Home General ବାଙ୍ଗାଲୋର ବର୍ଷା ଓଡିଶା ପାଇଁ ସୁଯୋଗ

ବାଙ୍ଗାଲୋର ବର୍ଷା ଓଡିଶା ପାଇଁ ସୁଯୋଗ

ଭୁବନେଶ୍ୱର : ପ୍ରବଳ ବର୍ଷାରେ ବାଙ୍ଗାଲୋର ଉବୁଟୁବୁ ହେବା ଏବଂ ପ୍ରତିଷ୍ଠିତ ଆଇଟି କମ୍ପାନୀ ଓ ଏହାର ଅଧିକାରୀମାନେ ହନ୍ତସନ୍ତ ହେବା ଏବେ ଓଡିଶା ପାଇଁ ସୁଯୋଗ ସୃଷ୍ଟି କରିଛି । ଭବିଷ୍ୟତରେ ଏଭଳି ବିତ୍ପାତରୁ ରକ୍ଷା ପାଇଁ କେତେକ ଆଇଟି କମ୍ପାନୀ ଓଡିଶା ମୁହାଁ ହେବେ ବୋଲି ବିଶେଷଜ୍ଞମାନେ ଆକଳନ କରୁଛନ୍ତି ।

ଗତ ପ୍ରାୟ ସପ୍ତାହେ ଧରି ବାଙ୍ଗାଲୋରରେ ହୋଇଥିବା ପ୍ରବଳ ବର୍ଷା ସେଠାରେ ଗତ ୯୦ବର୍ଷ ଭିତରେ ଦ୍ୱିତୀୟଥର ବୋଲି କୁହାଯାଉଛି । ହେଲେ ଚଳିତ ବର୍ଷା ଓ ତଦଜନିତ ଜଳବନ୍ଦୀରେ ଯେଭଳି ଆଇଟି କମ୍ପାନୀର ଦପ୍ତରଗୁଡିକ ଜଳାର୍ଣ୍ଣବ ହେଲା ତାହା ପୂର୍ବରୁ କେବେ ଦେଖାଯାଇନଥିଲା । ସହରର ହ୍ୱାଇଟ୍‍ଫିଲ୍ଡ, ବେଲାନ୍ଦୁ, ସାରଜାପୁର ଓ ବିମାନବନ୍ଦର ଆଖପାଖ ଅଞ୍ଚଳ ବର୍ଷା ଜଳରେ ଏକ ପ୍ରକାର ହ୍ରଦ ପାଲଟିଗଲା । ଏହିସବୁ ଇଲାକାରେ ଦେଶ ବିଦେଶର ନାମୀଦାମୀ ଆଇଟି କମ୍ପାନୀର ଦପ୍ତର ରହିଛି ।

ଅବସ୍ଥା ଏଭଳି ହେଲା ଯେ ଆଇଟି କମ୍ପାନୀର କୋଟି କୋଟି ଟଙ୍କାର ବେତନଧାରୀ ଅଧିକାରୀମାନେ ଟ୍ରାକ୍ଟରରେ ଦପ୍ତରକୁ ଗଲେ । କେତେକ ଅଧିକାରୀତ ଅଣ୍ଟାଏ ପାଣିରେ ପଶି ଯିବାକୁ ବାଧ୍ୟ ହେଲେ । ଅନେକ ଦପ୍ତରରେ ପାଣି ପଶିଯିବା ଯୋଗୁଁ କାର୍ଯ୍ୟ ଠପ୍‍ ହୋଇଗଲା । ବିଦ୍ୟୁତ୍‍, ପାନୀୟଜଳ, ଇଣ୍ଟରନେଟ୍‍ ପାଇଁ କମ୍ପାନୀ କର୍ତ୍ତୃପକ୍ଷ ନାକେଦମ ହେଲେ ।

