Home News in Odia ବଳକା ବିଜୁଳି ସତ୍ୱେ ବି ବିଜୁଳି କାଟ୍‍

ବଳକା ବିଜୁଳି ସତ୍ୱେ ବି ବିଜୁଳି କାଟ୍‍

ଭୁବନେଶ୍ୱର : ରାଜ୍ୟରେ ବିଦ୍ୟୁତ୍‍ ଉତ୍ପାଦନ ପିକ୍‍ ସମୟରେ ସାଢେ ୪ହଜାର ମୋଗାୱାଟରେ ପହଞ୍ଚି ଥିବାବେଳେ ବଳକା ବିଜୁଳି ଅନ୍ୟ ରାଜ୍ୟକୁ ବିକ୍ରି ହେଉଛି । ଏଭଳି ସ୍ଥିତିରେ କିନ୍ତୁ ବର୍ଷାଦିନେ ବି ବିଜୁଳି କାଟ୍‍ ନେଇ ସାରା ରାଜ୍ୟରୁ ଅଭିଯୋଗ ଆସିବାରେ ଲାଗିଛି ।

ରାଜ୍ୟର ଅନ୍ୟ କେଉଁ ସ୍ଥାନ ନୁହେଁ, ଖୋଦ ରାଜଧାନୀର ବିଭିନ୍ନ ସ୍ଥାନରେ ଦିନକୁ ତିନି ଚାରିଥର ବିଜୁଳି କାଟ୍‍ ହେଉଛି । ସ୍ଥାନୀୟ ବିଦ୍ୟୁତ୍‍ ଅଫିସ୍‍କୁ ଫୋନ୍‍ କଲେ ମରାମତି ଚାଲିଛି ଅପେକ୍ଷା କରନ୍ତୁ କହି ଫୋନ୍‍ ରଖି ଦେଉଛନ୍ତି । ରାତି ଅଧରେ ଯଦି ଲାଇନ୍‍ ଯାଉଛି ତେବେ ସକାଳ ନହେଲେ ବିଜୁଳି ପାଇବା କଷ୍ଟକର । ପୋଖରୀପୁଟ, ଖଣ୍ଡଗିରି, ପଟିଆ, କେଶୁରା ଆଦି ଅଞ୍ଚଳରେ ଏହି ଅବସ୍ଥା ଲୋକଙ୍କ ଦିହସୁହା ହୋଇଗଲାଣି ।

ଅନ୍ୟ ଜିଲ୍ଲା ଅବସ୍ଥା ନକହିଲେ ଭଲ । କେଉଁ ଆଦିବାସୀ ଜିଲ୍ଲା ନୁହେଁ, ଉପକୂଳର କେନ୍ଦ୍ରାପଡା, ଜଗତ୍‍ସିଂହପୁର, ପୁରୀ ଆଦି ଜିଲ୍ଲାରେ ଘନ ଘନ ବିଜୁଳି କାଟ୍‍ରେ ଲୋକେ ଅତିଷ୍ଠ ହୋଇଗଲେଣି । ଜଗତ୍‍ସିଂହପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଦିନକୁ ଅତି କମ୍‍ରେ ୪/୫ ଘଣ୍ଟା ବିଜୁଳି କାଟ୍‍ ହେଉଛି । କାହିଁକି କଟୁଛି ତାହାର ଉତ୍ତର କେହି ଦେଉ ନାହାନ୍ତି । ଅବସ୍ଥା ଏଭଳି ହୋଇଛି ଯେ ଆକାଶରେ ବର୍ଷା ଦେଖାଦେଲେ ଲାଇନ୍‍ କଟିଯାଉଛି । ଦିନବେଳା ଯଦି ଲାଇନ୍‍ କଟୁଛି ତେବେ ୨/୩ ଘଣ୍ଟାରେ ଆସୁଥିବାବେଳେ ରାତିବେଳା ଗଲେ ତା ପରଦିନ ବିଜୁଳି ମିଳୁଛି ।

