Home General ବାୟୋ ବବଲ ସୁରକ୍ଷାରେ ରଥ ନିର୍ମାଣ

ବାୟୋ ବବଲ ସୁରକ୍ଷାରେ ରଥ ନିର୍ମାଣ

ପୁରୀ : ରଥ ନିର୍ମାଣରେ ନିୟୋଜିତ ମହାରଣା ଓ ଭୋଇ କାରିଗରଙ୍କ ଠାରେ କରୋନା ଠାବ ହେବାପରେ ସୁରୁଖୁରୁରେ ରଥକାମ ଚଳାଇବାପାଇଁ କାରିଗରମାନଙ୍କୁ ବାୟୋବବଲ ସୁରକ୍ଷା ବଳୟରେ ରଖିବାପାଇଁ ଶ୍ରୀମନ୍ଦିର ପ୍ରଶାସନ ସ୍ଥିର କରିଛି । ରଥ ନିର୍ମାଣ କାର୍ଯ୍ୟର ସମୀକ୍ଷା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ କୁମାର ଆଜି ଏହି ସୂଚନା ଦେଇଛନ୍ତି ।

ବାୟୋ ବବଲ ହେଉଛି ଏକ ଜୈବିକ ସୁରକ୍ଷା ବଳୟ ଯାହାକୁ ସହଜରେ କରୋନା ଭୂତାଣୁ ଭେଦ କରିପାରେ ନାହିଁ । ଏହା ଅତ୍ୟନ୍ତ ସୁରକ୍ଷିତ ହୋଇଥିବାରୁ ରଥ ନିର୍ମାଣରେ ଏହାର ପ୍ରୟୋଗ ପାଇଁ ଶ୍ରୀମନ୍ଦିର ପ୍ରଶାସନ ସ୍ଥିର କରିଛି । ଏଥି ସହିତ କାରିଗରମାନଙ୍କ ସୁରକ୍ଷାପାଇଁ ଆଉ କେତେକ ପଦକ୍ଷେପ ମଧ୍ୟ ନିଆଯାଇଛି । ଉଲ୍ଲେଖନୀୟ ଯେ ରଥଖଳାରେ କାର୍ଯ୍ୟରତ କାରଗରଙ୍କ ମଧ୍ୟରୁ ୫ଜଣ ଭୋଇ ସେବକ ଓ ୩ଜଣ ମହାରଣା ସେବକଙ୍କ ଠାରେ କରୋନା ଠାବ ହୋଇଛି ।

ସମସ୍ତଙ୍କୁ ଏନ୍-୯୫ ମାସ୍କ ଯୋଗାଣ ପାଇଁ ନିଷ୍ପତ୍ତି ହୋଇଛି । ସେମାନଙ୍କ ଟେଷ୍ଟିଂ ଓ ଟିକାକରଣକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ପ୍ରତିଦିନ ରଥକାମର ସମୀକ୍ଷା ପାଇଁ ପୁରୀ ଜିଲ୍ଲାପାଳଙ୍କୁ ଦାୟିତ୍ୱ ଦିଆଯାଇଛି । ମୋଟାମୋଟି ଭାବେ କୋଭିଡ୍ କଟକଣା ଭିତରେ ସୁରକ୍ଷିତ ଓ ଶୃଙ୍ଖଳାର ସହ ରଥ ନିର୍ମାଣ କାର୍ଯ୍ୟ ସମ୍ପନ୍ନ କରିବାକୁ ସବୁପ୍ରକାର ଉଦ୍ୟମ ହେଉଥିବା କହିଛନ୍ତି ମୁଖ୍ୟ ପ୍ରଶାସକ ।

ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି, କୋଭିଡ୍ ସଂକ୍ରମଣ ବଢ଼ୁଥିବାରୁ ରଥଖଳା ଭିତରକୁ ରଥକାମରେ ସଂପୃକ୍ତ ସେବାୟତଙ୍କ ବ୍ୟତୀତ ଅନ୍ୟମାନଙ୍କ ପାଇଁ ପ୍ରବେଶ କଟକଣା ଲାଗିଛି । ସନ୍ଦିଗ୍ଧ ସେବାୟତଙ୍କ ଟେଷ୍ଟ କରାଯାଇ ପ୍ରଥମେ ସେମାନଙ୍କୁ ଗୁଣ୍ଡିଚା ଭକ୍ତ ନିବାସରେ ରଖାଯାଉଛି । ନେଗେଟିଭ୍ ଥିଲେ ପୁଣି ନିଳାଦ୍ରୀ ଭକ୍ତ ନିବାସରେ ରଖାଯାଉଛି । ପଜିଟିଭ୍ ଚିହ୍ନଟ ହେଉଥିବା ସେବାୟତଙ୍କୁ ନୀଳାଚଳ ଭକ୍ତ ନିବାସରେ ରଖାଯାଇ ଚିକିତ୍ସା କରାଯାଉଛି ।