Home General ବନ୍ୟ ରେଶମ ପ୍ରକଳ୍ପ ପାଇଁ ବୁଝାମଣା

ବନ୍ୟ ରେଶମ ପ୍ରକଳ୍ପ ପାଇଁ ବୁଝାମଣା

ଭୁବନେଶ୍ୱର : ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ, ବାଙ୍ଗାଲୋରସ୍ଥିତ କେନ୍ଦ୍ରୀୟ ସିଲକ୍‌ ବୋର୍ଡ ଏବଂ ଓଡ଼ିଶା ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଦ୍ୱାରା ଓଡ଼ିଶାରେ ବନ୍ୟ ରେଶମ ଉନ୍ନୟନ ପ୍ରକଳ୍ପ ସଂପର୍କିତ ଏକ ତି୍ରପାକ୍ଷିକ ବୁଝାମଣା ପତ୍ର ମିଳିତ ଭାବେ ଆଜି ସ୍ୱାକ୍ଷରିତ ହୋଇଯାଇଛି ।

ପ୍ରସ୍ତାବିତ ଏହି ପ୍ରକଳ୍ପ ଦ୍ୱାରା ଜଙ୍ଗଲ ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ରହୁଥିବା ଗ୍ରାମବାସୀ ଏବଂ ଜଙ୍ଗଲ ଉପରେ ନିର୍ଭରଶୀଳ ଅଧିବାସୀଙ୍କ ପାଇଁ ବନ ସଂରକ୍ଷଣ ସମିତି ଜରିଆରେ ପୋଷଣୀୟ ଜୀବନଜୀବିକା ଉପଲବ୍ଧ ହେବ । ଏହି କାର୍ଯ୍ୟକ୍ରମ ଜରିଆରେ ଗ୍ରାମାଞ୍ଚଳ ଏବଂ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ରେଶମ ଚାଷୀଙ୍କ ଅଧିକ ଖୋସା ଉତ୍ପାଦନ ପାଇଁ ଟସର ପୋକ ଖାଦ୍ୟ ଭାବେ ବ୍ୟବହାର କରୁଥିବା ଅସନ ଓ ଅର୍ଜୁନ ଗଛ ରାଜ୍ୟ ଜଙ୍ଗଲ ବିଭାଗ ପକ୍ଷରୁ ବହୁଳ ଭାବେ ଲଗାଯିବ ।

ରାଜ୍ୟର ୧୮ଟି ବନଖଣ୍ଡ ଯଥା-ଆଠମଲ୍ଲିକ, ଢେଙ୍କାନାଳ, କଟକ, ବୌଦ୍ଧ, ବରଗଡ଼, ସୁନ୍ଦରଗଡ଼, ବଣାଇ, ଦେବଗଡ଼, କେନ୍ଦୁଝର, ବାରିପଦା, ରାଇରଙ୍ଗପୁର, ବଲାଙ୍ଗୀର, ଖରିଆଳ, ରାୟଗଡ଼ା, କୋରାପୁଟ, ଜୟପୁର, ନବରଙ୍ଗପୁର ଏବଂ ମାଲକାନଗିରି ବନଖଣ୍ଡରେ ଚଳିତ ବର୍ଷ ଏହି ବନ୍ୟ ରେଶମ ପ୍ରକଳ୍ପ କାର୍ଯ୍ୟକାରୀ ହେବ ।

ଏହି ପ୍ରକଳ୍ପ ରାଜ୍ୟରେ ଜନଜାତିମାନଙ୍କର ଜୀବନଜୀବିକା ନିମନ୍ତେ ଉପଯୋଗୀ ହେବ । ମହିଳା ସଶକ୍ତିକରଣ ସହିତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଜରିଆରେ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।

ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ସେରିକଲଚର ଶାଖା ପକ୍ଷରୁ ଆଞ୍ଚଳିକ ସ୍ତରରେ ଟସର ବନୀକରଣ ନିମନ୍ତେ ଆବଶ୍ୟକୀୟ ବୈଷୟିକ ପରାମର୍ଶ ପ୍ରଦାନ କରାଯିବ । ଉତ୍ପାଦିତ ଟସର କୋଷା ବା କୁକୁନ୍‌କୁ ୫୯ଟି ପ୍ରାଥମିକ ଟସର ପାଳନ ସମବାୟ ସମିତି ଓ ସେରିଫେଡ୍‌ ମାଧ୍ୟମରେ ବିପଣନ କରାଯିବ । ପ୍ରାଥମିକ ଅବସ୍ଥାରେ ବନ ସୁରକ୍ଷା ସମିତି ସଦସ୍ୟସଦସ୍ୟାଙ୍କୁ ନିକଟସ୍ଥ ଟସର ସିଲକ୍‌ ପାର୍କ ସହିତ ଟ୍ୟାଗ୍‌ କରାଯିବ । କ୍ରମଶଃ, କୋଷାର ମୂଲ୍ୟଯୁକ୍ତ ଉତ୍ପାଦ ପ୍ରସ୍ତୁତ କରାଯିବ । କେନ୍ଦ୍ରୀୟ ସିଲକ୍‌ ବୋର୍ଡ ଦ୍ୱାରା ସିଲକ୍‌ ସମଗ୍ର-୨ ଯୋଜନାରେ ଏହି ପ୍ରକଳ୍ପ ପାଇଁ ଆର୍ଥିକ ସହାୟତା ପ୍ରଦାନ କରାଯିବ । କେନ୍ଦ୍ରୀୟ ସିଲକ୍‌ ବୋର୍ଡ ୟୁନିଟ୍‌ ମାଧ୍ୟମରେ ମୌଳିକ ଟସର ବିହନ ଉତ୍ପାଦନ କରାଯାଇ ବନ ସୁରକ୍ଷା ସମିତିର ସଦସ୍ୟସଦସ୍ୟାଙ୍କୁ ଯୋଗାଇ ଦିଆଯିବ ।

ଏହି ବୁଝାମଣା ପତ୍ର ସ୍ୱାକ୍ଷରିତ କାର୍ଯ୍ୟକ୍ରମରେ ଉପସ୍ଥିତ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ମୋନା ଶର୍ମା କହିଥିଲେ ଯେ ବୁଝାମଣା ପତ୍ର ସ୍ୱାକ୍ଷରିତ କରୁଥିବା ଏହି ତିନିଟି ସଂସ୍ଥା କାର୍ଯ୍ୟକ୍ରମ ରୂପାୟନ କ୍ଷେତ୍ରରେ ଅତ୍ୟନ୍ତ ସଶକ୍ତ । ତେଣୁ ଏହି ବୁଝାମଣାପତ୍ର ସ୍ୱାକ୍ଷର ଆମ ପାଇଁ ଏକ ବଡ଼ ସଫଳତା ।

ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ତଥା ବନବାହିନୀ ମୁଖ୍ୟ ଶିଶିର କୁମାର ରଥୋ, କେନ୍ଦ୍ରୀୟ ସିଲକ୍‌ ବୋର୍ଡର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ସଦସ୍ୟ ସଚିବ ଶ୍ରୀ ରଜିତ ରଞ୍ଜନ ଓଖାଣ୍ଡିଆର୍‌ ଏବଂ ରାଜ୍ୟ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା ଏହି ପ୍ରକଳ୍ପ ଜନଜାତି ଏବଂ ଗ୍ରାମାଞ୍ଚଳବାସୀଙ୍କ ଜୀବନଜୀବିକା ନିମନ୍ତେ ବେଶ୍‌ ଉପଯୋଗୀ ସାବ୍ୟସ୍ତ ହେବ ବୋଲି କହିଥିଲେ ।

ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ଶ୍ରୀ ପ୍ରଦୀପ ରାଜ କରାଟ, ମୁଖ୍ୟ ବନ ସଂରକ୍ଷକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ରାଜ୍ୟ କାମ୍ପା, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ବୟନ ଓ ହସ୍ତତନ୍ତ ନିର୍ଦ୍ଦେଶକ ଶ୍ରୀ ସୁଶାନ୍ତ ଦାଶ ଏବଂ ଭାରତ ସରକାରଙ୍କ କେନ୍ଦ୍ରୀୟ ସିଲକ୍‌ ବୋର୍ଡ ପକ୍ଷରୁ ବୈଷୟିକ ନିର୍ଦ୍ଦେଶକ ଶ୍ରୀ ଶିବପ୍ରସାଦ ଏହି ବୁଝାମଣାପତ୍ରରେ ସ୍ୱାକ୍ଷର କରିଥିଲେ ।

ଏହି କାର୍ଯ୍ୟକ୍ରମ ଅବସରରେ ବନ୍ୟ ଟସର ଉପରେ ଆଧାରିତ ଏବଂ ଟସର ଚାଷ ଜରିଆରେ ଭଗାମୁଣ୍ଡାରେ ମହିଳା ସଶକ୍ତିକରଣ ସଂପର୍କିତ ଦୁଇଟି କ୍ଷୁଦ୍ର ବୃତ୍ତଚିତ୍ର ପ୍ରଦର୍ଶିତ ହୋଇଥିଲା । ଏହି ବୁଝାମଣାପତ୍ର ସ୍ୱାକ୍ଷର କାର୍ଯ୍ୟକ୍ରମରେ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ଶ୍ରୀ ମନୋଜ ମହାପାତ୍ର ସଂଯୋଜନା କରିଥିବାବେଳେ ମୁଖ୍ୟ ବନ ସଂରକ୍ଷକ ଶ୍ରୀମତୀ ମିତା ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here