Home General ବିଏମସି ନିଷ୍ପତ୍ତି ପାଇଁ ରାସ୍ତା ଉପରେ ଅଳିଆ

ବିଏମସି ନିଷ୍ପତ୍ତି ପାଇଁ ରାସ୍ତା ଉପରେ ଅଳିଆ

ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମ (ବିଏମ୍‍ସି)ର ‘ଡଷ୍ଟବିନ୍‍ ହଟାଅ’ ନିଷ୍ପତ୍ତି ଏବେ ରାଜଧାନୀବାସୀଙ୍କୁ କାଳ ହୋଇଛି । ଯେଉଁ ଅଳିଆ ଆବର୍ଜନା ଡଷ୍ଟବିନ୍‍ରେ ପଡିବାକଥା ତାହା ରାସ୍ତାଉପରେ ଗଦାହେବା ଫଳରେ କୁକୁର ଓ କାଉମାନେ ତାକୁ ନେଇ ରାସ୍ତାଘାଟରେ ପକାଇ ସହରକୁ ଅପରିଷ୍କାର କରିବାରେ ଲାଗିଛନ୍ତି ।

ରାସ୍ତାପାଶ୍ୱର୍ରେ ଆଉ ଡଷ୍ଟବିନ୍‍ ରହିବନାହିଁ ବୋଲି ବିଏମ୍‍ସି ନିଷ୍ପତ୍ତି ନେବାପରେ ସଫେଇ ଦାୟିତ୍ୱରେ ଥିବା ସଂସ୍ଥାମାନେ ସେମାନଙ୍କର ଡଷ୍ଟବିନ୍‍ ହଟାଇ ନେଇଛନ୍ତି । ଏହାପରେ ଯେଉଁ ଅଳିଆସବୁ ଡଷ୍ଟବିନ୍‍ରେ ପଡୁଥିଲା ତାହାକୁ ସଫେଇ କର୍ମଚାରୀମାନେ ଆଣି ରସ୍ତାକଡରେ ଫିଙ୍ଗି ଦେଉଛନ୍ତି । ପୂର୍ବରୁ ଡଷ୍ଟବିନ୍‍ରେ ଅଳିଆ ପଡୁଥିବାରୁ ତାହା ପବନରେ ଏଣେ ତେଣେ ଉଡୁନଥିଲା କି କୁକୁର ଓ କାଉମାନେ ସହଜରେ ରାସ୍ତାରେ ଆଣି ପକାଉନଥିଲେ । ହେଲେ ଏବେ ସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ ।

ଯେଉଁଠାରେ ଡଷ୍ଟବିନ୍‍ ରହୁଥିଲା ସେଠାରେ ଏବେ ରାତି ପାହିଲା ବେଳକୁ କୁଢ କୁଢ ଅଳିଆ ଆବର୍ଜନା ଗଦା ହୋଇ ଯାଉଛି । ଅଳିଆ ଗଦା ହେବାମାତ୍ରେ ସେଥିରେ ଥିବା ବର୍ଜ୍ୟ ଖାଦ୍ୟ ପୁଡିଆକୁ କୁକୁରମାନେ ନେଇ ଏଣେତେଣେ ପକାଉଛନ୍ତି । ସହଗରର ବିଭିନ୍ନ ଗଳିକନ୍ଦି ଠାରୁ ଆରମ୍ଭକରି ହାଟ ବଜାର ପର୍ଯ୍ୟନ୍ତ ସମାନ ଅବସ୍ଥା । ଡଷ୍ଟବିନ୍‍ ଉଠିଯିବା ପରେ ସ୍ଥିତି କିଭଳି ବିଗିଡିଛି ତାହା ଜଣେ କେହି ଚାରିନମ୍ବର ହାଟ ନିକଟକୁ ଆସିଲେ ଅନୁଭବ କରିପାରିବ । ଏଠାରେ ପୂର୍ବରୁ ଡଷ୍ଟବିନ୍‍ ଥିଲା ଓ ସେଥିରେ ହାଟରୁ ବାହାରୁ ଥିବା ପନିପରିବା ଆବର୍ଜନା ସହିତ ମାଛ ମାର୍କେଟର ଆବର୍ଜନା ପଡୁଥିଲା । ପ୍ରତିଦିନ ଅଳିଆବୁହା ଟ୍ରକ ଆସି ଡଷ୍ଟବିନ୍‍କୁ ଉଠାଇ ନେବା ସହିତ ସେହି ସ୍ଥାନରେ ନୂଆ ଡଷ୍ଟବିନ୍‍ ରଖୁଥିଲା ।

