Home News in Odia ବନ୍ଧା ହୋଇ ଜେଲ୍‍ ଯିବେ ଜଗଦ୍ଦେବ

ବନ୍ଧା ହୋଇ ଜେଲ୍‍ ଯିବେ ଜଗଦ୍ଦେବ

ଭୁବନେଶ୍ୱର : ଜନସାଧାରଣଙ୍କ ଉପରେ ଗାଡି ଚଢାଇ ଦେଇଥିବା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଗିରଫ ହୋଇ ଜେଲ୍‍ ଯିବେ । ବର୍ତ୍ତମାନ ଲୋକଙ୍କ ମାଡରେ ଆହତ ହୋଇ ଚିକିତ୍ସାଧିନ ବିଧାୟକ ସୁସ୍ଥ ହେଲାପରେ ଗିରଫ ହେବେବୋଲି ସୂଚନା ଦେଇଛନ୍ତି କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ ।

ଆଜି ବାଣପୁର ଠାରେ ବିଧାୟକ ଶ୍ରୀ ଜଗଦ୍ଦେବ ଗାଡି ଚଢାଇ ଦେବାଯୋଗୁଁ ୧୦ଜଣ ପୁଲିସ୍‍ କର୍ମଚାରୀଙ୍କ ସହିତ ମୋଟ୍‍ ୨୨ଜଣ ବ୍ୟକ୍ତି ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ବାଣପୁର ଥାନା ଅଧିକାରୀ ଓ ଜଣେ ମହିଳା ଗୁରୁତର ଅଛନ୍ତି । ଅନ୍ୟ ପକ୍ଷରେ ଲୋକଙ୍କ ମାଡରେ ଆହତ ବିଧାୟକ ମଧ୍ୟ ଆଇସିୟୁରେ ଥିବା ଜଣାଯାଇଛି ।

ଏଭଳି ଘଟଣା ଘଟିବାପରେ ତୁରନ୍ତ ଘଟଣାସ୍ଥକଳୁ କେନ୍ଦ୍ରାଞ୍ଚଳ ଆଇଜି ଶ୍ରୀ ଭୋଳ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ । ପରେ ଗଣମାଧ୍ୟମକୁ କହିଥିଲେ ଯେ ବିଧାୟକଙ୍କ ବିରୁଦ୍ଧରେ ହତ୍ୟା ଅଭିଯୋଗ ଲାଗିଛି । ତାଙ୍କ ଗାଡି ଧକ୍କାରେ କେହି ମୃତାହତ ହୋଇନଥିଲେ ମଧ୍ୟ ପୁଲିସ୍‍ କର୍ମଚାରୀଙ୍କ ସମେତ ଦୁଇ ସାମ୍ବାଦିକ ଓ ସାଧାରଣ ଲୋକେ ଆହତ ହୋଇଛନ୍ତି ।

ଡାକ୍ତରଖାନାରେ ଚିକିତ୍ସାଧିନ ଥିବା ବିଧାୟକ ସୁସ୍ଥ ହେଲାପରେ ତୁରନ୍ତ ଗିରଫ ହେବେ ଓ ତାଙ୍କୁ ଜେଲ୍‍ ପଠାଇ ଦିଆଯିବ । ଉଲ୍ଲେଖନୀୟ ଯେ ଲୋକଙ୍କ ପ୍ରବଳ ମାଡରେ ଲହୁ ଲୁହାଣ ହୋଇଥିବା ଶ୍ରୀ ଜଗଦ୍ଦେବଙ୍କୁ ପ୍ରଥମେ ବାଣପୁର ଓ ପରେ ଖୋର୍ଦ୍ଧା ଡାକ୍ତରଖାନାକୁ ନିଆଯାଇଥିଲା । ହେଲେ ସେଠାରେ ତାଙ୍କ ସ୍ଥିତି ବିଗିଡିବା ଓ ସେ ଅଚେତ ହୋଇ ପଡିବାରୁ ତାଙ୍କୁ ରାଜଧାନୀର ଗୋଟିଏ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତାଙ୍କୁ ମୁଣ୍ଡରେ ୭ଟି ଷ୍ଟିଚ୍‍ ପଡିଛି ଓ ସେ ଏବେ ଆଇସିୟୁରେ ଥିବା ସୂଚନା ମିଳିଛି ।

ଅନ୍ୟ ପକ୍ଷରେ ଏହି ଘଟଣାକୁ ନେଇ ବିରୋଧି କଂଗ୍ରେସ ଓ ବିଜେପି ସରକାରଙ୍କୁ ସମାଲୋଚନା କରିଥିବାବେଳେ ଶାସକ ବିଜେଡି ମଧ୍ୟ ଘଟଣାକୁ ଦୃଢଭାବେ ନିନ୍ଦା କରିଛି । ରାଜନୀତିରେ ହିଂସାର ସ୍ଥାନ ନାହିଁ ଏବଂ ପୁଲିସ୍‍ ଓ ପ୍ରଶାସନ ଏହି ଘଟଣାରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ବିଜେଡି ମୁଖପାତ୍ର ଡକ୍ଟର ସସ୍ମିତ ପାତ୍ର କହିଛନ୍ତି ।