ଅଘଟଣ ଘଟୁଥିଲା । ଏକ ଜନସ୍ୱାର୍ଥ ମାମଲାରେ ଓଡ଼ିଶା ହାଇକୋର୍ଟର ତଦାନୀନ୍ତନ ମୁଖ୍ୟ ବିଚାରପତି ବି.ଏଲ୍‍ ହଂସାରିଆ ଅବସରପ୍ରାପ୍ତ ଜିଲ୍ଲା ଜଜ୍‍ ବୈଦ୍ୟନାଥ ମିଶ୍ରଙ୍କ ଦ୍ୱାରା କମିଶନ ବସାଇ ନିର୍ଦ୍ଦିଷ୍ଟ ଅଭିଯୋଗର ତଦନ୍ତ କରାଇବା ପରେ ଅନାହାର ମୃତ୍ୟୁକୁ ସ୍ୱକାର କରି ବିପନ୍ନ ପରିବାରକୁ ୨୫ହଜାର ଟଙ୍କାକରି ଅନୁକମ୍ପାମୂଳକ ସହାୟତା ଦେବାକୁ ନିର୍ଦ୍ଦେଶ ଦେଇଥିଲେ ।

ଏହା ବିରୁଦ୍ଧରେ ରାଜ୍ୟ ସରକାର ସୁପ୍ରିମ୍‍କୋର୍ଟକୁ ଯିବା ପାଇଁ ନିଷ୍ପତ୍ତି ନେଇଥିବା ବେଳେ ବରିଷ୍ଠ ସର୍ବୋଦୟ ନେତା ମନମୋହନ ଚୌଧୁରୀ ତାହାର ପ୍ରତିବାଦ କରିବାରେ ବିଜୁବାବୁ ତାଙ୍କ ସହ ଆଲୋଚନା କରି ସରକାରୀ ନିଷ୍ପତ୍ତି ବଦଳାଇଥିଲେ । ହାଇକୋର୍ଟଙ୍କ ରାୟ ଅନୁଯାୟୀ ଚିହ୍ନଟ ୬ଟି ଅନାହାର ମୃତ୍ୟୁ ଘଟଣାରେ ପରିବାର ପିଛା ସରକାରୀ ତହବିଲରୁ ୨୫ହଜାର ଟଙ୍କାକରି ଅନୁକମ୍ପା ରାଶି ସହ ଇନ୍ଦିରା ଆବାସ ଘର ଓ ନିଜେ ବ୍ୟକ୍ତିଗତ ଭାବେ ଆଉ ୨୫ହଜାର ଟଙ୍କାକରି ଦେବାକୁ ଘୋଷଣା କରିଥିଲେ । ଘୋଷଣା ମୁତାବକ ସହାୟତା ଓ ଘର ଯୋଗାଇବା ବିଜୁବାବୁଙ୍କ କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମରେ ଥିବା ବେଳେ ଏହାକୁ ଭଣ୍ଡୁର କରିବା ଲାଗି ସେତେବେଳେ ତାଙ୍କ ଉପରେ ଟେକାମାଡ଼ ହୋଇଥିଲା । (ତଥ୍ୟ)