Home News in Odia ବାଲେଶ୍ୱରରେ ରାଜସ୍ୱ ଡିଭିଜନ ପାଇଁ ଦାବି

ବାଲେଶ୍ୱରରେ ରାଜସ୍ୱ ଡିଭିଜନ ପାଇଁ ଦାବି

ବାଲେଶ୍ୱର : ବାଲେଶ୍ୱରର ଭୌଗୋଳିକ ସ୍ଥିତି ଓ ଦୂରତାକୁ ଦୃଷ୍ଟିରେ ରଖି ସର୍ବସାଧାରଣଙ୍କ ନିକଟରେ ପ୍ରଶାସନିକ ସୁବିଧା ଯୋଗାଇଦେବା ପାଇଁ ବାଲେଶ୍ୱରକୁ ଏକ ରାଜସ୍ୱ ଡିଭିଜନରେ ପରିଣତ କରିବାକୁ ରାଜ୍ୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିକଟକୁ ପତ୍ରଲେଖି ତାଙ୍କର ଦୃଷ୍ଟି ଆକର୍ଷଣ କରିଛନ୍ତି କଂଗ୍ରେସ ନେତା ନବଜ୍ୟୋତି ପଟ୍ଟନାୟକ ।

ଏଥିସହିତ ଉକ୍ତ ପତ୍ରର ନକଲ ସେ ରାଜ୍ୟ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କ ନିକଟକୁ ମଧ୍ୟ ପଠାଇଛନ୍ତି । ଏଥିରେ ନବଜ୍ୟୋତି ଲେଖିଛନ୍ତି ଯେ ବାଲେଶ୍ୱରକୁ ରାଜସ୍ୱ ଡିଭିଜନରେ ପରିଣତ କରିବାକୁ ଉତ୍ତର ଓଡ଼ିଶା ଜନସାଧାରଣଙ୍କ ପକ୍ଷରୁ ହେଉଥିବା ଯଥାର୍ଥ ଏବଂ ନ୍ୟାୟସଂଗତ ଦାବି ସମ୍ପର୍କରେ ସେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରୁଛନ୍ତି ।

ପତ୍ରରେ ସେ କହିଛନ୍ତି, ରାଜ୍ୟ ସରକାର ସାଧାରଣ ଓ ରାଜସ୍ୱ ପ୍ରଶାସନିକ କାର୍ଯ୍ୟ ସୁରୁଖୁରୁରେ ଓ ସଫଳତାର ସହିତ ପରିଚାଳନା କରିବାକୁ ତିନିଟି ରାଜସ୍ୱ ଡିଭିଜନ ଗଠନ କରିଛନ୍ତି । ତେବେ ପଶ୍ଚିମ ଓଡ଼ିଶାରେ ଥିବା ଜିଲାଗୁଡିକୁ ସମ୍ବଲପୁରରେ ଥିବା ଉତ୍ତରାଂଚଳ ରାଜସ୍ୱ ଡିଭିଜନ ଅଧୀନରେ ରଖାଯାଇଥିବାବେଳେ ଦକ୍ଷିଣ ଓଡ଼ିଶାରେ ଥିବା ଜିଲାଗୁଡିକୁ ବ୍ରହ୍ମପୁରସ୍ଥିତ ଦକ୍ଷିଣାଂଚଳ ରାଜସ୍ୱ ଡିଭିଜନ ଅଧୀନରେ ରଖାଯାଇଛି ।

ରାଜ୍ୟର ଅବଶିଷ୍ଟ ଜିଲାଗୁଡିକୁ ନେଇ ଗଠିତ ଏକ ବିଶାଳ ଅଂଚଳକୁ କଟକସ୍ଥିତ କେନ୍ଦ୍ରାଂଚଳ ରାଜସ୍ୱ ଡିଭିଜନ ଅଧୀନରେ ରଖାଯାଇଛି । ତେବେ ଭୌଗୋଳିକ, ମୁଖ୍ୟ ଦପ୍ତରଠାରୁ ଦୂରତା ଏବଂ ନ୍ୟାୟସଂଗତ ବିତରଣ ଭଳି କାରଣଗୁଡିକୁ ଅଣଦେଖା କରାଯାଇ କେବଳ ରାଜ୍ୟର ସମୁଦାୟ ଜିଲ୍ଲାକୁ ତିନିଭାଗରେ ବିଭକ୍ତ କରିଦିଆଯାଇ ଏହି ତିନିଟି ଡିଭିଜନ ସୃଷ୍ଟି କରାଯିବା ଭଳି ମନେହେଉଛି, ଯେଉଁଥିରେ ପ୍ରତି ୧୦ଟି ଜିଲାକୁ ଗୋଟିଏ ଡିଭିଜନ ଅଧୀନରେ ରଖାଯାଇଛି ।

ଏକ ଉଦାହରଣ ଦେଇ ସେ କହିଛନ୍ତି ଯେ କେନ୍ଦୁଝର ଜିଲାକୁ ଉତ୍ତରାଂଚଳ ରାଜସ୍ୱ ଡିଭିଜନ ଅଧୀନରେ ରଖାଯାଇଛି । ତେବେ କେନ୍ଦୁଝରରୁ ଏହି ରାଜସ୍ୱ ଡିଭିଜନର ମୁଖ୍ୟ ଦପ୍ତର ସମ୍ବଲପୁର ୨୦୦ କିଲୋମିଟର ଦୂରରେ ଅବସ୍ଥିତ । ଏହା କେନ୍ଦୁଝର ଅଧିବାସୀଙ୍କ ପାଇଁ ସେମାନଙ୍କର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ଭଳି ପ୍ରସଙ୍ଗୁଡିକର ସମାଧାନ ଦିଗରେ ଅନେକ ଜଟିଳ ପରିସ୍ଥିତି ସୃଷ୍ଟି କରୁଛି । ସଫଳ ଆଂଚଳିକ ପ୍ରତିନିଧିତ୍ୱ ବ୍ୟବସ୍ଥା କରାଯିବା ସମୟରେ ବାଲେଶ୍ୱର, କେନ୍ଦୁଝର, ଭଦ୍ରକ, ମୟୁରଭଞ୍ଜ ଏବଂ ଯାଜପୁର ଆଦି ଜିଲା ବାଦ୍ ପଡିଥିବା ଭଳି ମନେହେଉଛି ।

