Home General ବାଘ ସୁରକ୍ଷା ଅର୍ଥ କମୁଛି

ବାଘ ସୁରକ୍ଷା ଅର୍ଥ କମୁଛି

ଭୁବନେଶ୍ୱର : ବାଘ ଓ ଅନ୍ୟ ବନ୍ୟଜନ୍ତୁଙ୍କ ସୁରକ୍ଷା ଓ ସଂରକ୍ଷଣ ପାଇଁ କେନ୍ଦ୍ର ସରକାର ଓଡିଶାକୁ ଯୋଗାଇ ଦେଉଥିବା ଅର୍ଥ ପରିମାଣ ହ୍ରାସ ପାଇବାରେ ଲାଗିଛି । ରାଜ୍ୟର ସାତକୋଶିଆ ଅଭ୍ୟୟାରଣ୍ୟ ପାଇଁ କେନ୍ଦ୍ର ସରକାର ୨୦୧୯-୨୦ ବର୍ଷରେ ୬କୋଟି ୪୨ଲକ୍ଷ ଟଙ୍କାରୁ ଅଧିକ ଅର୍ଥ ଯୋଗାଇ ଦେଇଥିବାବେଳେ ଚଳିତ ଆର୍ଥିକ ବର୍ଷରେ ଏହି ପରିମାଣ ୨କୋଟି ୧୮ଲକ୍ଷ ଟଙ୍କାକୁ ହ୍ରାସ ପାଇଛି । ବ୍ୟାଘ୍ର ସଂରକ୍ଷଣ ସଂକ୍ରାନ୍ତରେ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ ଲୋକସଭାରେ ଦେଇଥିବା ଉତ୍ତରରୁ ଏହି ସୂଚନା ମିଳିଛି ।

ମନ୍ତ୍ରୀ ଦର୍ଶାଇଛନ୍ତି ଯେ ଯେ ୨୦୧୯-୨୦ ବର୍ଷରେ ବାଘ ଓ ଅନ୍ୟାନ୍ୟ ବନ୍ୟଜନ୍ତୁଙ୍କ ସୁରକ୍ଷା ଓ ସଂରକ୍ଷଣ ପାଇଁ କେନ୍ଦ୍ର ସରକାର ୨୮୧କୋଟି ୭୫ଲକ୍ଷ ଟଙ୍କା ଯୋଗାଇ ଦେଇଥିବାବେଳେ ଓଡିଶାକୁ ମିଳିଥିଲା ୬କୋଟି ୪୨ଲକ୍ଷ ୭୯ ହଜାର ଟଙ୍କା । ସାତକୋଶିଆକୁ ମିଳିଥିବା ଏହି ଟଙ୍କା ମଧ୍ୟରୁ ୬.୨୪ କୋଟି ୨୫ହଜାର ଟଙ୍କା ବ୍ୟୟ ହୋଇଥିଲା । ଏହା ପରବର୍ଷ ଅର୍ଥାତ୍‍ ୨୦୨୦-୨୧ ବର୍ଷରେ କେନ୍ଦ୍ର ସରକାର ସାତକୋଶିଆ ପାଇଁ ୧.୪୦ କୋଟି ୬୮ହଜାର ଟଙ୍କା ପ୍ରଦାନ କରିଥିବାବେଳେ ରାଜ୍ୟ ସରକାର କିନ୍ତୁ ଏହାଠାରୁ ଅଧିକ ଅର୍ଥ ବ୍ୟୟ କରିଥିଲେ । ତେବେ ଚଳିତ ଆର୍ଥିକ ବର୍ଷରେ ସାତକୋଶିଆକୁ ୨କୋଟି ୧୮ଲକ୍ଷ ୧୦ହଜାର ଟଙ୍କା ମିଳିଥିବାବେଳେ ଖର୍ଚ୍ଚର ଚୂଡାନ୍ତ ହିସାବ ମିଳିପାରିନାହିଁ ।

ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଦର୍ଶାଇଛନ୍ତି ଯେ ସମଗ୍ର ଦେଶରେ ୨୦୧୯ ମସିହାରେ ୯୬ଟି ବାଘ ମୃତ୍ୟୁବରଣ କରିଥିବାବେଳେ ୨୦୨୦ ରେ ଏହି ସଂଖ୍ୟା ୧୦୬କୁ ବୃଦ୍ଧି ପାଇଥିଲା । ୨୦୨୧ ମସିହାରେ ଦେଶରେ ବାଘ ମୃତ୍ୟୁସଂଖ୍ୟା ୧୨୭ରେ ପହଞ୍ଚିଥିବାବେଳେ ଓଡିଶାରେ କିନ୍ତୁ ଗୋଟିଏ ହେଲେ ବାଘ ମରିନାହାନ୍ତି । ପଡୋଶୀ ଛତିଶଗଡ ଓ ପଶ୍ଚିମବଙ୍ଗରେ ଲଗାତାର ଭାବେ ବାଘ ମୃତ୍ୟୁବରଣ କରୁଥିବାବେଳେ ଓଡିଶାରେ କିନ୍ତୁ ଏଭଳି ଅଘଟଣ ଘଟୁନାହିଁ ।

ମନ୍ତ୍ରୀ ଦର୍ଶାଇଛନ୍ତି ଯେ ୨୦୧୮ ମସିହାରେ ହୋଇଥିବା ବାଘ ଗଣନା ଅନୁଯାୟୀ ସମଗ୍ର ଦେଶରେ ୨୯୬୭ଟି ବାଘ ଥିବାବେଳେ ଓଡିଶାରେ ଏମାନଙ୍କ ସଂଖ୍ୟା ଥିଲା ୨୮ । ସବୁଠାରୁ ଅଧିକ ୫୨୬ଟି ବାଘ ମଧ୍ୟପ୍ରଦେଶରେ ଥିବାବେଳେ କର୍ଣ୍ଣାଟକରେ ୫୨୪ ଓ ଉତ୍ତରାଖଣ୍ଡରେ ୪୪୨, ତାମିଲନାଡୁରେ ୨୬୪ ଏବଂ କେରଳ ଓ ଆସାମରେ ୧୯୦ କରି ବାଘ ଥିଲେ । ସବୁଠାରୁ କମ୍‍ ୩ଟି ବାଘ ଗୋଆରେ ଥିବାବେଳେ ଝାଡଖଣ୍ଡରେ ଏହି ସଂଖ୍ୟା ମାତ୍ର ୫ ରହିଥିଲା । (ତଥ୍ୟ)