Home News in Odia ବର୍ଦ୍ଧିତ ସେସ୍ ପ୍ରତ୍ୟାହାର କର

ବର୍ଦ୍ଧିତ ସେସ୍ ପ୍ରତ୍ୟାହାର କର

ଭୁବନେଶ୍ୱର : ପେଟ୍ରୋଲ ଡିଜେଲ ଉପରେ କେନ୍ଦ୍ର ସରକାର ଲଗାଇଥିବା ବର୍ଦ୍ଧିତ ସେସ୍‍ ପ୍ରତ୍ୟାହାର ପାଇଁ ଦାବି କରିଛି ବିଜେଡି । ବିଜେଡି ସାଧାରଣ ସମ୍ପାଦକ ସଞ୍ଜୟ କୁମାର ଦାସବର୍ମା କହିଛନ୍ତି ଯେ ଗତ ୬ ବର୍ଷ ଭିତରେ ଦେଶରେ ନିତ୍ୟବ୍ୟବହାର୍ଯ୍ୟ ଦ୍ରବ୍ୟ ହୁ ହୁ ହୋଇ ବଢ଼ିଚାଲିଛି । କୋଭିଡ଼୍ ମହାମାରୀ ପରେ ଗରିବ, ମଧ୍ୟବିତ୍ତ ଶ୍ରେଣୀ ଲୋକ ଦରବୃଦ୍ଧି ଯୋଗୁ ବେଶି ହନ୍ତସନ୍ତ ହେଉଛନ୍ତି । ପେଟ୍ରୋଲ୍‌, ଡିଜେଲ୍ ଓ ପେଟ୍ରୋଲିୟମ୍ ଉତ୍ପାଦ ଉପରେ ନୂତନ ସେସ୍ ଲାଗୁ ଯୋଗୁ ଦରଦାମ୍ ଭୟଙ୍କର ସ୍ଥିତିରେ ପହଞ୍ଚିଛି । 

ଗତ ୧ ତାରିଖରେ ସଂସଦରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କୃଷି ଭିତ୍ତିଭୂମି ଉନ୍ନୟନ ପାଇଁ ନୂତନ ସେସ୍ ପେଟ୍ରୋଲ୍ ଓ ଡିଜେଲ୍ ଉପରେ ଲାଗୁ କରାଯିବ ବୋଲି ଘୋଷଣା କରିବାସମୟରେ ଦେଶବାସୀଙ୍କୁ ଆଶ୍ୱସ୍ତ କରିଥିଲେ କି, ଡିଜେଲ୍ ଏବଂ ପେଟ୍ରୋଲ୍ ଉପରେ ନୂତନ ସେସ୍ ଲାଗୁ କରାଯାଉଥିଲେହେଁ ସାଧାରଣ ଉପଭୋକ୍ତାଙ୍କ ଉପରେ ଏହାର ବୋଝ ପଡ଼ିବନି କିମ୍ବା ତୈଳଦର ବୃଦ୍ଧି ଘଟିବନି । କିନ୍ତୁ ଦୁର୍ଭାଗ୍ୟର କଥା, କେନ୍ଦ୍ରମନ୍ତ୍ରୀଙ୍କ ଏହି ଘୋଷଣା ପରେ ୭ ଥର ଡିଜେଲ ଓ ପେଟ୍ରୋଲ୍‌ର ଦରବୃଦ୍ଧି ଘଟିଲାଣି । 

ଏହି ସର୍ବକାଳୀନ ବୃଦ୍ଧି ଯୋଗୁ ପେଟ୍ରୋଲ୍ ଓଡ଼ିଶାରେ ୯୩ଟଙ୍କାରେ ପହଞ୍ଚିଥିବାବେଳେ ଡିଜେଲ୍ ୯ଠ ଟଙ୍କା ଛୁଇଁଛି । ଗତ ୪୪ ଦିନରେ ଡିଜେଲ୍‌, ପେଟ୍ରୋଲ୍‌ର ୧୭ଥର ମୂଲ୍ୟ ବୃଦ୍ଧି ହେଲାଣି । ମାଲ୍ ପରିବହନ ସହିତ ପ୍ରତ୍ୟେକ କ୍ଷେତ୍ରକୁ ଏହି ଦରବୃଦ୍ଧି ପ୍ରଭାବିତ କରିଛି । ଏହି ବର୍ଦ୍ଧିତ ସେସ୍‌ରୁ ରାଜ୍ୟମାନଙ୍କୁ କିଛି ରାଜସ୍ୱ ମିଳେନାହିଁ । ଜରୁରୀ କିମ୍ବା ଅସାଧାରଣ ପରିସ୍ଥିତିରେ ସେସ୍ ବୃଦ୍ଧିର ଆବଶ୍ୟକତା ପଡ଼ିଥାଏ । 

