Home General ବାଗଚୀ-କରୁଣାଶ୍ରୟ ଉଦଘାଟିତ

ବାଗଚୀ-କରୁଣାଶ୍ରୟ ଉଦଘାଟିତ

ଭୁବନେଶ୍ୱର : କର୍କଟ ରୋଗୀଙ୍କ ଯତ୍ନରେ ଆଉ ଏକ ମାଇଲଖଉଣ୍ଟଭାବେ ଆଜି ମୁଖ୍ୟ ଶାସନ ସଚିବ, ସୁରେଶ ଚନ୍ଦ୍ର ମହାପାତ୍ର ଗଣ୍ଡମୁଣ୍ଡାଠାରେ ବାଗଚୀ-କରୁଣାଶ୍ରୟ ଗୃହଭିତ୍ତିକ ସେବା(ହୋମ୍ କେୟାର ସର୍ଭିସ୍) କେନ୍ଦ୍ରର ଉଦଘାଟନ କରିଛନ୍ତି । ନିଜ ଉଦ୍ଘାଟନୀ ଅଭିଭାଷଣରେ ମୁଖ୍ୟ ଶାସନ ସଚିବ, ଶ୍ରୀ ମହାପାତ୍ର କହିଥିଲେ ଯେ ଓଡ଼ିଶା ସରକାର, ବାଙ୍ଗାଲୋର ହସ୍ପିସ୍ ଟ୍ରଷ୍ଟ ଏବଂ ବାଗ୍ଚୀ କରୁଣାଶ୍ରୟଙ୍କର ମିଳିତ ପ୍ରଚେଷ୍ଟାରେ ଓଡ଼ିଶାରେ ପ୍ରଥମଥର ପାଇଁ ଏହି ପ୍ରକାର ଅନନ୍ୟ ଅନୁଷ୍ଠାନ ଆରମ୍ଭ ହୋଇଛି । ଆଗାମୀ ଦିନରେ ସ୍ୱେଚ୍ଛାସେବୀ ସଂସ୍ଥାମାନଙ୍କର ସହାୟତା ନେଇ ରାଜ୍ୟର ବିଭିନ୍ନ ଅଂଚଳକୁ ଏହି ସେବା ସଂପ୍ରସାରିତ କରିବା ପାଇଁ ଶ୍ରୀ ମହାପାତ୍ର ପରାମର୍ଶ ଦେଇଥିଲେ ।

ସେ ଆଶା ପ୍ରକାଶ କରିଥିଲେ ଯେ ଇନ୍ଫୋଭ୍ୟାଲି-୨ ରେ ବାଗ୍ଚୀ-ଶ୍ରୀ ଶଙ୍କର କର୍କଟ ଚିକିତ୍ସାଳୟ ପ୍ରତିଷ୍ଠା ନିମନ୍ତେ ରାଜ୍ୟ ସରକାର ଦେଇଥିବା ଜମିରେ ବାଗ୍ଚୀ ଶ୍ରୀ ଶଙ୍କରଙ୍କର କର୍କଟ ଚିକିତ୍ସାଳୟ ଓ କରୁଣାଶ୍ରୟ ନିର୍ମାଣ ନିର୍ଦ୍ଧାରିତ ସମୟ ପୂର୍ବରୁ ଶିଘ୍ର ଶେଷ ହେବ । ଏହା ପୂର୍ଣ୍ଣାଙ୍ଗ ହେଲେ କର୍କଟ ଚିକିତ୍ସାକ୍ଷେତ୍ରରେ ଓଡ଼ିଶା ଏକ ନୂଆ ଅଧ୍ୟାୟ ସୃଷ୍ଟି କରିବ ।

ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ ଗବେଷଣା ପ୍ରତିଷ୍ଠାନର ନିର୍ଦ୍ଦେଶକ, ଡାକ୍ତର ଲଲାଟେନ୍ଦୁ ଷଡ଼ଙ୍ଗୀ ଏହି ଅବସରରେ କହିଥିଲେ ଯେ ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ଓଡ଼ିଶାରେ କର୍କଟ ରୋଗ ଚିକିତ୍ସା କ୍ଷେତ୍ରରେ ଅନେକ ପରିବର୍ତ୍ତନ ଆସିବା ଏହି କରୁଣାଶ୍ରୟ କର୍କଟ ପିଡୀତ ମାନଙ୍କ ପାଇଁ ଆବଶ୍ୟକ ଥିବା ମାନବିକ ଯତ୍ନର ଏକ ବଡ଼ ଶୂନ୍ୟସ୍ଥାନ ପୂରଣ କରୁଛି ।

ବାଙ୍ଗାଲୋର ହସ୍ପିସ୍ ଟ୍ରଷ୍ଟର ପରିଚାଳନା ଟ୍ରଷ୍ଟି ଶ୍ରୀ ଗୁରୁମିତ ସିଂ ରନ୍ଧାୱା ଏହି ଅନୁଷ୍ଠାନ ପ୍ରତିଷ୍ଠା ନିମନ୍ତେ ଓଡ଼ିଶା ସରକାରଙ୍କ ଯୁଗାନ୍ତକାରୀ ପଦକ୍ଷେପ ଓ ସହାୟତା ପାଇଁ ଉଚ୍ଚ ପ୍ରଶଂସା କରିଥିଲେ । ସେ କହିଥିଲେ ଯେ ଏହି କେନ୍ଦ୍ର ଏମ୍ସ, ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ ଗବେଷଣା ପ୍ରତିଷ୍ଠାନ ଏବଂ ରାଜଧାନୀ ଚିକିତ୍ସାଳୟଙ୍କ ସହ ସମନ୍ୱିତ ଭାବେ କାର୍ଯ୍ୟ କରିବ ।

ଏହି ଅବସରରେ ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ ଗବେଷଣା କେନ୍ଦ୍ର ଏବଂ ବାଗ୍ଚୀ କରୁଣାଶ୍ରୟ ହସ୍ପିସ୍ ଟ୍ରଷ୍ଟ ମଧ୍ୟରେ କର୍କଟ ଚିକିତ୍ସା ନିମନ୍ତେ ସହଯୋଗିତା ପାଇଁ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଥିଲା ।                                     

ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, ଓଡ଼ିଶାରେ ଉନ୍ନତ ମାନର କର୍କଟ ଚିକିତ୍ସା ସେବା ଯୋଗାଇବା ଉଦ୍ଦେଶ୍ୟରେ ଶ୍ରୀଯୁକ୍ତ ସୁବ୍ରତ୍ ବାଗ୍ଚୀ ଏବଂ ଶ୍ରୀମତି ସୁସ୍ମିତା ବାଗ୍ଚୀ ବାଙ୍ଗୋଲର କରୁଣାଶ୍ରୟକୁ ଅନୁରୋଧ କରିଥିଲେ । ଏଥି ନିମନ୍ତେ ଓଡ଼ିଶା ସରକାର ଭୁବନେଶ୍ୱର ଇନ୍ଫୋ ଭ୍ୟାଲି ଅଞ୍ଚଳରେ ୨୦ ଏକର ପରିମିତ ସ୍ଥାନ ଯୋଗାଇ ଦେଇଛନ୍ତି । ଏହାଛଡ଼ା ତୁରନ୍ତ ଗୃହଭିତ୍ତିକ ସେବା ଆରମ୍ଭ କରିବା ପାଇଁ ରାଜ୍ୟ ସରକାର ଗଣ୍ଡମୁଣ୍ଡା ଠାରେ ୧୦, ହଜାର ବର୍ଗଫୁଟର ବିଲ୍ଡିଂ ଯୋଗାଇ ଦେଇଛନ୍ତି । ଅକ୍ଟୋବର ୧୮ ତାରିଖରୁ ଏହି ସେବା ପରୀକ୍ଷା ମୂଳକ ଭାବେ ଆରମ୍ଭ କରାଯାଇଥିଲା । ସେଥରୁ ପ୍ରାପ୍ତ ଅନୁଭୂତି ଭିତ୍ତିରେ ଆଜି ଏହି ଗୃହ ଭିତ୍ତିକ ସେବା ବ୍ୟବସ୍ଥାର ଆନୁଷ୍ଠାନିକ ଶୁଭାରମ୍ଭ କରାଗଲା  ।