ସେଥିପାଇଁ ଏହି ଜିଲାଗୁଡିକୁ ସାମିଲ କରି ବାଲେଶ୍ୱରରେ ଏକ ରାଜସ୍ୱ ଡିଭିଜନ ସ୍ଥାପନ ପାଇଁ ନବଜ୍ୟୋତି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ଏଥିରେ ସେ କହିଛନ୍ତି ଯେ ବାଲେଶ୍ୱର ଉତ୍ତର ଓଡ଼ିଶାର ସର୍ବବୃହତ ସହର ଏବଂ ଏଠାରେ ଓଡ଼ିଶା ସରକାର ତଥା ଭାରତ ସରକାରଙ୍କର ବହୁ ବିଭାଗର ଡିଭିଜନାଲ ମୁଖ୍ୟ କାର୍ଯ୍ୟାଳୟ । ତେଣୁ ଏହାକୁ ଏକ ରାଜସ୍ୱ ଡିଭିଜନର ମୁଖ୍ୟ ଦପ୍ତର ଭାବେ ମନୋନୀତ କରାଯିବା ନେଇ ଏହା ଯୋଗ୍ୟତା ହାସଲ କରିଛି । ବାଲେଶ୍ୱର ମଧ୍ୟ ଅତି ଉତ୍ତମ ଭାବରେ ସଂଯୁକ୍ତ ଏବଂ ଏହିସବୁ ଜିଲ୍ଲାଗୁଡିକର ଅଧିବାସୀଙ୍କ ପାଇଁ ସହଜରେ ପହଂଚି ହେବା ଭଳି ସ୍ଥାନ ।

ଏଠାରେ ରାଜସ୍ୱ ଅଦାଲତଗୁଡିକ ନିକଟରେ ରହିଥିବାରୁ ଭୂସଂସ୍କାର ଏବଂ ଜମି ମାଲିକାନା ସମ୍ପର୍କିତ ଆଇନଗତ ବିବାଦଗୁଡିକର ମଧ୍ୟ ସହଜରେ ସମାଧାନ କରାଯାଇପାରିବ । ଏହାଦ୍ୱାରା ସେମାନଙ୍କ ରାଜସ୍ୱ ମାମଲାଗୁଡିକର ଫଇସଲା ତଥା ପେନସନ ମଞ୍ଜୁରୀ, ଗ୍ରାଚ୍ୟୁଇଟି, ମୃତ୍ୟୁକାଳୀନ ତଥା ଅବସରକାଳୀନ ସୁବିଧା ସୁଯୋଗ ଏବଂ ଡିଭିଜନାଲ କାର୍ଯ୍ୟାଳୟର ହସ୍ତକ୍ଷେପ ଆବଶ୍ୟକ ହେଉଥିବା ଅନ୍ୟାନ୍ୟ ରାଜସ୍ୱ ସମ୍ପର୍କିତ ବିଷୟଗୁଡିକର ସମାଧାନ କରିବାକୁ ଉତ୍ତର ଓଡ଼ିଶା ଜନସାଧାରଣଙ୍କୁ ଆଉ କଟକ ଯିବାକୁ ପଡିବନାହିଁ । ଉତ୍ତରଓଡ଼ିଶା ପ୍ରାକୃତିକ ସମ୍ପଦରେ ଭରପୂର । କିନ୍ତୁ ଏହା ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ଅଂଚଳ ହୋଇରହିଛି ।

ପ୍ରାକୃତିକ ବିପର୍ଯ୍ୟୟ ଅଥବା ମହାମାରୀ ସମ୍ପର୍କିତ କୌଣସି ପ୍ରସଙ୍ଗ, ଅଥବା ବ୍ୟାପକ ଅଂଚଳରେ ଫସଲ ହାନି, ବେଆଇନ ଭାବରେ ଜଙ୍ଗଲ ଜମି ଜବରଦଖଲ, ବୈଧ ଅନୁମତି ନଥାଇ ଗଛ କାଟିବା ଆଦି ବହୁବିଧ କାରଣ ତୁରନ୍ତ ସମାଧାନ ପାଇଁ ଏକ ରାଜସ୍ୱ ଡିଭିଜନ ମୁଖ୍ୟଦପ୍ତରର ଉପସ୍ଥିତି ନିତାନ୍ତ ଜରୁରୀ । ସେଥିପାଇଁ ବାଲେଶ୍ୱରଠାରେ ଏକ ରାଜସ୍ୱ ଡିଭିଜନ ସ୍ଥାପନ ସମ୍ପର୍କିତ ନ୍ୟାୟସଂଗତ ଦାବି ପ୍ରତି ଦୃଷ୍ଟିଦେଇ ଉତ୍ତର ଓଡ଼ିଶାର ଜନସାଧାଣଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଏ ଦିଗରେ ପଦକ୍ଷେପ ନେବାକୁ ନବଜ୍ୟୋତି ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି ।