Home Election ବିଏମ୍‍ସିରେ ବଢିଛନ୍ତି ସର୍ବାଧିକ ଭୋଟର

ବିଏମ୍‍ସିରେ ବଢିଛନ୍ତି ସର୍ବାଧିକ ଭୋଟର

ଭୁବନେଶ୍ୱର : ପୌର ନିର୍ବାଚନ ହେଉଥିବା ରାଜ୍ୟର ତିନି ମହାନଗର ନିଗମ ମଧ୍ୟରୁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‍ସି) ଅଞ୍ଚଳର ଭୋଟରଙ୍କ ସଂଖ୍ୟା ୮୩ହଜାରରୁ ଅଧିକ ବୃଦ୍ଧି ପାଇଥିବାବେଳେ ବ୍ରହ୍ମପୁର ମହାନଗର ନିଗମରେ ଏହା ୨୭ହଜାରରୁ ଅଧିକ ରହିଛି । ରାଜ୍ୟର ଅନେକ ପୌରପାଳିକାଗୁଡିକରେ ଭୋଟରଙ୍କ ସଂଖ୍ୟା ପୂର୍ବ ନିର୍ବାଚନ ତୁଳନାରେ ସେଭଳି ଆଖିଦୃଶିଆ ବୃଦ୍ଧି ପାଇନାହିଁ ।

୨୦୧୩ ମସିହାରେ ଶେଷଥର ପାଇଁ ହୋଇଥିବା ପୌର ନିର୍ବାଚନ ସମୟରେ ଭୁବନେଶ୍ୱର ପୌରପାଳିକା ଇଲାକାରେ ୬,୪୨,୩୯୩ ଜଣ ଭୋଟର ଥିବାବେଳେ ଚଳିତ ନିର୍ବାଚନ ବେଳକୁ ତାହା ୭,୨୫,୭୬୫କୁ ବୃଦ୍ଧି ପାଇଛି । ଅର୍ଥାତ୍‍ ଏହି ସମୟ ମଧ୍ୟରେ ବିଏମ୍‍ସି ଇଲକାରେ ୮୩,୩୬୩ ଜଣ ଭୋଟର ବଢିଛନ୍ତି । ସେହିଭଳି କଟକ ମହାନଗର ନିଗମ ଅଞ୍ଚଳରେ ଭୋଟରଙ୍କ ସଂଖ୍ୟା ୩,୬୪,୫୬୪ରୁ ବୃଦ୍ଧି ପାଇ ୪,୪୫,୮୮୫ରେ ପହଞ୍ଚିଛି । ଅର୍ଥାତ୍‍ ଏଠାରେ ଭୋଟରଙ୍କ ସଂଖ୍ୟା ୮୧,୩୨୧ ବୃଦ୍ଧି ପାଇଛି । ବ୍ରହ୍ମପୁର ମହାନଗର ନିଗମରେ ଭୋଟରଙ୍କ ସଂଖ୍ୟା ୨,୩୨,୫୪୯ ରୁ ବଢି ୨,୫୫,୩୨୬ରେ ପହଞ୍ଚିଛି । ଏହି ମହାନଗର ନିଗମରେ ୨୭,୭୭୭ ଜଣ ଭୋଟର ବଢିଛନ୍ତି ।