ସମଗ୍ର ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଅଘୋଷିତ ବିଦ୍ୟୁତ୍‍ କାଟ୍‍ର ଏହି ବିକଳ ଚିତ୍ର ପ୍ରତିଦିନ ଗଣମାଧ୍ୟମରେ ପ୍ରକାଶିତ ହେବାରେ ଲାଗିଛି । ଇତି ମଧ୍ୟରେ ବିଜୁଳି ବଣ୍ଟନ ଦାୟିତ୍ୱରେ ରିଲାୟନ୍ସ ଓ ରାଜ୍ୟ ସରକାର ଓହରି ଯିବା ସହିତ ଆଗାମୀ ୨୫ବର୍ଷ ପାଇଁ ଟାଟା ପାୱାର ହାତରେ ଏହି ମୌଳିକ ସେବା ଦାୟିତ୍ୱ ଟେକି ଦିଆଯାଇଛି ।

ତେବେ ଟାଟା ପାୱାର ହାତକୁ ବିଜୁଳି ସେବା ଯିବାପରେ ଗ୍ରାହକମାନେ ଅଧିକ ସୁବିଧା ସୁଯୋଗ ପାଇବେ ବିଶେଷକରି ଘନ ଘନ ବିଜୁଳି କାଟରୁ ରକ୍ଷାପାଇବେ ବୋଲି ଯେଉଁ ଆଶା ରଖିଥିଲେ ତାହା ମଉଳି ଗଲାଣି । ଖରାଦିନେ ତ ଦୂରରକଥା, ବର୍ଷା ଦିନେ ବି ଘଣ୍ଟା ଘଣ୍ଟା ଧରି ବିଜୁଳିର ଦେଖାଦର୍ଶନ ମିଳୁନାହିଁ । ଗୋଟିଏ ପଟେ ବର୍ଦ୍ଧିତ ବିଜୁଳି ଦର ମୁଣ୍ଡାଇଥିବା ଗ୍ରାହକଙ୍କ ପାଇଁ ବିଜୁଳି କାଟ୍‍ ଏବେ ବୋଝ ଉପରେ ଲଳିତା ବିଡା ଭଳି ହୋଇଛି ।

ରାଜ୍ୟବାସୀ ନିରନ୍ତର ବିଜୁଳି ସେବା ପାଇବାପାଇଁ ଡହଳ ବିକଳ ହେଉଥିବାବେଳେ ୨୦୧୪-୧୫ ରୁ ୨୦୨୦-୨୧ ବର୍ଷ ମଧ୍ୟରେ ରାଜ୍ୟ ସରକାର ୬ହଜାର କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଜୁଳି ବିକ୍ରିକରି ସାରିଲେଣି । ପ୍ରତିବର୍ଷ ବିକ୍ରି ହେଉଥିବା ବିଜୁଳିର ପରିମାଣ ବଢି ବଢି ଚାଲିଥିବାବେଳେ ରାଜ୍ୟରେ କିନ୍ତୁ ବିଜୁଳି ସଞ୍ଚୟ ପାଇଁ ହେଉ କିମ୍ବା ଅନ୍ୟ କୌଣସି ପାଇଁ ହେଉ ଘନ ଘନ ବିଜୁଳି କାଟରେ ରାଜ୍ୟବାସୀ ସନ୍ତୁଳି ହେଉଛନ୍ତି ।

ତେବେ ରାଜ୍ୟରେ ଯଦିଓ ବଳକା ବିଜୁଳି ଉତ୍ପାଦନ ହେଉଛି ତାହାର ଗୋଟିଏ ବଡ ଅଂଶ କିନ୍ତୁ ଏକ ପ୍ରକାର ପବନରେ ମିଳେଇ ଯାଉଛି । କାରଣ ରକ୍ଷଣା ବେକ୍ଷଣ ଓ ଭିତ୍ତିଭୂମି ଅଭାବ ଯୋଗୁଁ ଏବେ ବି ଚାରିଟି ବିତରଣ କମ୍ପାନୀର ପରିବହନ ଏବଂ ବିତରଣ ଜନିତ କ୍ଷତି ୧୯ରୁ ୨୪ ପ୍ରତିଶତ ରହିଛି । ବିଜୁଳି କାଟ୍‍ର ଏହା ଅନ୍ୟତମ କାରଣ ବୋଲି କୁହାଯାଉଛି । ତେବେ ସିଏ ଯାହା ହେଲେ ବି ଚଳିତ ବର୍ଷାଋତୁରେ ରାଜ୍ୟବାସୀ ଯେଭଳି ବିଜୁଳି କାଟର ସମ୍ମୁଖୀନ ହେଉଛନ୍ତି ତାହା ପୂର୍ବରୁ କେବେ ପରିଲକ୍ଷିତ ହେଉନଥିଲା । (ତଥ୍ୟ)