Home Agriculture ବାତ୍ୟାକୁ ଦୃଷ୍ଟିରେ ରଖି ଫସଲର ସୁରକ୍ଷା ବାର୍ତ୍ତା

ବାତ୍ୟାକୁ ଦୃଷ୍ଟିରେ ରଖି ଫସଲର ସୁରକ୍ଷା ବାର୍ତ୍ତା

ଭୁବନେଶ୍ୱର : ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆଜି ଜାରି କରାଯାଇଥିବା ବାର୍ତ୍ତା ଅନୁଯାୟୀ ଆସନ୍ତା ଡିସେମ୍ବର ୩ ତାରିଖ ସୁଦ୍ଧା ବଙ୍ଗୋପସାଗରରେ ଏକ ବାତ୍ୟା ସୃଷ୍ଟି ହୋଇ ୪ ତାରିଖ ସକାଳ ଦକ୍ଷିଣ-ଉତ୍ତର ଆନ୍ଧ୍ର ଉପକୂଳରେ ପହଞ୍ଚିବାର ସୂଚନା ମିଳିଅଛି । ଏହା ପ୍ରଭାବରୁ ୩ ତାରିଖ ରାତିରୁ ଓଡିଶା ଉପକୂଳରେ ବର୍ଷା ଆରମ୍ଭ ହୋଇଯିବ ଏବଂ ୪ ତାରିଖରେ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ଏଥି ପାଇଁ ଗଜପତି, ଗଞ୍ଜାମ, ପୁରୀ, ଜଗତସିଂହପୁର, ଖୋର୍ଦ୍ଧା, ନୟାଗଡ଼, କେନ୍ଦ୍ରାପଡ଼ା, କଟକ, ଭଦ୍ରକ, ବାଲେଶ୍ୱର, କେନ୍ଦୁଝର, ଢେଙ୍କାନାଳ, ଯାଜପୁର ଓ ମୟୂରଭଞ୍ଜ ଜିଲ୍ଲାଗୁଡିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି । ଏହି ପରିପ୍ରେକ୍ଷୀରେ ନିମ୍ନଲିଖିତ ପଦକ୍ଷେପମାନ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ତରଫରୁ ଗ୍ରହଣ କରାଯାଇଛି ।

ବର୍ତ୍ତମାନ ପରିପ୍ରେକ୍ଷୀରେ ଓଡିଶାର ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ୯୦% ଧାନ ଏବଂ ଅଭ୍ୟନ୍ତରୀଣ ଜିଲ୍ଲାଗୁଡିକରେ ୫୦% ଧାନ କଟା ହେବାକୁ ବାକିଅଛି । ମଧ୍ୟମ କିସମ ଧାନ କଟା ଚାଲିଛି । କପା ତୋଳିବା ଚାଲିଅଛି ଏବଂ ରବି ଫସଲ ଯଥା ମୁଗ, ବିରି, ପନିପରିବା ବୁଣା ଚାଲିଛି । ସେଥିପାଇଁ ସମସ୍ତ ଜିଲ୍ଲାର ଗାଁ ଗାଁରେ ନିଜ ଫସଲକୁ ସୁରକ୍ଷିତ ସ୍ଥାନରେ ରଖିବା ପାଇଁ ମାଇକ ଦ୍ୱାରା ପ୍ରଚାର କାର୍ଯ୍ୟ ଚାଲୁ ରହିଛି ଏବଂ ନିମ୍ନଲିଖିତ ଉପଦେଶାବଳିକୁ ଅବଲମ୍ବନ କରିବା ପାଇଁ ଅନୁରୋଧ କରାଯାଉଛି ।

ଶତକଡା ୮୫ ଭାଗ ପାଚିଯାଇଥିଲେ ଧାନକୁ ତୁରନ୍ତ କାଟି ନେଇ ସୁରକ୍ଷିତ ସ୍ଥାନରେ ରଖନ୍ତୁ । କଟା ହୋଇଥିବା ଧାନକୁ ବେଙ୍ଗଳା କରି ଦିଅନ୍ତୁ କିମ୍ବା ସମସ୍ତ ଧାନ ଅମଳ ସମ୍ଭବ ନହେଲେ ପଲିଥିନ ଘୋଡାଇ ସୁରକ୍ଷିତ ରଖନ୍ତୁ । ଧାନ ଜମିରୁ ବଳକା ପାଣି ନିଷ୍କାସନ କରିବା ପାଇଁ ନାଳି କରନ୍ତୁ ଏବଂ ନାଳି ମୁହଁ ଖୋଲା ରଖନ୍ତୁ ।