ଏଭଳି ସ୍ଥିତରେ ବାଙ୍ଗାଲୋରରେ ଥିବା କିଛି ଆଇଟି କମ୍ପାନୀ ସୁରକ୍ଷା ଦୃଷ୍ଟିରୁ ଭୁବନେଶ୍ୱର ଆସିପାରନ୍ତି ବୋଲି ଆଇଟି ବିଶେଷଜ୍ଞମାନେ ଆକଳନ କରୁଛନ୍ତି । ସେମାନଙ୍କ ମତରେ ଭୁବନେଶ୍ୱରରେ ଆଇଟି ଶିଳ୍ପ ପାଇଁ ସମସ୍ତ ପ୍ରକାର ଭିତ୍ତିଭୂମି ରହିଛି । ବିମାନ ଓ ରେଳ ସଂଯୋଗ ସହିତ ବିଦ୍ୟୁତ୍‍, ଜଳ, ଇଣ୍ଟରନେଟ୍‍ ଆଦି ପ୍ରସ୍ତୁତ ଅଛି । ସରକାର ମଧ୍ୟ ଆଇଟି କମ୍ପାନୀଗୁଡିକୁ ଜମି ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ଅଗ୍ରାଧିକାର ଭିତ୍ତିରେ ଯୋଗାଇ ଦେଉଛନ୍ତି ।

ବର୍ତ୍ତମାନ ରାଜଧାନୀରେ ୧୦/୧୨ଟି ବଡ ବଡ ଆଇଟି କମ୍ପାନୀ ସହିତ ଅନେକ ଛୋଟ କମ୍ପାନୀ କାର୍ଯ୍ୟ କରୁଛନ୍ତି । ଆର୍ନ୍ତଜାତୀୟ କମ୍ପାନୀ ଆଇବିଏମ୍‍ ଓ ଡେଲିଅଟ ଖୁବ୍‍ଶୀଘ୍ର ଭୁବନେଶ୍ୱରରେ ସେମାନଙ୍କର ଦପ୍ତର ଖୋଲିବାକୁ ଯାଉଛନ୍ତି । ଏପରିକି ବାଙ୍ଗାଲୋରରେ ଜଳରେ ଉବୁଟୁବୁ ହେଉଥିବା କିଛି ପ୍ରତିଷ୍ଠିତ ଆଇଟି କମ୍ପାନୀର ମଧ୍ୟ ଭୁବନେଶ୍ୱରରେ ଦପ୍ତର କାର୍ଯ୍ୟ କରୁଛି ।

ଏଭଳି ସ୍ଥିତିରେ ବାଙ୍ଗାଲୋରରେ ଥିବା ବହୁ ଆଇଟି କମ୍ପାନୀ ଓଡିଶାକୁ ପଳାଇ ଆସିବାର ସମ୍ଭାବନା ରହିଛି । ଏଠାରେ ଅନ୍ୟାନ୍ୟ ଭିତ୍ତିଭୂମି ମଧ୍ୟରେ ସମୁଦ୍ର ତଳେ ଆସୁଥିବା ଭୂତଳ ଇଣ୍ଟରନେଟ୍‍ କେବୁଲ ମଧ୍ୟ ସେମାନଙ୍କ କାର୍ଯ୍ୟକୁ ସହଜ କରିବ । ଉଲ୍ଲେଖନୀୟ ଯେ ଦେଶର ଯେଉଁସବୁ ରାଜ୍ୟକୁ ସମୁଦ୍ର ତଳେ ଇଣ୍ଟରନେଟ୍‍ ପହଞ୍ଚାଇବାର ବ୍ୟବସ୍ଥା ହେଉଛି ସେହି ତାଲିକାରେ ଓଡିଶାର ପୁରୀ ରହିଛି । ତେଣୁ ଆଗାମୀ ଦିନରେ ଭୁବନେଶ୍ୱରରେ ବାଧାରହିତ ଦ୍ରୁତଗାମୀ ଇଣ୍ଟରନେଟ୍‍ ସେବା ମିଳିପାରିବ । ତେଣୁ ଏଭଳି ସ୍ଥିତିରେ ବର୍ଷା ବିତ୍ପାତରେ ନାକେଦମ ହେଉଥିବା ଆଇଟି କମ୍ପାନୀଗୁଡିକ ଯଦି ବାଙ୍ଗାଲୋର ଛାଡି ଭୁବନେଶ୍ୱର ଆସନ୍ତି ତେବେ ଏଥିରେ କିଛି ଆଶ୍ଚର୍ଯ୍ୟ ହେବାର ନାହିଁ ବୋଲି ଆଇଟି ବିଶେଷଜ୍ଞମାନେ ମତ ଦେଉଛନ୍ତି । (ତଥ୍ୟ)