Home Industry ବୟନ ପାର୍କ ପ୍ରସ୍ତାବ ଦେଇଛି ଓଡିଶା

ବୟନ ପାର୍କ ପ୍ରସ୍ତାବ ଦେଇଛି ଓଡିଶା

ଭୁବନେଶ୍ୱର : ଗଞ୍ଜାମ ଜିଲ୍ଲାରେ ପିଏମ୍‍ ମେଗା ଇଣ୍ଟିଗ୍ରେଟେଡ ଟେକ୍ସଟାଇଲ୍‍ ରିଜିଅନ ଆଣ୍ଡ ଆପାରେଲ (ପିଏମ୍‍ ମିତ୍ର) ପାର୍କ ପ୍ରତିଷ୍ଠା ଲାଗି ରାଜ୍ୟ ସରକାର କେନ୍ଦ୍ର ନିକଟରେ ପ୍ରସ୍ତାବ ଦାଖଲକରିଛନ୍ତି । ଆଜି ଲୋକସଭାରେ କେନ୍ଦ୍ର ବୟନଶିଳ୍ପ ରାଷ୍ଟ୍ରମନ୍ତ୍ରୀ ଦର୍ଶନା ଜାରଦୋସ ଏହି ସୂଚନା ଦେଇଛନ୍ତି ।

ବିଜେପି ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଭାରତ ସରକାର ଏହିଭଳି ୭ଟି ମେଗା ପାର୍କ ପ୍ରତିଷ୍ଠାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏଗୁଡିକ ମଧ୍ୟରୁ କେତେକ ନୂତନ ଭାବେ ପ୍ରତିଷ୍ଠା ହେବାକୁ ଥିବାବେଳେ ଆଉ କେତେକ ପୁରୁଣା ପାର୍କକୁ ବିକଶିତ କରାଯିବ । ୨୦୨୭-୨୮ ବର୍ଷ ମଧ୍ୟରେ ୪୪୪୫ କୋଟି ଟଙ୍କା ବ୍ୟୟରେ ବିଶ୍ୱସ୍ତରୀୟ ଭିତ୍ତିଭୂମି ସହିତ ଏହି ପାର୍କ ପ୍ରତିଷ୍ଠା ଲାଗି ଲକ୍ଷ୍ୟ ରହିଛି ।

ଏଥିପାଇଁ ମନ୍ତ୍ରାଳୟର ବିଚାର ପାଇଁ ପ୍ରାରମ୍ଭିକ ପ୍ରସ୍ତାବ ପଠାଇବାକୁ ସମସ୍ତ ରାଜ୍ୟ ସରକାରଙ୍କୁ କୁହାଯାଇଥିଲା । ପ୍ରସ୍ତାବ ପଠାଇବାର ଶେଷ ତାରିଖ ଚଳିତ ମାସ ୧୫ତାରିଖକୁ ଧାର୍ଯ୍ୟ ହୋଇଥିଲା । କେନ୍ଦ୍ରମନ୍ତ୍ରୀ ଶ୍ରୀ ଜାରଦୋଶ କହିଛନ୍ତି ଯେ ରାଜ୍ୟ ସରକାରଙ୍କମାନଙ୍କ ଠାରୁ ୧୭ଟି ପ୍ରାରମ୍ଭିକ ପ୍ରସ୍ତାବ ହସ୍ତଗତ ହୋଇଛି । ପ୍ରସ୍ତାବଗୁଡିକର ଅନୁଧ୍ୟାନ ପ୍ରକଳ୍ପ ମଞ୍ଜୁରୀ କମିଟି ଦ୍ୱାରା କରାଯିବ ।