ହେଲେ ଏବେ ରାସ୍ତା ଉପରେ ପଚା ସଢା ପରିବା ସହିତ ମାଛ କାତି, ପୁଟା ଆଦି ଜମା ହୋଇ ଅତ୍ୟନ୍ତ ପୂତ୍ତିଗନ୍ଧମୟ ପରିବେଶ ସୃଷ୍ଟି କରୁଛି । ଅଳିଆ ଉଠା ଟ୍ରାକ୍ଟର ଆସି ଏହିସବୁ ଆବର୍ଜନାକୁ ପୂର୍ବଭଳି ପରିଷ୍କାର ଭାବେ ଉଠାଇ ନେଇପାରୁ ନାହିଁ । ଅନୁରୂପ ଅବସ୍ଥା ସହରର ବିଭିନ୍ନ ୟୁନିଟ୍‍ରେ ।

ରାସ୍ତା ଉପରେ ଅଳିଆ ଗଦା ହେବାପରେ କାଉ, କୁକୁରଙ୍କ ସହିତ ଅଳିଆ ପ୍ଲାଷ୍ଟିକ ଓ ଅନ୍ୟାନ୍ୟ ସାମଗ୍ରୀ ଗୋଟାଉଥିବା ଲୋକେ ବି ଆବର୍ଜନାକୁ ଘାଣ୍ଟିବାରେ ଲାଗୁଛନ୍ତି । ଏହାଦ୍ୱାରା ଏବେ ସହରର ଚାରିଆଡେ ରୋଗବ୍ୟାଧି ବ୍ୟାପିବା ଭଳି ସ୍ଥିତି ଉପୁଜିଲାଣି । ଲୋକଙ୍କୁ ନିଜ ଘରେ ଡଷ୍ଟବିନ୍‍ ରଖିବାପାଇଁ ବାରମ୍ବାର ଉପଦେଶ ଦେଉଥିବା ବିଏମ୍‍ସି ନିଜ ଡଷ୍ଟବିନକୁ ଉଠାଇ ନେଇ ରାସ୍ତା ଉପରେ ଆବର୍ଜନା ଗଦାଇବା ନିଷ୍ପତ୍ତି ଏବେ ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି ।

ସହରର ପ୍ରତି ୱାର୍ଡରେ ୱାର୍ଡ ଅଫିସରମାନେ ଥିବାବେଳେ ଏମାନେ ପରିମଳ ସଂକ୍ରାନ୍ତରେ କି ରିପୋର୍ଟ ପଠାଉଛନ୍ତି ଓ ବିଏମ୍‍ସି ଏହାର କିଭଳି ସମାଧାନ କରୁଛି ତାହା ରାଜଧାନୀର ଅନେକ ଅଞ୍ଚଳର ଲୋକେ ସହଜରେ ବୁଝିପାରୁ ନାହାନ୍ତି । ଇତି ମଧ୍ୟରେ ପରିମଳ କାର୍ଯ୍ୟ ପାଇଁ ନୂଆ ନୂଆ ସଂସ୍ଥା ରାଜଧାନୀରେ କାମ ଆରମ୍ଭ କରିଥିବାବେଳେ ସେମାନେ ପୂର୍ବ ତୁଳନାରେ ସଫେଇ କର୍ମଚାରୀ ସଂଖ୍ୟା ହ୍ରାସ କରୁଥିବାରୁ ଗୋଟିଏ ଗୋଟିଏ ସ୍ଥାନରେ ଖରାବେଳେ ରାସ୍ତାରେ ଝାଡୁ ମରା ଯାଉଥିବା ଦେଖିବାକୁ ମିଳୁଛି । ତେଣୁ ସହରରେ ସ୍ଥିତି ବିଗିଡିବା ଏବଂ ସ୍ୱତନ୍ତ୍ର ବ୍ୟବସ୍ଥା କରିବା ପୂର୍ବରୁ ଡଷ୍ଟବିନ୍‍ଗୁଡିକୁ ପୂର୍ବଭଳି ରଖିବାପାଇଁ ମତପ୍ରକାଶ ପାଉଛି । (ତଥ୍ୟ)