Home General ବସ୍ତି ବାସିନ୍ଦାଙ୍କ ଠାରୁ ଦଲାଲ ଲୁଟୁଛନ୍ତି ଟଙ୍କା

ବସ୍ତି ବାସିନ୍ଦାଙ୍କ ଠାରୁ ଦଲାଲ ଲୁଟୁଛନ୍ତି ଟଙ୍କା

ଭୁବନେଶ୍ୱର : ବସ୍ତି ବାସିନ୍ଦାଙ୍କୁ ଥଇଥାନ ଲାଗି ରାଜଧାନୀର ବିଭିନ୍ନ ସ୍ଥାନରେ ଆପାର୍ଟମେଣ୍ଟମାନ ନିର୍ମାଣ ଚାଲିଥିବାବେଳେ ଏଥରୁ ଫାଇଦା ଉଠାଇବାପାଇଁ ଏବେ ମାଳ ମାଳ ଦଲାଲ ଲକ୍ଷ ଲକ୍ଷ ଟଙ୍କା ଲୁଟୁଛନ୍ତି । ଏବେ ଠାରୁ ପରିସ୍ଥିତିକୁ ନିୟନ୍ତ୍ରଣକୁ ନଆଣିଲେ ଭବିଷ୍ୟତରେ ସମସ୍ୟା ଉତ୍କଟତର ହୋଇପାରେ ବୋଲି ବହୁ ବସ୍ତିବାସିନ୍ଦା ଅଭିଯୋଗ କରୁଛନ୍ତି ।

ଅତୀତରେ କଟକରେ ଏଭଳି ଏକ ଦୁର୍ନୀତିର ପର୍ଦ୍ଦାଫାସ ହୋଇଥିଲା । ଜଣେ ପୂର୍ବତନ କର୍ପୋରେଟରଙ୍କ ସ୍ୱାମୀ ବିଭିନ୍ନ ଲୋକଙ୍କୁ ଘର ଯୋଗାଇ ଦେବାପାଇଁ ମୋଟା ଅଙ୍କର ବଟି ଆଦାୟ କରି ଗିରଫ ହୋଇଥିଲେ । ସେହି ମାମଲା ଏବେ ବି ବିଚାରାଧିନ ରହିଛି ।

ଭୁବନେଶ୍ୱର ମହାନଗର ନିଗମ (ବିଏମ୍‍ସି)ର କେତେକ ଅଞ୍ଚଳରେ ଏବେ ବସ୍ତିବାସିନ୍ଦାଙ୍କ ଥଇଥାନ ଲାଗି ସହସ୍ରାଧିକ ଘର ନିର୍ମାଣ ଚାଲିଛି । ପୂର୍ବରୁ ମଇଁଷିଖାଲ ସମେତ ଆଉ କେତେକ ସ୍ଥାନରେ ଆପାର୍ଟମେଣ୍ଟ ନିର୍ମାଣ କରି ବସ୍ତିବାସିନ୍ଦାଙ୍କୁ ଦିଆଯାଇଥିଲା । ସେତେବେଳେ ବି ହିତାଧିକାରୀ ଚୟନରେ ହେରଫେର ହୋଇଥିବା ଘେନି ଅଭିଯୋଗ ଆସିଥିଲା ।

ବିଶେଷକରି ସାଲିଆ ସାହି, ମଙ୍ଗଳା ବସ୍ତି, ଇଶାନେଶ୍ୱର ବସ୍ତି ଆଦି ଅଞ୍ଚଳର ବାସିନ୍ଦାଙ୍କୁ ବହୁତଳ ବିଶିଷ୍ଟ ଆପାର୍ଟମେଣ୍ଟଗୁଡିକରେ ଥଇଥାନ କରିବାପାଇଁ ଯୋଜନା ହୋଇଛି । ସରକାର ସିଧାସଳଖ ଭାବେ ଘର ନିର୍ମାଣ କରୁଛନ୍ତି ଏବଂ ଏହା ବସ୍ତିବାସିନ୍ଦା ଓ ସହରାଞ୍ଚଳର ବାସହରାମାନଙ୍କୁ ଦିଆଯିବା ଲାଗି ବ୍ୟବସ୍ଥା ଅଛି । କେଉଁମାନେ ବସ୍ତିରେ ରହୁଛନ୍ତି ଏବଂ ଆଉ କେଉଁ ମାନଙ୍କର ସହରାଞ୍ଚଳରେ ଘର ନାହିଁ ସେ ତାଲିକା ପୂର୍ବରୁ ସର୍ଭେ କରି କର୍ତ୍ତୃପକ୍ଷ ରଖିଛନ୍ତି । ତେବେ ଘର ପାଇବାପାଇଁ ଯେତେ ଆଶାୟୀ ରହିଛନ୍ତି ସେମାନଙ୍କ ତୁଳନାରେ ଆପାର୍ଟମେଣ୍ଟଗୁଡିକରେ ପ୍ରସ୍ତୁତ ଘରସଂଖ୍ୟା କମ୍‍ ରହିଛି ।

