Home Energy ବିଜୁଳି ଦର ବୃଦ୍ଧି ପାଇଁ ଘେରିଲା ବିଜେପି

ବିଜୁଳି ଦର ବୃଦ୍ଧି ପାଇଁ ଘେରିଲା ବିଜେପି

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ଅହେତୁକ ବିଦ୍ୟୁତ ଶୁଳ୍କ ବୃଦ୍ଧି, ଅଘୋଷିତ ବିଜୁଳି କାଟ୍ ଏବଂ ଲୋ ଭୋଲଟେଜ ପ୍ରତିବାଦରେ ଜିଲ୍ଲା ସଭାପତି ବାବୁ ସିଂଙ୍କ ନେତୃତ୍ୱରେ ଭୂବନେଶ୍ୱର ସାଂଗଠନିକ ଜିଲ୍ଲା ବିଜେପି ତରଫରୁ ବିକ୍ଷୋଭ ପ୍ରଦର୍ଶନ ସହ ଆଜି ବିଧାନସଭା ଘେରାଓ କରାଯାଇଥିଲା ।

ହଜାର ହଜାର ବିଜେପି କାର୍ଯ୍ୟକର୍ତା ଆଜି ମାଷ୍ଟ କ୍ୟାଂଟିନ ଛକରୁ ଶାନ୍ତିପୂର୍ଣ୍ଣ ଭାବେ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ବିଧାନସଭା ଅଭିମୁଖେ ଯାଉଥିବାବେଳେ ପୋଲିସ ଅଟକାଇଥିଲା । ପୋଲିସ ସହ ଧସ୍ତାଧସ୍ତିରେ ବହୁ କାର୍ଯ୍ୟକର୍ତା ଓ ମହିଳା କାର୍ଯ୍ୟକର୍ତା ଆହତ ହୋଇଛନ୍ତି ।

ମହାମାରୀ କରୋନା ସଂକ୍ରମଣ କାରଣରୁ ସାଧାରଣ ଜନତାଙ୍କ ଜୀବନ ଜୀବିକା ବହୁ ପ୍ରଭାବିତ ହୋଇଛି । କରୋନା ସମୟରେ ସାଧାରଣ ଜନତା ପେଟ ପାଇଁ ଚିନ୍ତା କରୁଥିବାବେଳେ ରାଜ୍ୟ ସରକାର ସେମାନଙ୍କୁ ବିଜୁଳି ଝଟକା ଦେଉଛନ୍ତି । ଗତ ୬ ମାସରେ ବିଜୁଳି ଶୁଳ୍କ ୟୁନିଟ ପିଛା ୫୦ ପଇସା ଦର ବୃଦ୍ଧି କରି ରାଜ୍ୟ ସରକାର ସାଧାରଣ ଜନତାଙ୍କ ବୋଝ ଉପରେ ନଳିତା ବିଡା ଲଦି ଦେଇଛନ୍ତି ।

ନିଜ ସ୍ୱତନ୍ତ୍ରତା ହରାଇଥିବା ଓଇଆରସି ଜରିଆରେ ରାଜ୍ୟ ସରକାର ବୃଦ୍ଧି କରିଥିବା ବିଦ୍ୟୁତ ଦର କୌଣସି ପରିସ୍ଥିତିରେ ଗ୍ରହଣୀୟ ନୁହେଁ । ବରଂ ଏହା କରି ରାଜ୍ୟ ସରକାର ସାଧାରଣ ଜନତାଙ୍କୁ ପ୍ରତ୍ୟକ୍ଷ ଭାବେ ଶୋଷଣ କରୁଛନ୍ତି । ରାଜ୍ୟ ସରକାର ଏବଂ ଓଇଆରସି ମଧ୍ୟରେ ମଧୁଚନ୍ଦ୍ରିକା ଚାଲିଥିବାରୁ ବିଦ୍ୟୁତ ଦର ବୃଦ୍ଧି ନେଇ ରାଜ୍ୟ ସରକାର କୌଣସି ପଦକ୍ଷେପ ଗ୍ରହଣ କରୁନାହାଁନ୍ତି ।

ରାଜ୍ୟ ସରକାରଙ୍କ ତ୍ରୁଟିପୂର୍ଣ୍ଣ ନୀତି ପାଇଁ ୯୨ ଲକ୍ଷ ବିଦ୍ୟୁତ ଉପଭୋକ୍ତା ଏବେ କଷ୍ଟରେ ଅଛନ୍ତି । ବିଧାନସଭାର ପବିତ୍ର ଗୃହରେ ବିଭାଗୀୟ ମନ୍ତ୍ରୀ ବିଦ୍ୟୁତ ଦର ବୃଦ୍ଧି ଉପରେ ପୁର୍ନବିଚାର କରିବା ପାଇଁ ଓଇଆରସିକୁ ଚିଠି ଲେଖିବେ ବୋଲି ପ୍ରତିଶୃତି ଦେଇଥିଲେ ସୁଦ୍ଧା ୬ ମାସ ବିତିଗଲାଣି, କିନ୍ତୁ ଶକ୍ତିମନ୍ତ୍ରୀ ଏପର୍ଯ୍ୟନ୍ତ ଚିଠି ଖଣ୍ଡେ କାହିଁକି ଲେଖି ନାହାନ୍ତି ? ରାଜ୍ୟ ଶକ୍ତିମନ୍ତ୍ରୀ ଏତେ ଅସହାୟ କାହିଁକି ବୋଲି ପ୍ରଶ୍ନ ପଚାରିବା ସହ ରାଜ୍ୟ ସରକାର ଘରୋଇ କମ୍ପାନୀ ପ୍ରୀତି ଛାଡି ବର୍ଦ୍ଧିତ ବିଦ୍ୟୁତ ଶୁଳ୍କକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ଶ୍ରୀ ସିଂ ଦାବି କରିଛନ୍ତି ।

ରାଜ୍ୟ ସରକାରଙ୍କ ବିଜୁଳି କମ୍ପାନୀ ସହିତ କୈାଣସି ମଧୁଚନ୍ଦ୍ରିକାକୁ ଆଦୈା ବରଦାସ୍ତ କରାଯିବନାହିଁ । ଏହା ବିରୋଧରେ ଆଗାମୀ ଦିନରେ ବିଜେପି ସତ୍ୟାଗ୍ରହ କରିବ । ତେଣୁ ଲୋକଙ୍କ ଉପରେ ଆର୍ଥୀକ ବୋଝ ମୁକ୍ତ କରିବା ପାଇଁ ବିଜୁଳି ଶୁଳ୍କ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିବାକୁ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ରାଜ୍ୟ ମୁଖପାତ୍ର ଦିଲୀପ ମହାନ୍ତି ଏହି ଅବସରରେ ଦାବୀ ଜଣାଇଛନ୍ତି ।