ଧାନଗଛ ପଡି ଯାଇଥିଲେ ହଳା କରି ଠିଆ । ଧାନ କାଟି ବିଲରେ ଶୁଖାନ୍ତୁ ନାହିଁ । ବର୍ଷା ସମୟରେ କୌଣସି କୀଟନାଶକ ସିଞ୍ଚନ କରନ୍ତୁ ନାହିଁ । ମୁଗ,ବିରି ଓ ପନିପରିବା ଫସଲରେ ପାଣି କାଟିବା ବ୍ୟବସ୍ଥା କରନ୍ତୁ । ବର୍ଷା ପରବର୍ତ୍ତୀ ସମୟରେ ରୋଗପୋକ ସର୍ବେକ୍ଷଣ କରି ପ୍ରତିଷେଧକ ବ୍ୟବସ୍ଥା କରନ୍ତୁ ।

କପା ଫସଲରେ ପାକଳ ହୋଇଥିବା ବକରାଗୁଡିକୁ ତୋଳି ସୁରକ୍ଷିତ ସ୍ଥାନକୁ ନେଇଯାଆନ୍ତୁ ଏବଂ ବର୍ଷାର ପରବର୍ତ୍ତୀ ୩-୪ ଦିନପରେ ଖରାରେ ସୁଖାନ୍ତୁ । ସମସ୍ତ ରବି ଫସଲ ବିଶେଷକରି ଆଳୁ ଲଗାଇବାକୁ ସାମୟିକ ସ୍ଥଗିତ ରଖନ୍ତୁ । ଆଳୁ ଆଦି ପନିପରିବା ତଥା ରବି ଫସଲରେ ଜଳ ନିଷ୍କାସନ ପାଇଁ ତୁରନ୍ତ ବ୍ୟବସ୍ଥା କରନ୍ତୁ । କୀଟନାଶକ ଔଷଧ ସିଞ୍ଚନ ଓ ଜଳ ସେଚନ ସାମୟିକ ବନ୍ଦ ରଖନ୍ତୁ ।

ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କ ନିର୍ଦ୍ଦେଶ ଅନୁଯାୟୀ ବିଭାଗୀୟ କମିଶନର ତଥା ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଆଜି ସମସ୍ତ ଜିଲ୍ଲାର କୃଷି ଓ ଉଦ୍ୟାନ କୃଷି ଅଧିକାରୀମାନଙ୍କ ସହ ଏକ ଆଭାସୀ ବୈଠକ କରାଯାଇଥିଲା । ଏହି ବୈଠକରେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଏବଂ ଉଦ୍ୟାନ କୃଷି ନିର୍ଦ୍ଦେଶକ ଉପସ୍ଥିତ ରହି ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କୁ ନିମ୍ନୋକ୍ତ ପରାମର୍ଶ ପ୍ରଦାନ କରିଥିଲେ ।

ସମସ୍ତ ଅଧିକାରୀମାନେ ଆସନ୍ତା ଡିସେମ୍ବର ୬ ତାରିଖ ପର୍ଯ୍ୟନ୍ତ ନିଶ୍ଚିତ ରୂପେ ନିଜର ମୁଖ୍ୟ କାର୍ୟାଳୟରେ ଉପସ୍ଥିତ ରହିବେ । ଫସଲ ସୁରକ୍ଷା ଉପଦେଶାବଳୀକୁ କମ୍ୟìନିଟି ରେଡିଓ ଏବଂ ଡାକବାଜି ଯନ୍ତ୍ର ସାହାଯ୍ୟରେ ଚାଷୀମାନଙ୍କୁ ଆସନ୍ତା ଦୁଇ ଦିନ ମଧ୍ୟରେ ପ୍ରଚାର ଓ ପ୍ରସାର କାର୍ଯ୍ୟକ୍ରମ ଶେଷ କରିବେ । ସମ୍ଭାବ୍ୟ ବର୍ଷାକୁ ଦୃଷ୍ଟିରେ ରଖି କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଆବଶ୍ୟକୀୟ ଆଗୁଆ ପଦକ୍ଷେପ ଗ୍ରହଣ କରିଛନ୍ତି ।