Home General ବାଧକ ସାଜିଛି ଜମି ହସ୍ତାନ୍ତର

ବାଧକ ସାଜିଛି ଜମି ହସ୍ତାନ୍ତର

ଭୁବନେଶ୍ୱର : ଖ୍ୟାତନାମା ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ଓ ସମ୍ବିଧାନ ପ୍ରଣୟନ ସଭାର ଅନ୍ୟତମ ସଦସ୍ୟା ମାଳତୀ ଚୌଧୁରୀଙ୍କ ଅନୁଗୁଳରେ ଥିବା କୁଟୀରର ସୁରକ୍ଷା ଓ ସଂରକ୍ଷଣ କ୍ଷେତ୍ରରେ ଜମି ହସ୍ତାନ୍ତର ବାଧକ ସାଜିଛି ବୋଲି ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀ କହିଛନ୍ତି ।

ଏଠାରେ ଉଲ୍ଲେଖନୀୟ ଯେ ଭାରତ ଛାଡ ଆନ୍ଦୋଳନବେଳେ କାରାରୁଦ୍ଧ ଥିବାବେଳେ ମାଳତୀ ଚୌଧୁରୀ ଅନୁଗୁଳରେ ବାଜି ରାଉତ ଛାତ୍ରାବାସର ପରିକଳ୍ପନା କରିଥିଲେ ଏବଂ କାରାମୁକ୍ତ ହେବା ପରେ ପରେ ପ୍ରାକ୍‍ ସ୍ୱାଧୀନତା କାଳରେ ଏହା ଆରମ୍ଭ ହୋଇଥିଲା । ପରବର୍ତ୍ତୀ ସମୟରେ ନବକୃଷ୍ଣ ଚୌଧୁରୀ ଓ ଅନ୍ୟ ଗାନ୍ଧୀ ମଣିଷ ମାନଙ୍କ ଉଦ୍ୟମ କ୍ରମେ ‘ନବଜୀବନ ମଣ୍ଡଳ’ ପ୍ରତିଷ୍ଠା କରାଯାଇଥିଲା । ଚୌଧୁରୀ ଦମ୍ପତି ସେମାନଙ୍କ ଜମିଦାରୀ ଆଭିଜାତ୍ୟ ପରମ୍ପରାକୁ ବଳିଦେଇ ଏକପ୍ରକାର ସ୍ୱେଚ୍ଛାକୃତ ଦାରିଦ୍ର‌୍ୟ ବରଣ କରିବା ସହ ଦରିଦ୍ରତମ ଲୋକଭଳି ଜୀବନ ଯାପନ କରୁଥିଲେ । ସେମାନେ ବାଜି ରାଉତ ଛାତ୍ରାବାସ ପରିସରରେ ଏକ ଚାଳଛପର ମାଟିଘରେ ମୃତ୍ୟୁ ପର୍ଯ୍ୟନ୍ତ ବିତାଇଥିଲେ ।

ମାଳତୀ ଦେବୀ – ନବକୃଷ୍ଣ ଚୌଧୁରୀ ଟ୍ରଷ୍ଟ, ବାଜି ରାଉତ ଛାତ୍ରାବାସ ଓ ଏହି ଅନୁଷ୍ଠାନର ପୂର୍ବତନ ଅନ୍ତେବାସୀମାନଙ୍କ ଉଦ୍ୟମ କ୍ରମେ ଏହି ଚାଳଛପର ମାଟି ଘରଟିକୁ ‘ନୁମା-ବାପି’ କୁଟୀର ନାମରେ ସଂରକ୍ଷିତ କରି ରଖାଯିବା ସହ ଏହା ପରିସରରେ ଏକ ସ୍ମୃତି ମଣ୍ଡପ ମଧ୍ୟ ରହିଛି । ତେବେ ଏହି ଚାଳଘରୁ ବାରମ୍ବାର ପାଣି ଗଳିବା ଫଳରେ ନିରାକରଣ ପାଇଁ ତାହା ଉପରେ କଳା ପଲିଥିନ ଜରି ଢଙ୍କା ଯାଇଛି ।

