Home Energy ବିଜୁଳି ସଙ୍କଟ ବେଳେ ଡିଇସି ବୈଠକ ବସୁନି

ବିଜୁଳି ସଙ୍କଟ ବେଳେ ଡିଇସି ବୈଠକ ବସୁନି

ଭୁବନେଶ୍ୱର : ସମଗ୍ର ରାଜ୍ୟରେ ଗୁରୁତର ବିଜୁଳି ସଙ୍କଟ ପରିଲକ୍ଷିତ ହୋଇଥିବାବେଳେ ଜିଲ୍ଲା ସ୍ତରରେ ଥିବା ଜିଲ୍ଲା ବିଦ୍ୟୁତ କମିଟି (ଡିଇସି) ବୈଠକ ବସୁନି । ତୁରନ୍ତ ଏହି ବୈଠକ ଡାକିବାକୁ ରାଜ୍ୟ ସରକାର ଜିଲ୍ଲାପାଳମାନଙ୍କୁ କହିଛନ୍ତି ।

ଶକ୍ତି ବିଭାଗର ଅତିରିକ୍ତ ସଚିବ ସମ୍ବିତ ପରିଜା ଏହି ମର୍ମରେ ଜିଲ୍ଲାପାଳମାନଙ୍କ ପତ୍ର ଲେଖିଛନ୍ତି । ୨୦୨୧ ମସିହାରେ ଶକ୍ତି ବିଭାଗ ପକ୍ଷରୁ ଜିଲ୍ଲାର ବରିଷ୍ଠ ସାଂସଦଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ବିଦ୍ୟୁତ୍‍ କମିଟି (ଡିଇସି) ପୁର୍ନଗଠନ କରିବା ସହିତ ଜିଲ୍ଲାରେ ସାମଗ୍ରିକ ବିଜୁଳି ଯୋଗାଣ ପାଇଁ ଥିବା ଭିତ୍ତିଭୂମି ଏବଂ ସରକାରଙ୍କ ବିଭିନ୍ନ ଯୋଜନାରେ ସଂକ୍ରାନ୍ତରେ ସମୀକ୍ଷା କରିବାକୁ କୁହାଯାଇଥିଲା । ଏହି କମିଟିରେ ଜିଲ୍ଲାପାଳ ସଦସ୍ୟ ସଚିବ ଥିବାବେଳେ ବିଦ୍ୟୁତ୍‍ ବଣ୍ଟନକାରୀ କମ୍ପାନୀର ମୁଖ୍ୟଯନ୍ତ୍ରୀ ଓ ଅଧୀକ୍ଷଣ ଯନ୍ତ୍ର ସଂଯୋଜକ ଭାବେ ରହିଛନ୍ତି ।

ଗତବର୍ଷ ନଭେମ୍ବର ୨୯ତାରିଖରେ ଜାରି ବିଜ୍ଞପ୍ତିରେ ସ୍ପଷ୍ଟଭାବେ କୁହାଯାଇଥିଲା ଯେ ସଦସ୍ୟ ସଚିବ ଏବଂ ସଂଯୋଜକ ନିୟମିତ ବ୍ୟବଧାନରେ ବୈଠକ ଆହୂତ କରିବା ସହିତ ମୌଳିକ ପ୍ରସଙ୍ଗ ଉପରେ ଆଲୋଚନା କରିବେ । ତେବେ କୌଣସି ଜିଲ୍ଲାରୁ ବିଦ୍ୟୁତ୍‍ କମିଟି ବୈଠକର କିଛି ବି ବିବରଣୀ ଶକ୍ତି ବିଭାଗର ହସ୍ତଗତ ହୋଇନାହିଁ ।

ଶକ୍ତି ବିଭାଗ ଲେଖିଥିବା ପତ୍ରରେ ଦର୍ଶାଯାଇଛି ଯେ ବିଭିନ୍ନ ଜିଲ୍ଲାରେ ସାଂସଦ କିମ୍ବା ବିଧାୟକ, ଯିଏ କି କମିଟିର ଅଧ୍ୟକ୍ଷ ରହିଛନ୍ତି, ସେମାନେ କମିଟି ଗଠନ ସଂକ୍ରାନ୍ତରେ ପ୍ରାୟତଃ କିଛି ଜାଣନ୍ତି ନାହିଁ । ତେବେ ଏ ନେଇ ଜିଲ୍ଲା ସ୍ତରରେ କୌଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ କି କମିଟିର ପୁର୍ନଗଠନ ସଂକ୍ରାନ୍ତରେ ଅଧ୍ୟକ୍ଷଙ୍କୁ କୌଣସି ସୂଚନା ଦିଆଯାଉନାହିଁ ।

ଶକ୍ତି ବିଭାଗ ପକ୍ଷରୁ କୁହାଯାଇଛି ଯେ ଡିଇସିର ବୈଠକ ନିୟମିତ ଭାବେ ବସୁନଥିବାରୁ ଯେଉଁ ଉଦ୍ଦେଶ୍ୟ ନେଇ ଏହା ଗଠନ ହୋଇଥିଲା ତାହା ପୂରଣ ହୋଇପାରୁ ନାହିଁ । ତେଣୁ ତୁରନ୍ତ ପଦକ୍ଷେପ ଗ୍ରହଣ କରି ଡିଇସିର ପୁର୍ନଗଠନ ସହିତ ବୈଠକ ଆହୂତ ଲାଗି ଶକ୍ତି ବିଭାଗ ପକ୍ଷରୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି । ଫଳରେ ବିଜୁଳି ସଙ୍କଟ ସମୟରେ ବିତରଣ ଭିତ୍ତିଭୂମି ସହିତ ସରକାରଙ୍କ ବିଭିନ୍ନ ଯୋଜନା ସଂକ୍ରାନ୍ତରେ ସମୀକ୍ଷା କରି ତାଙ୍କର ମତାମତ ପ୍ରଦାନ କରିବେ । (ତଥ୍ୟ)