ମହାନଗର ନିଗମରେ ଏତେ ସଂଖ୍ୟାରେ ଭୋଟର ବୃଦ୍ଧି ପାଇଥିବାବେଳେ ଅଧିକାଂଶ ମ୍ୟୁନିସିପାଲିଟି ଓ ଏନ୍‍ଏସିରେ କିନ୍ତୁ ଭୋଟରଙ୍କ ବୃଦ୍ଧି ଅତ୍ୟନ୍ତ ନଗଣ୍ୟ ରହିଛି । କେତେକ ପୌରାଞ୍ଚଳରେ ଭୋଟରଙ୍କ ବୃଦ୍ଧି ସଂଖ୍ୟା ୫ଶହ ମଧ୍ୟରେ ରହିଛି ତ ଆଉ କେଉଁଠି ହଜାରେ ମଧ୍ୟରେ ବୃଦ୍ଧି ପାଇଛି । ଗଞ୍ଜାମ ଜିଲ୍ଲାର ସୋରଡା ଏନ୍‍ଏସିରେ ଭୋଟରଙ୍କ ସଂଖ୍ୟା ମାତ୍ର ୨୯୬ ବଢିଥିବାବେଳେ କାମାକ୍ଷାନଗର ଏନଏସିରେ ୫୧୩ଜଣ ଭୋଟର ବଢିଛନ୍ତି ।

ଗଞ୍ଜାମ ଏନ୍‍ଏସିରେ ୬୪୬ ଜଣ ଭୋଟର ବଢିଥିବାବେଳେ ଆଠମଲ୍ଲିକ ଏନ୍‍ଏସିରେ ବୃଦ୍ଧି ପାଇଥିବା ଭୋଟରଙ୍କ ସଂଖ୍ୟା ୬୫୩ଜଣ ବଢିଛନ୍ତି । ବାଙ୍କି ଏନ୍‍ଏସିରେ ୬୭୧ ଜଣ ଭୋଟର ଯୋଡି ହୋଇଥିବାବେଳେ କବିସୂର୍ଯ୍ୟନଗର ଏନ୍‍ଏସିରେ ଏହି ସଂଖ୍ୟା ୮୫୩ ରହିଛି । ସେହିଭଳି ଆସ୍କା ଏନ୍‍ଏସିରେ ୮୦୫ଜଣ ଭୋଟର ବଢିଥିବା ଲକ୍ଷ୍ୟ କରାଯାଇଛି ।

ତେବେ ଆଠଗଡ ଏନ୍‍ଏଏସିରେ ଭୋଟରଙ୍କ ସଂଖ୍ୟା ହ୍ରାସ ପାଇଥିବା ଦେଖିବାକୁ ମିଳିଛି । ଚଳିତ ବର୍ଷ ଜାରି ଭୋଟର ତାଲିକାରେ ଆଠମଲ୍ଲିକ ଏନ୍‍ଏସିରେ ୧୩,୯୩୭ ଜଣ ଭୋଟର ଥିବାବେଳେ ୨୦୧୩ରେ ଭୋଟରଙ୍କ ସଂଖ୍ୟା ୧୪,୨୦୩ ରହିଥିଲା ।

ତେବେ ବାରିପଦା ମ୍ୟୁନିସିପାଲିଟିରେ ୧୨,୩୬୮ ନୂଆ ଭୋଟର ଯୋଡି ହୋଇଥିବାବେଳେ ଭଦ୍ରକ ମ୍ୟୁନିସିପାଲିଟିରେ ୯୯୭୩ ଭୋଟର ଯୋଡି ହୋଇଛନ୍ତି । ବାଲେଶ୍ୱର ମ୍ୟୁନିସିପାଲିଟିରେ ୫୧୫୯, ଢେଙ୍କାନାଳ ମ୍ୟୁନିସିପାଲଟିରେ ୩୬୬୫, ବରଗଡ ମ୍ୟୁନିସିପାଲିଟିରେ ୨୦୯୭, ତାଳଚେର ମ୍ୟୁନିସିପାଲିଟିରେ ୨୮୪୩, ସୋର ମ୍ୟୁନିସିପାଲିଟିରେ ୨୭୯୯ ଏବଂ ଦିଗପହଣ୍ଡି ଏନ୍‍ଏସିରେ ୨୨୮୮ଜଣ ନୂତନ ଭୋଟର ସାମିଲ ହୋଇଛନ୍ତି । (ତଥ୍ୟ)

LEAVE A REPLY

Please enter your comment!
Please enter your name here