Home Finance ବିକ୍ରିକର ଆଇନ୍‍ ସଂଶୋଧନରୁ ଓଡିଶାର ଲାଭ

ବିକ୍ରିକର ଆଇନ୍‍ ସଂଶୋଧନରୁ ଓଡିଶାର ଲାଭ

ଭୁବନେଶ୍ୱର : କେନ୍ଦ୍ରୀୟ ବିକ୍ରିକର ଆଇନ୍‍ରେ ସଂଶୋଧନ ଆସିବା ପରେ ଓଡ଼ିଶା ବର୍ଷକୁ ୫୦୦ କୋଟି ଟଙ୍କାରୁ ଅଧିକ ରାଜସ୍ୱ ପାଇବ ।

କେନ୍ଦ୍ର ସରକାର ଜିଏସ୍‍ଟି ଆଇନ୍‍କୁ ଲାଗୁ କରିବାପାଇଁ ୨୦୧୬ ମସିହାରେ ପ୍ରସ୍ତାବ ଆଣିଥିଲେ । ତଦନୁଯାୟୀ ୨୦୧୭ ରେ କେନ୍ଦ୍ରୀୟ ବିକ୍ରିକର ଆଇନ୍‍ରେ ସଂଶୋଧନ ହୋଇଥିଲା । ଏହି ନୂତନ ବ୍ୟବସ୍ଥାରେ କେତେକ ଦ୍ରବ୍ୟ ପାଇଁ ବ୍ୟବସ୍ଥା ରହିଲା । ଏହି ଦ୍ରବ୍ୟଗୁଡିକ ମଧ୍ୟରେ ଅଶୋଧିତ ତୈଳ, ହାଇସ୍ପିଡ ଡିଜେଲ, ପ୍ରାକୃତିକ ଗ୍ୟାସ, ପେଟ୍ରୋଲ, ବିମାନ ଇନ୍ଧନ ଓ ମଦ ଆଦିକୁ ସାମିଲ କରାଗଲା । ଏହି ସାମଗ୍ରୀ ଅନ୍ୟ ରାଜ୍ୟରୁ ଖରିଦ କରାଯାଇ ଆମ ରାଜ୍ୟରେ ବ୍ୟବହାର କରିବାକୁ ହେଲେ ଫର୍ମ-ସି ର ଆବଶ୍ୟକତା ପଡିଲା ।

ଏହି ବ୍ୟବସ୍ଥାରୁ ଫାଇଦା ଉଠାଇ କେତେକ ଖଣି ମାଲିକ ଓ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଠିକାଦାରମାନେ ବ୍ୟବସ୍ଥାର ଅପବ୍ୟବହାର କଲେ । ଯାହା ଫଳରେ ଓଡିଶା ମୂଲ୍ୟ ଯୁକ୍ତ ଟିକସ (ଭାଟ୍‍) ବାବଦରେ ବାର୍ଷିକ ପ୍ରାୟ ୫୦୦ କୋଟି ଟଙ୍କା ହରାଇଲା । ଏଥିପାଇଁ ରାଜ୍ୟ ସରକାର କେନ୍ଦ୍ରୀୟ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କଲେ ।

ନିକଟରେ ଓଡ଼ିଶାର ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଏ ପ୍ରସଙ୍ଗରେ କେନ୍ଦ୍ର ଅର୍ଥ ତଥା କର୍ପୋରେଟ୍‍ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖି କେନ୍ଦ୍ରୀୟ ବିକ୍ରି କର ଆଇନ୍‍ର ଧାରା-୮ ଓ ତାହାର ଉପଧାରା-୩ରେ ସଂଶୋଧନ ଆଣିବାକୁ ଅନୁରୋଧ କରିଥିଲେ । ରାଜସ୍ୱ ବୃଦ୍ଧି ପ୍ରସଙ୍ଗକୁ ଆଖି ଆଗରେ ରଖି କେନ୍ଦ୍ର ଅର୍ଥମନ୍ତ୍ରୀ କେନ୍ଦ୍ରୀୟ ବିକ୍ରିକର ଆଇନ୍‍-୧୯୫୬ରେ ସଂଶୋଧନ ଆଣିଛନ୍ତି ।

କେନ୍ଦ୍ର ଅର୍ଥମନ୍ତ୍ରୀ ଅର୍ଥ ବିଲ୍‍ରେ ଏହି ସଂଶୋଧନକୁ କାର୍ଯ୍ୟକାରୀ କରିବା ଫଳରେ ଓଡିଶା ବିଶେଷ ଲାଭାନ୍ୱିତ ହେବ । ରାଜ୍ୟ ସରକାର ନିଜର ରାଜସ୍ୱ ସମ୍ବଳ ବୃଦ୍ଧି କରିବାପାଇଁ ଯେଉଁ ପଦକ୍ଷେପ ନେଉଛନ୍ତି ଏହି ସଂଶୋଧନ ବିଶେଷ ସହାୟକ ହେବ ବୋଲି ବରିଷ୍ଠ ଅଧିକାରୀମାନେ ମତପ୍ରକାଶ କରିଛନ୍ତି । (ତଥ୍ୟ)