ମଧ୍ୟପ୍ରଦେଶ ସରକାର ତାଙ୍କ ରାଜ୍ୟରେ ଏହିଭଳି ୪ଟି ପାର୍କ ପ୍ରତିଷ୍ଠା ପାଇଁ ପ୍ରସ୍ତାବ ଦେଇଥିବାବେଳେ କର୍ଣ୍ଣାଟକ ପକ୍ଷରୁ ଦୁଇଟି ପାର୍କ ପ୍ରତିଷ୍ଠା ଲାଗି ପ୍ରସ୍ତାବ ଦିଆଯାଇଛି । ଓଡିଶା ସରକାର ଗଞ୍ଜାମ ଜିଲ୍ଲାରେ ମାତ୍ର ଗୋଟିଏ ପିଏମ୍‍ ମିତ୍ର ପାର୍କ ପ୍ରତିଷ୍ଠା ଲାଗି ପ୍ରସ୍ତାବ ପଠାଇଛନ୍ତି ।

ପ୍ରକଳ୍ପ ମଞ୍ଜୁରୀ ପାଇଁ ଥିବା ମାନଦଣ୍ଡ ସଂକ୍ରାନ୍ତରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ପ୍ରକଳ୍ପ ଅଞ୍ଚଳକୁ ଯୋଗାଯୋଗ ଉପରେ ୨୫% ଗୁରୁତ୍ୱ ଦିଆଯିବାକୁ ଥିବାବେଳେ ଉପଲବ୍ଧ ଥିବା ବ୍ୟବସ୍ଥା ପାଇଁ ଆଉ ୨୫% ରହିବ । ପ୍ରକଳ୍ପ ଅଞ୍ଚଳରେ ବିଭିନ୍ନ ସେବାପାଇଁ ୨୦%, ରାଜ୍ୟର ଶିଳ୍ପ ଓ ବୟନଶିଳ୍ପ ନୀତି ପାଇଁ ୨୦% ଏବଂ ୧୦% ପରିବେଶ ଓ ସାମାଜିକ ପ୍ରଭାବ ଆକଳନ ଅନୁଯାୟୀ ପ୍ରଦାନ କରାଯିବ । ତେଣୁ ବର୍ତ୍ତମାନ ସୁଦ୍ଧା କୌଣସି ପିଏମ୍‍ ମିତ୍ର ପାର୍କକୁ ମଞ୍ଜୁରୀ ମିଳିନାହିଁ କିମ୍ବା ଏଥିପାଇଁ କୌଣସି ଅର୍ଥ ମଞ୍ଜୁର ହୋଇନଥିବା ମନ୍ତ୍ରୀ କହିଛନ୍ତି ।

ପିଏମ୍‍ ମିତ୍ର ପାର୍କ ସଂକ୍ରାନ୍ତରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଏହି ପାର୍କଟି ଏକ ବୃହତ୍‍ ଅଞ୍ଚଳରେ ପ୍ରତିଷ୍ଠା ହେବ ଯେଉଁଠାରେ ସମସ୍ତ ପ୍ରକାର ବୟନଶିଳ୍ପ କାର୍ଯ୍ୟକଳାପ ଜାରି ରହିବା ସହିତ ଏଥିସହିତ ଜଡିତ ବ୍ୟବସାୟୀମାନେ ସହଜରେ ସେମାନଙ୍କ କାରବାର କରିପାରିବେ । ପ୍ରତ୍ୟେକ ପାର୍କରେ ପ୍ରତ୍ୟକ୍ଷ ଭାବେ ଏକ ଲକ୍ଷ ଓ ପରୋକ୍ଷ ଭାବେ ୨ଲକ୍ଷ ଲୋକ ଉପକୃତ ହେବେ । ଏଥି ସହିତ ସାମାଜିକ ଭିତ୍ତିଭୂମି ପାଇଁ ମଧ୍ୟ ବ୍ୟବସ୍ଥା ରହିଛି । ମୋଟାମୋଟି ଭାବେ ଏଥି ସହିତ ଜଡିତ ବୁଣାକାର ଏବଂ କାରିଗରମାନଙ୍କ ଆୟ ବୃଦ୍ଧି ସହିତ ସେମାନଙ୍କ ଜୀବନଧାରଣ ମାନରେ ଉନ୍ନତି ଆସିପାରିବ । (ତଥ୍ୟ)