ଅତୀତରେ ସଂସ୍କୃତି ବିଭାଗ ଦାୟିତ୍ୱରେ ଥିବା ଜଣେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଇତିହାସର ମୁକସାକ୍ଷୀ ଅନୁଗୁଳର ଏହି ‘ନୁମା-ବାପି’ କୁଟୀରର ସଂରକ୍ଷଣ ପାଇଁ ଆଗ୍ରହ ପ୍ରକାଶ କରିଥିଲେ । ଆଉ କେତେଜଣ ଗାନ୍ଧୀ ଚିନ୍ତକ ମଧ୍ୟ ଏ ଦିଗରେ ପ୍ରୟାସ କରିଥିଲେ । ତେବେ ଏହି କୁଟୀରଟି ବାଜି ରାଉତ ଛାତ୍ରାବାସ ନାମରେ ଦିଆଯାଇଥିବା ସରକାରୀ ଲିଜ୍‍ ଜମିରେ ରହିଛି । ଛାତ୍ରାବାସ କର୍ତ୍ତୃପକ୍ଷ ଏହି କୁଟୀର ଓ ତତ୍‍ସଂଲଗ୍ନ ପରିସରକୁ ସରକାରଙ୍କୁ ହସ୍ତାନ୍ତର କରିବା ପରେ ତାହାର ସଂରକ୍ଷଣ ଦାୟିତ୍ୱ ସରକାର ନେଇପାରିବେ ବୋଲି କୁହାଯାଉଛି । ଅନ୍ୟପକ୍ଷରେ ସ୍ଥାୟୀ ସଂରକ୍ଷଣ ବ୍ୟବସ୍ଥା ହେବା ପୂର୍ବରୁ ବର୍ଷାରୁ ଏହି ଐତିହ୍ୟ କୁଟିରକୁ ରକ୍ଷା କରିବା ପାଇଁ ମାଳତୀ ଦେବୀ ନବକୃଷ୍ଣ ଚୌଧୁରୀ ଟ୍ରଷ୍ଟ ଆବଶ୍ୟକୀୟ ଅର୍ଥ ଯୋଗାଇ ଦେବାକୁ ପ୍ରସ୍ତାବ ଦେଇଛି ।

ସରକାରୀ ଅଧିକାରୀ ଜଣକ କହିଛନ୍ତି ଯେ କଟକ ବାଖରାବାଦ୍‍ ଅଞ୍ଚଳରେ ଥିବା ଗୋପବନ୍ଧୁ ଚୌଧୁରୀ ଓ ନବକୃଷ୍ଣ ଚୌଧୁରୀଙ୍କ ପୈତୃକ ଗୃହର ସଂରକ୍ଷଣ ଦାୟିତ୍ୱ ମଧ୍ୟ ସରକାର ନେବାରେ କିଛି ଅସୁବିଧା ନାହିଁ । ତେବେ ଏଥିଲାଗି ବି ଜମିର ମାଲିକାନା ସରକାରଙ୍କୁ ହସ୍ତାନ୍ତର କରିବାକୁ ହେବ । ଏଠାରେ ଉଲ୍ଲେଖନୀୟ ଯେ କଟକର ଚୌଧୁରୀ ନିବାସ ଏକଦା ଉତ୍କଳ ସମ୍ମିଳନୀର ପ୍ରାଣକେନ୍ଦ୍ର ଥିଲା । ଅସହଯୋଗ ଆନ୍ଦୋଳନ, ଲବଣ ସତ୍ୟାଗ୍ରହ, ବାଣି ସତ୍ୟାଗ୍ରହ, ବାନର ସେନାଙ୍କ ମଦ ଦୋକାନ ଆଗରେ ପିକେଟିଂ, ଭାରତ ଛାଡ ଆନ୍ଦୋଳନ, ଭୂଦାନ ଆନ୍ଦୋଳନ ଓ ସମ୍ପୂର୍ଣ୍ଣ କ୍ରାନ୍ତି ଆନ୍ଦୋଳନରେ କଟକର ଏହି ସୌଧରେ ଅନେକ ଐତିହାସିକ ଘଟଣା ଘଟିଯାଇଛି । କଟକ ଓ ଅନୁଗୁଳରେ ଥିବା ଚୌଧୁରୀ ପରିବାରର ସ୍ମାରକୀକୁ ଜାତିର ଭବିଷ୍ୟତ ପୀଢି ପାଇଁ ସଂରକ୍ଷଣ କରି ରଖିବାର ଆବଶ୍ୟକତା ରହିଛି ବୋଲି ଦଳମତ ନିର୍ବିଶେଷରେ ବହୁ ବୁଦ୍ଧିଜୀବୀ ମତବ୍ୟକ୍ତ କରୁଛନ୍ତି । ଚୌଧୁରୀ ପରିବାର ସହ ଜଡିତ ଜଗତସିଂହପୁରର ଅଳକାଶ୍ରମ ଓ ବରିର ସେବାଘରର ପୁନଃନିର୍ମାଣ ଓ ସଂରକ୍ଷଣ ଦାୟିତ୍ୱ ଇତିମଧ୍ୟରେ ସରକାର କରିଛନ୍ତି ।

ଏଠାରେ ଉଲ୍ଲେଖନୀୟ ଯେ ନିକଟରେ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଓଡ଼ିଶା ବିଧାନସଭାରେ ଅନୁଗୁଳୁର ଚୌଧୁରୀ କୁଟିର ପ୍ରସଙ୍ଗ ଉଠାଇ ଫଟୋଚିତ୍ର ପ୍ରଦର୍ଶନ କରିବା ସହ ଏହି ସ୍ମାରକୀର ସଂରକ୍ଷଣ ଏକ ଜାତୀୟ ଗୌରବ ଏବଂ ସରକାର ଏଥିପାଇଁ ଆଗେଇ ଆସିବାକୁ ନିବେଦନ କରିଥିଲେ । (ତଥ୍ୟ)