ଗୃହ ଯୋଗାଣ ପ୍ରସଙ୍ଗରେ ଏବେ ପ୍ରାୟ ବସ୍ତିମାନଙ୍କରେ ଘନ ଘନ ବୈଠକ ବସୁଛି । ତେବେ କେତେକ ଦଲାଲ ଓ ଗୁଣ୍ଡାଶ୍ରେଣୀୟ ବ୍ୟକ୍ତି ଗୋଟିଏ ଗୋଟିଏ ପରିବାରକୁ ଏକାଧିକ ଆପାର୍ଟମେଣ୍ଟ ଦେବା ଏବଂ କାହାକୁ ଦିଆଯିବ ଓ ନଦିଆଯିବ ସେ ନିଷ୍ପତ୍ତି କୁଆଡେ ସେମାନେ ନେଉଛନ୍ତି ବୋଲି ପ୍ରଚାର କରି ଘର ଦେବାପାଇଁ ହିତାଧିକାରୀଙ୍କ ପିଛା ୪୦ ହଜାରରୁ ଲକ୍ଷେ ଟଙ୍କା ପର୍ଯ୍ୟନ୍ତ ସ୍ଥଳ ବିଶେଷରେ ଦାବି କରୁଛନ୍ତି । ଯେଉଁମାନେ ଟଙ୍କା ନଦେବେ ସେମାନଙ୍କ ନାଁ ତାଲିକାରୁ କଟିଯିବ ବୋଲି ଏମାନେ ଧମକ ଦେଉଥିବା କଥା ଅନେକ ବସ୍ତିବାସିନ୍ଦା ଖୋଲା ଅଭିଯୋଗ କରୁଛନ୍ତି ।

ଏଭଳି ବେଆଇନ୍‍ ଚାନ୍ଦା ଆଦାୟ କରୁଥିବା ଲୋକଙ୍କୁ ସହରାଞ୍ଚଳରେ ଘର ଯୋଗାଣ ପାଇଁ ନଗର ଉନ୍ନୟନ ବିଭାଗ, ବିଡିଏ କିମ୍ବା ବିଏମସି କ୍ଷମତା ଦେଇନାହିଁ । ଏହା ସତ୍ୱେ ବି ସେମାନେ ନିଜକୁ ବରିଷ୍ଠ ଅଧିକାରୀମାନଙ୍କ ପାଖଲୋକ ବୋଲି ପରିଚୟ ଦେଇ ହିତାଧିକାରୀମାନଙ୍କୁ ଭ୍ରମିତ କରୁଛନ୍ତି ।

କେବଳ ସେତିକି ନୁହେଁ ବିଶ୍ୱକପ୍‍ ହକି ପାଇଁ ରାଜଧାନୀର ବହୁ ଉଠା ଦୋକାନୀ ବେପାର ହରାଇଥିବାବେଳେ ସୋମନଙ୍କୁ ଥଇଥାନ କରାଇଦେବା ପାଇଁ ବି ଆଗରୁ ଦାଦାବଟି ନେଉଥିବା ଗୋଷ୍ଠି ଏବେ ବେଶ୍‍ ସକ୍ରିୟ ହୋଇ ଉଠିଛନ୍ତି । ଏହାଛଡା ରାଜଧାନୀର ରାସ୍ତାକଡରେ ସେମାନେ ସରକାରୀ ଜାଗା ମଧ୍ୟ ବିନା କବଲାରେ ବିକ୍ରି କରୁଛନ୍ତି । ଜାଭିୟର ଛକରୁ ଉତ୍କଳ ହସ୍ପିଟାଲ ଦେଇ ଯେଉଁ ଚଉଡା ରାସ୍ତା ଯାଇଛି ତାହାର ଦୁଇ କଡରେ ଏବେ ଅନେକ ଜାଗା ଏହି ଅସାମାଜିକ ବ୍ୟକ୍ତିମାନେ ବେଆଇନ୍‍ ଆବଣ୍ଟନ କରିସାରିଲେଣି । କାହାକୁ କେଉଁ ଜାଗା ଦିଆଯାଇଛି ସେହି ବ୍ୟକ୍ତିଙ୍କ ନାମ ରାସ୍ତାକଡରେ ଥିବା ପାଚେରୀରେ ଲେଖା ଯାଉଛି । ଏମିତିକି ବସ୍ତିରେ କେହି ଘରଟିଏ କରି ରହିବାକୁ ଚାହିଁଲେ ବି ବହୁ କ୍ଷେତ୍ରରେ ଏହି ଦାଦା ଗୋଷ୍ଠି ପ୍ରଚୁର ଚାନ୍ଦା ଆଦାୟ କରୁଛନ୍ତି ।(ତଥ୍ୟ)