Home General ବଳକା ଚାଉଳକୁ ନେଇ ଲଢେଇ ଜାରି

ବଳକା ଚାଉଳକୁ ନେଇ ଲଢେଇ ଜାରି

ଭୁବନେଶ୍ୱର : ଓଡିଶାରେ ଥିବା ବଳକା ଉଷୁନା ଚାଉଳ ଉଠାଇବା ସପକ୍ଷରେ କେନ୍ଦ୍ର ସରକାର ନଥିବାରୁ ଦୀର୍ଘଦିନ ଧରି ବିଜେଡି ସରକାର ଏ ନେଇ କେନ୍ଦ୍ର ସହିତ ଲଢେଇ ଜାରି ରଖିଛି । କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଣ୍ଟନ ରାଷ୍ଟ୍ରମନ୍ତ୍ରୀ ସ୍ୱାଧୀ ନିରଞ୍ଜନ ଜ୍ୟୋତି ରାଜ୍ୟସଭାରେ ଦେଇଥିବା ଲିଖିତ ଉତ୍ତରରୁ ଏହା ଜଣାପଡିଛି ।

ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ପଚାରିଥିଲେ ଯେ ଏଫ୍‍ସିଆଇ ଓଡିଶାରୁ ଉଷୁନା ଚାଉଳ ଉଠାଇବାକୁ ମନାକରି ଦେଇଛି କି ? ଯଦି ହଁ, ତେବେ ଏହାର କାରଣ କ’ଣ ? ଉତ୍ତରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଚାଷୀଙ୍କ ଠାରୁ ଧାନ ସଂଗ୍ରହ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ରାଜିନାମା ସ୍ୱାକ୍ଷରିତ ହୋଇଛି । ଏହି ରାଜିନାମାରେ ଉଲ୍ଲେଖ ଅଛି ଯେ ସାଧାରଣ ବଣ୍ଟନ ବ୍ୟବସ୍ଥା ଓ ଅନ୍ୟ କଲ୍ୟାଣକାରୀ ଯୋଜନା ପାଇଁ ଆବଶ୍ୟକ ହେଉଥିବା ଚାଉଳ ଠାରୁ ଯଦି ଅଧିକ ଚାଉଳ ରାଜ୍ୟ ନିକଟରେ ଗଚ୍ଛିତ ରହିଯିବ ତେବେ ଏହି ବଳକା ଚାଉଳକୁ ରାଜ୍ୟ ସରକାର ଭାରତୀୟ ଖାଦ୍ୟ ନିଗମ (ଏଫ୍‍ସିଆଇ) କୁ ଦେବେ । ତେବେ ସମଗ୍ର ଦେଶର ଆବଶ୍ୟକତା ପାଇଁ କେନ୍ଦ୍ରୀୟ ପୁଲ୍‍ ଲାଗି ନେବାକୁ ଥିବା ଏହି ଚାଉଳକୁ ଅରୁଆ କିମ୍ବା ଉଷୁନା ଆକାରରେ ସଂଗ୍ରହ କରିବ ତାହା ଏଫ୍‍ସିଆଇ ଉପରେ ନିର୍ଭର କରେ ।

କେନ୍ଦ୍ରୀୟ ପୁଲ୍‍ରେ ଉଷୁନା ଚାଉଳ ଗଚ୍ଛିତ ପରିମାଣ ବଢି ଚାଲିଥିବାରୁ ୨୦୨୧-୨୨ରେ ଏଫ୍‍ସିଆଇ ଆଉ ଓଡିଶାରୁ ଉଷୁନା ଚାଉଳ ଉଠାଇବା ସ୍ଥିତିରେ ନାହିଁ ବୋଲି ରାଜ୍ୟ ସରକାରଙ୍କୁ ଅବଗତ କରିଥିଲା । ତେଣୁ ରାଜ୍ୟ ସରକାର ଉଷୁନା ଚାଉଳକୁ ରାଜ୍ୟ ଭିତରେ ଖର୍ଚ୍ଚ କରିବା ଆବଶ୍ୟକ ବୋଲି କେନ୍ଦ୍ରମନ୍ତ୍ରୀ ଦର୍ଶାଇଛନ୍ତି ।

ବର୍ତ୍ତମାନ ସୁଦ୍ଧା ଓଡିଶା ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ ପରେ କେନ୍ଦ୍ର ସରକାର ୨୦୨୧-୨୨ ଖରିଫରେ ଏଫ୍‍ସିଆକୁ ୫ଲକ୍ଷ ମେଟ୍ରିକ ଟନ୍‍ ଭିଟାମିନଯୁକ୍ତ ଉଷୁନାଚାଉଳ ଦେବାକୁ ରାଜ୍ୟକୁ ଅନୁମତି ଦେଇଛନ୍ତି ଏବଂ ବଳକା ଚାଉଳକୁ ଅରୁଆ ଆକାରରେ ଦେବାକୁ କୁହାଯାଇଛି । ମନ୍ତ୍ରୀଙ୍କ ଉତ୍ତରରୁ ଲକ୍ଷ୍ୟ କରାଯାଇଛି ଯେ ବଳକା ଉଷୁନା ଚାଉଳକୁ ଆଉ କେନ୍ଦ୍ର ସରକାର ଉଠାଇବା ମୁଡ୍‍ରେ ନାହାନ୍ତି ।

ଗତ ୫ବର୍ଷ ମଧ୍ୟରେ ଏଫ୍‍ସିଆଇ ଓଡିଶାରୁ ଉଠାଣ କରିଥିବା ଚାଉଳ ସଂକ୍ରାନ୍ତରେ ସୂଚନା ଦେଇ କେନ୍ଦ୍ରମନ୍ତ୍ରୀ ଦର୍ଶାଇଛନ୍ତି ଯେ ୨୦୧୬-୧୭ ଖରିଫ ଋତୁରେ ୧୬.୦୯ ଲକ୍ଷ ମେଟ୍ରିକ ଟନ୍‍ ଚାଉଳ ନେଇଥିବାବେଳେ ୨୦୧୭-୧୮ରେ ୧୨.୩୬ ଲକ୍ଷ ମେଟ୍ରିକ ଟନ୍‍, ୨୦୧୮-୧୯ ରେ ୧୭.୮୩ ଲକ୍ଷ ମେଟ୍ରିକ ଟନ୍‍, ୨୦୧୯-୨୦ ରେ ୧୭.୨୧ ଲକ୍ଷ ମେଟ୍ରିକ ଟନ୍‍ ଓ ଗତବର୍ଷ ଏହି ପରିମାଣ ୧୮.୯୯ ଲକ୍ଷ ମେଟ୍ରିକ ଟନ୍‍ ରହିଛି । ତେବେ ୨୦୨୧-୨୨ ଖରିଫ ଋତୁରେ ଚଳିତ ମାର୍ଚ୍ଚ ୧୫ତାରିଖ ସୁଦ୍ଧା ରାଜ୍ୟ ସରକାର ଚାଷୀଙ୍କ ଠାରୁ ୫୬.୧୯ଲକ୍ଷ ମେଟ୍ରିକ ଟନ୍‍ ଧାନ ସଂଗ୍ରହ କରିଥିବା ମନ୍ତ୍ରୀ ଉଲ୍ଲେଖ କରିଛନ୍ତି । (ତଥ୍ୟ)