Home Environment ବନ୍ୟପ୍ରାଣୀଙ୍କ ଆବାସସ୍ଥଳୀର ସୁରକ୍ଷା କର

ବନ୍ୟପ୍ରାଣୀଙ୍କ ଆବାସସ୍ଥଳୀର ସୁରକ୍ଷା କର

ଭୁବନେଶ୍ୱର : ଆଜି ରାଜ୍ୟସ୍ତରୀୟ ୬୮ତମ ବନ୍ୟପ୍ରାଣୀ ସପ୍ତାହ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିରଳ ବନ୍ୟପ୍ରାଣୀମାନଙ୍କ ଆବାସସ୍ଥଳୀର ସୁରକ୍ଷା, ସଂରକ୍ଷଣ ଓ ଅଭିବୃଦ୍ଧି ପାଇଁ ସହଯୋଗର ହାତ ବଢାଇବା ନିମନ୍ତେ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ।

ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରଦିପ କୁମାର ଅମାତ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଓଡ଼ିଶାରେ ସ୍ଥାନୀୟ ଲୋକମାନଙ୍କ ସକ୍ରିୟ ଅଂଶଗ୍ରହଣ ଦ୍ୱାରା ପରିବେଶ ପର୍ଯ୍ୟଟନସ୍ଥଳୀ ସ୍ଥାପନ ବିଷୟରେ ଉଲ୍ଲେଖ କରିଥିଲେ । ରାଜ୍ୟର ବିଭିନ୍ନ ସ୍ଥାନରେ ନୂତନ ପରିବେଶ ପର୍ଯ୍ୟଟନସ୍ଥଳ ଆଗାମୀ ଦିନରେ ବିକଶିତ କରିବାର ଯୋଜନା ରହିଛି ବୋଲି ସେ ତାଙ୍କ ବକ୍ତବ୍ୟରେ କହିଥିଲେ ।

ଚଳିତ ଆର୍ଥିକ ବର୍ଷଠାରୁ ‘ଅନୁକମ୍ପା’ ପୋର୍ଟାଲ ଜରିଆରେ ବନ୍ୟପ୍ରାଣୀଙ୍କ ଦ୍ୱାରା କ୍ଷତିଗ୍ରସ୍ତ ଲୋକଙ୍କୁ ତ୍ୱରିତ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି । ଏହା ଦ୍ୱାରା ମନୁଷ୍ୟ-ବନ୍ୟପ୍ରାଣୀ ସଂଘର୍ଷକୁ ଅନେକ ମାତ୍ରାରେ ପ୍ରଶମିତ କରାଯାଇପାରିବ । ସେହିପରି ନନ୍ଦନକାନନକୁ ଅନ୍ତର୍ଜାତୀୟ ମାନର ପ୍ରାଣୀଉଦ୍ୟାନରେ ପରିଣତ କରିବା ପାଇଁ ରାଜ୍ୟ ସରକାର ବଦ୍ଧପରିକର । ଭାରତୀୟ ଜଙ୍ଗଲ ସର୍ବେକ୍ଷଣ ୨୦୨୧ ଅନୁଯାୟୀ ବିଗତ ଦୁଇ ବର୍ଷରେ ଆମ ରାଜ୍ୟରେ ଥିବା ହେନ୍ତାଳ ବନର ଆୟତନ ୮.୩୪ ବର୍ଗ କିଲୋମିଟର ବୃଦ୍ଧି ଘଟିଛି । ଏହି ବୃଦ୍ଧି ହାର ଦେଶରେ ସର୍ବାଧିକ ବୋଲି ଶ୍ରୀ ଅମାତ ପ୍ରକାଶ କରିଛନ୍ତି ।

ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡଃ. ମୋନା ଶର୍ମା ତାଙ୍କ ଅଭିଭାଷଣରେ କହିଥିଲେ ଯେ, ବନ୍ୟପ୍ରାଣୀ ସୁରକ୍ଷା ଓ ଅଭିବୃଦ୍ଧି ପାଇଁ ସ୍ଥାନୀୟ ଜନସାଧାନଣଙ୍କର ସହଯୋଗ ଏକାନ୍ତ ଆବଶ୍ୟକ ଅଟେ । ସରକାରଙ୍କର ବିଭିନ୍ନ କାର୍ଯ୍ୟକ୍ରମରେ ସ୍ଥାନୀୟ ଗ୍ରାମବାସୀମାନଙ୍କୁ ସାମିଲ କରିବା ପାଇଁ ସେ ବିଭାଗୀୟ କର୍ମଚାରୀମାନଙ୍କୁ ପରାମର୍ଶ ଦେଇଥିଲେ ।

ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ବନ୍ୟପ୍ରାଣୀ) ତଥା ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ସୁଶୀଲ କୁମାର ପୋପଲି ସ୍ୱାଗତ ଭାଷଣରେ ଏହି ଉତ୍ସବ ପାଳନର ଉଦ୍ଦେଶ୍ୟ ଏବଂ ବନ୍ୟପ୍ରାଣୀ ସଂରକ୍ଷଣ ଓ ସେମାନଙ୍କ ଆବାସସ୍ଥଳୀର ଅଭିବୃଦ୍ଧି ପାଇଁ ସରକାରଙ୍କର ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ସୂଚନା ପ୍ରଦାନ କରିଥିଲେ । ଏହି ଉତ୍ସବ ପାଳନ ଅବସରରେ ଜୟଦେବ ଭବନଠାରେ ରାଜ୍ୟସ୍ତରୀୟ ଫଟୋଚିତ୍ର ପ୍ରଦର୍ଶନୀ କରାଯାଇଥିଲା ।

କ୍ୱିଜ୍‌, ଫଟୋଗ୍ରାଫି ଓ ଚିତ୍ରାଙ୍କନ ପ୍ରତିଯୋଗିତାରେ ବିଜେତାମାନଙ୍କୁ ପୁରସ୍କାର ସହ ମାନପତ୍ର ପ୍ରଦାନ କରାଯାଇଥିଲା । ବଲାଙ୍ଗିରସ୍ଥ ସିସ୍‌କେଲାର ଶ୍ରୀ ବିିକିଜି ନାଗ୍‌ ଓ ଗଞ୍ଜାମ ଜିଲ୍ଲା ପୁରୁଣାବନ୍ଧର ଶ୍ରୀ ରବିନ୍ଦ୍ରନାଥ ସାହୁଙ୍କୁ ଉଲ୍ଲେଖନୀୟ ଅବଦାନ ପାଇଁ ଚଳିତ ବର୍ଷ ନିମନ୍ତେ ରାଜ୍ୟସ୍ତରୀୟ ବିଜୁ ପଟ୍ଟନାୟକ ବନ୍ୟପ୍ରାଣୀ ସଂରକ୍ଷଣ ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ଏହି ଅବସରରେ ଘiଝଛଝiଜe କ୍ସଛiଟhଚ୍ଚ ୨୦୨୨, ଇirଛଟ ଞ୍ଚଜ ଇhଫଚ୍ଛଚ୍ଚneଟwଚ୍ଚr, Wildlife Odisha 2022, Birds of Bhubaneswar, Similipal-The Forest of Hundred Orchids ଆଦି ୩ ଗୋଟି ପୁସ୍ତକ ଉନ୍ମୋଚନ କରାଯାଇଥିଲା । ଶେଷରେ ମୁଖ୍ୟ ବନସଂରକ୍ଷକ (ବନ୍ୟପ୍ରାଣୀ) ଡଃ. ମନୋଜ ଭି. ନାୟର ଧନ୍ୟବାଦ ଅର୍ପଣ କରିଥିଲେ ।