କିନ୍ତୁ କେନ୍ଦ୍ର ସରକାର “ଆମ୍ ଜନତାର ବଜେଟ୍‌” ଓ “ଦରଦାମ୍ ନିୟନ୍ତ୍ରଣ କରିବୁ” କହି ଜନସାଧାରଣଙ୍କ ବିଶ୍ୱାସ ହାସଲ କରିଥିବାବେଳେ ଏପରି ଦରବୃଦ୍ଧି ଦ୍ୱାରା ମେହନତି ମଣିଷ, ଚାଷୀକୁଳ, ଯୁବକ-ଛାତ୍ର, ମଧ୍ୟବିତ୍ତ ଓ ନିମ୍ନମଧ୍ୟବିତ୍ତବର୍ଗ ଭୀଷଣ ଭାବେ ପ୍ରଭାବିତ ହୋଇଛନ୍ତି ବୋଲି ବିଜେଡିର ରାଜ୍ୟ ସାଧାରଣ ସମ୍ପାଦକ (ମୁଖ୍ୟାଳୟ) ସଞ୍ଜୟ ଦାସବର୍ମା ଏକ ପ୍ରେସ୍ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି ।

ଦେଶରେ କେଉଁ ଜରୁରୀ ପରିସ୍ଥିତି ସୃଷ୍ଟି ହେଲା; ଯେଉଁଥିପାଇଁ କେନ୍ଦ୍ରମନ୍ତ୍ରୀ ଏହି ବର୍ଦ୍ଧିତ ସେସ୍‌କୁ ଗରିବ ଜନସାଧାରଣଙ୍କ ଉପରେ ଲଦିଦେଲେ ତାହା ଜଣାଇବାକୁ ଶ୍ରୀ ଦାସବର୍ମା ଦାବି କରିଛନ୍ତି । ୨ଠ୧୫ ମସିହାରେ ବିଶ୍ୱ ବଜାରରେ ଅଶୋଧିତ ତୈଳଦରରେ ବୃଦ୍ଧି ଘଟିଥିଲେ ମଧ୍ୟ ଡିଜେଲ୍ ଓ ପେଟ୍ରୋଲ୍ ମୂଲ୍ୟ ୬୫ ଟଙ୍କା ଭିତରେ ଉପଲବ୍ଧ ହେଉଥିଲା । ହେଲେ ୨ଠ୨୧ରେ ବିଶ୍ୱ ବଜାରରେ ଅଶୋଧିତ ତୈଳଦର ମୂଲ୍ୟ ବ୍ୟାରେଲ୍ ପିଛା ୬୧ ଡଲାର ଥିବାବେଳେ ଆଜି ପେଟ୍ରୋଲ୍ ଓ ଡିଜେଲ୍ ଦର ସର୍ବକାଳୀନ ବୃଦ୍ଧି ଘଟି ଯଥାକ୍ରମେ ୯୩ ଓ ୯ଠ ଟଙ୍କାରେ ପହଞ୍ଚିଛି । 

କେନ୍ଦ୍ରର ଏଭଳି ଜନବିରୋଧୀ ନିଷ୍ପତ୍ତିକୁ ବିରୋଧ କରିବା ସହିତ ଏହି ବର୍ଦ୍ଧିତ ସେସ୍‌କୁ ପ୍ରତ୍ୟାହାର କରିବା ପାଇଁ ଶ୍ରୀ ଦାସବର୍ମା ଦାବି କରିଛନ୍ତି । ସେହିପରି ରନ୍ଧନ ଗ୍ୟାସ୍‌ର ମୂଲ୍ୟ ବୃଦ୍ଧି ଆଜି ସବୁସୀମାକୁ ଟପି ୭୪୫ ଟଙ୍କାରେ ପହଞ୍ଚିଛି । ରନ୍ଧନ ଗ୍ୟାସ୍ ଦର ବଢ଼ାଇ କେନ୍ଦ୍ର ସରକାର ମା’ମାନଙ୍କ ହାଣ୍ଡିଶାଳ ଉପରେ ମଧ୍ୟ ଆକ୍ରମଣ କରିଛନ୍ତି ବୋଲି ଶ୍ରୀ ଦାସବର୍ମା କହିଛନ୍ତି ।