ବାଗ୍ଚୀ କରୁଣାଶ୍ରୟ କେନ୍ଦ୍ରରେ ନିୟୋଜିତ ଡାକ୍ତର, ସେବିକା, କାଉନ୍ସେଲର, ଫାର୍ମାସିଷ୍ଟ ଏବଂ ଅନ୍ୟାନ୍ୟ କର୍ମଚାରୀ ବିଏଚ୍ଟି ବେଙ୍ଗାଲୁରୁରେ ପ୍ରଶିକ୍ଷଣ ନେଇଛନ୍ତି । ବର୍ତ୍ତମାନ ଏହି ସେବା ଭୁବନେଶ୍ୱର ସହର ଏବଂ ତତ୍ସଂଲଗ୍ନ ୨୦ କି.ମି. ପରିଧି ଅଂଚଳ ମାନଙ୍କରେ ଉପଲବ୍ଧ ହେଉଛି । ବର୍ତ୍ତମାନ ପର୍ଯ୍ୟନ୍ତ ୭୦ ରୁ ଅଧିକ ରୋଗୀଙ୍କୁ ଗୃହଭିତ୍ତିକ ସେବା ଯୋଗାଇ ଦିଆଯାଉଛି । ଏହି କେନ୍ଦ୍ରଦ୍ୱାରା ଏଠାରେ ରୋଗୀମାନଙ୍କୁ ମାଗଣାରେ ଓୌଷଧ, ସେବା, ଶାନ୍ତ୍ୱନା ଦିଆଯିବା  ସହ ମାନସିକ ସ୍ତରରେ ଦୃଢ଼ କରାଯାଇଥାଏ ।

ବାଙ୍ଗାଲୋର ହସ୍ପିସ୍ ଟ୍ରଷ୍ଟର ସହ-ନିର୍ଦ୍ଦେଶକ, ଡାକ୍ତର ବବିତା ଭାରକେ କର୍କଟ ରୋଗୀଙ୍କୁ ଗୃହଭିତ୍ତିକ ସେବା ଯୋଗାଉଥିବା କର୍ମଚାରୀ ଏବଂ ଅନୁଷ୍ଠାନ ବିଷୟରେ ସଂପୂର୍ଣ୍ଣ ବିବରଣୀ ପ୍ରଦାନ କରିଥିଲେ । ଏହି ଅବସରରେ ସେବିକା ରଜାଲିନ୍ ସେନାପତି ଏବଂ ଜଣେ କର୍କଟ ରୋଗୀ ଶ୍ରୀ ରୂପଚନ୍ଦ୍ର ମଲ୍ଲିକ ନିଜର ଅନୁଭୂତି ବର୍ଣ୍ଣନା କରିଥିଲେ ।

ଓଡ଼ିଶ ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀ ସୁବ୍ରୋତୋ ବାଗ୍ଚୀ ଏବଂ ମୋ ସ୍କୁଲ୍ ଅଭିଯାନର ଅଧ୍ୟକ୍ଷ ଶ୍ରୀମତୀ ସୁସ୍ମିତା ବାଗ୍ଚୀ, ରାଜଧାନୀ ଚିକିତ୍ସାଳୟର ନିର୍ଦ୍ଦେଶକ ଡାକ୍ତର ଲକ୍ଷ୍ମୀଧର ସାହୁଙ୍କ ସମେତ କରୁଣାଶ୍ରୟର ଡାକ୍ତର, ସେବିକା ଓ କର୍ମଚାରୀମାନେ ଏହି ଉଦ୍ଘାଟନୀ ସଭାରେ ଅଂଶଗ୍ରହଣ କରିଥିଲେ ।