Home Administration ବରିଷ୍ଠ ଆଇଏଏସଙ୍କୁ ଅତିରିକ୍ତ ଦାୟିତ୍ୱ

ବରିଷ୍ଠ ଆଇଏଏସଙ୍କୁ ଅତିରିକ୍ତ ଦାୟିତ୍ୱ

ଭୁବନେଶ୍ୱର : ରାଜ୍ୟ ସରକାର ଆଜି ବରିଷ୍ଠ ଆଇଏଏସ୍‍ ଅଫିସରମାନଙ୍କୁ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରିଛନ୍ତି । ଗୋପବନ୍ଧୁ ଏକାଡେମୀର ମହାନିର୍ଦ୍ଦେଶକ ଥିବା ୧୯୮୭ ବ୍ୟାଚ୍‍ ଆଇଏଏସ୍‍ ରାଜ କୁମାର ଶର୍ମାଙ୍କୁ ଅତିରିକ୍ତ ଭାବେ କଟକ ସ୍ଥିତ ରାଜସ୍ୱ ପାର୍ଷଦ ସଦସ୍ୟ ଦାୟିତ୍ୱ ପ୍ରଦାନ କରାଯାଇଛି । ରାଜସ୍ୱ ପାର୍ଷଦ ସଦସ୍ୟ ଥିବା ବରିଷ୍ଠ ଆଇଏଏସ୍‍ ଅଫିସର ଜିଭିଭି ଶର୍ମା ଆସନ୍ତା ୩୧ ତାରିଖରେ ଅବସର ଗ୍ରହଣ କରିବାକୁ ଯାଉଛନ୍ତି ।

ସେହିଭଳି ଉନ୍ନୟନ କମିଶନର ଥିବା ୧୯୮୯ ବ୍ୟାଚ୍‍ ଆଇଏଏସ୍‍ ଅଫିସର ପ୍ରଦୀପ କୁମାର ଜେନାଙ୍କୁ ଅତିରିକ୍ତ ଭାବେ କୃଷି ଉତ୍ପାଦନ କମିଶନର ଦାୟିତ୍ୱ ପ୍ରଦାନ କରାଯାଇଛି । କୃଷି ଉତ୍ପାଦନ କମିଶନର ଥିବା ସଞ୍ଜିବ କୁମାର ଚୋପ୍ରା କେନ୍ଦ୍ରୀୟ ଡେପୁଟେସନରେ ଯାଉଛନ୍ତି । ଶ୍ରୀ ଜେନା ମଧ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ଓ ଓସଡମାର ପରିଚାଳନା ନିର୍ଦ୍ଦେଶକ ଦାୟିତ୍ୱରେ ଅଛନ୍ତି ।

ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଥିବା ୧୯୯୧ ବ୍ୟାଚ୍‍ ଆଇଏଏସ୍‍ ସତ୍ୟବ୍ରତ ସାହୁଙ୍କୁ ଅତରିକ୍ତ ଭାବେ ଓଡିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି ବିଭାଗର ଦାୟିତ୍ୱ ପ୍ରଦାନ କରାଯାଇଛି । ଏହି ବିଭାଗ ଦାୟିତ୍ୱରେ ଥିବା ବରିଷ୍ଠ ଆଇଏଏସ୍‍ ଅଫିସର ମଧୁସୂଦନ ପାଢୀ ଆସନ୍ତା ୩୧ ତାରିଖରେ ଅବସର ଗ୍ରହଣ କରିବାକୁ ଯାଉଛନ୍ତି ।

ଇସ୍ପାତ ଓ ଖଣି ବିଭାଗର ପ୍ରମୁଖ ଶାସନ ସଚିବ ସହିତ ଓଏମ୍‍ସି, ଓଏମ୍‍ଇସିଏଲ୍‍, ଇଡିକଲର ଅଧ୍ୟକ୍ଷ ଥିବା ୧୯୯୩ ବ୍ୟାଚ୍‍ ଆଇଏଏସ୍‍ ଦେଓ ରଞ୍ଜନ କୁମାର ସିଂହଙ୍କୁ ଅତରିକ୍ତ ଭାବେ ଗୃହ ବିଭାଗର ଦାୟିତ୍ୱ ପ୍ରଦାନ କରାଯାଇଛି । ଗୃହ ବିଭାଗ ଦାୟିତ୍ୱରେ ଥିବା ବରିଷ୍ଠ ଆଇଏସ୍‍ ସଞ୍ଜିବ କୁମାର ଚୋପ୍ରା କେନ୍ଦ୍ରୀୟ ଡେପୁଟେସନରେ ଯାଉଛନ୍ତି ।

ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଭାବେ ଦାୟିତ୍ୱ ତୁଲାଉଥିବା ୧୯୯୬ ବ୍ୟାଚ୍‍ ଆଇଏଏସ୍‍ ଶାଶ୍ୱତ ମିଶ୍ରଙ୍କୁ ଅତିରିକ୍ତ ଭାବେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଦାୟିତ୍ୱ ପ୍ରଦାନ କରାଯାଇଛି । ଏହି ବିଭାଗ ଦାୟିତ୍ୱ ଅତରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ତୁଲାଉଥିଲେ ।

ସେହିଭଳି ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ସହିତ ଶିକ୍ଷକ ପ୍ରଶିକ୍ଷଣ ଏବଂ ଏସ୍‍ସିଇଆରଟି ଏବଂ ଇଂରାଜୀ ଶିକ୍ଷା ତାଲିମ ଅନୁଷ୍ଠନାର ନିର୍ଦ୍ଦେଶିକା ଥିବା ୨୦୦୬ ବ୍ୟାଚ୍‍ ଆଇଏଏସ୍‍ ରୂପା ରୋଶନ ସାହୁଙ୍କୁ ଅତିରିକ୍ତ ଭାବେ ରାଜ୍ୟ ଅନୁସୂଚିତ ଜନଜାତି, ଜାତି ଏବଂ ପଛୁଆବର୍ଗ କଲ୍ୟାଣ ବିଭାଗର ପ୍ରମୁଖ ଶାସନ ସଚିବ ଦାୟିତ୍ୱ ପ୍ରଦାନ କରାଯାଇଛି । ଏହି ବିଭାଗର ଦାୟିତ୍ୱ ଅତରିକ୍ତ ଭାବେ ବରିଷ୍ଠ ଆଇଏଏସ୍‍ ଅଫିସର ଶାଶ୍ୱତ ମିଶ୍ର ତୁଲାଉଥିଲେ ।