Home Industry ବନ୍ଦ ହେଉଛି କେନ୍ଦ୍ରୀୟ ପ୍ରକଳ୍ପ

ବନ୍ଦ ହେଉଛି କେନ୍ଦ୍ରୀୟ ପ୍ରକଳ୍ପ

ଭୁବନେଶ୍ୱର : ପୂର୍ବୋଦୟରେ ଭାରତର ବିକାଶ ଏବଂ ଓଡ଼ିଶା ପୂର୍ବୋଦୟର ମୁଖଶାଳା ବୋଲି କୁହାଯାଉଥିବା ବେଳେ ରାଜ୍ୟରେ ଗୋଟିଏ ପରେ ଗୋଟିଏ କେନ୍ଦ୍ରୀୟ ପ୍ରକଳ୍ପ ବନ୍ଦ ହେବାରେ ଲାଗିଛି ।

ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଂଶଧନରେ ପରିଚାଳିତ ନୀଳାଚଳ ଇସ୍ପାତ ନିଗମ ବନ୍ଦ ହୋଇପଡ଼ିଥିବା ବେଳେ ଏଥିରୁ ପୁଞ୍ଜି ପ୍ରତ୍ୟାହାର ପାଇଁ ଘରୋଇ ସଂସ୍ଥାଙ୍କୁ ଟେକିଦେବା ଲାଗି ଉଦ୍ୟମ ଆରମ୍ଭ ହୋଇଛି । ତେବେ ନୀଳାଚଳ ଇସ୍ପାତ ନିଗମର କର୍ମଚାରୀମାନେ ଏହାକୁ ସହଜରେ ଗ୍ରହଣ କରିନପାରି ପୁଣି କେନ୍ଦ୍ର ସରକାର ଏହି ସଂସ୍ଥାକୁ ଚାଲୁ ରଖିବା ପାଇଁ ସ୍ମାରକପତ୍ର ପରେ ସ୍ମାରକପତ୍ରମାନ ଦେଇ ଚାଲିଛନ୍ତି । ଏହି ନିଗମରେ କାର୍ଯ୍ୟରତ କର୍ମଚାରୀମାନେ ବର୍ଷାଧିକକାଳ ଧରି ବେତନ ନ ପାଇ ବହୁ କଷ୍ଟରେ କାଳାତିପାତ କରୁଥିବା ବେଳେ ଅର୍ଥାଭାବ କାରଣରୁ ଇତିମଧ୍ୟରେ ଜଣେ କର୍ମଚାରୀ ମଧ୍ୟ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଛନ୍ତି ।

ପୂର୍ବରୁ କେନ୍ଦ୍ରୀୟ ଉଦ୍ୟୋଗ ତାଳଚେର ସାର କାରଖାନା ଦୀର୍ଘବର୍ଷ ତଳୁ ବନ୍ଦ ହୋଇପଡ଼ିଛି । ଓଡ଼ିଶାର ଚାଷୀମାନଙ୍କ ଲାଗି ଅନ୍ୟ ରାଜ୍ୟରୁ ସାର ଆଣିବାକୁ ପଡ଼ୁଛି । ୟୁପିଏ ସରକାର ସମୟରେ ତାଳଚେର ସାର କାରଖାନାର ପୁନରୁଦ୍ଧାର ହେବ ବୋଲି ଘୋଷଣା ହୋଇଥିଲା । କିନ୍ତୁ ତାହା ସେତେବେଳେ କାର୍ଯ୍ୟକାରୀ ହୋଇନଥିଲା । ଗତ ସାଧାରଣ ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଳଚେର ସାର କାରଖାନା ପୁନରୁଦ୍ଧାର ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ଏବଂ ଏହା ସୀମିତ ସମୟ ମଧ୍ୟରେ କାର୍ଯ୍ୟକ୍ଷମ ହେବ ବୋଲି କୁହାଯାଇଥିଲେ ସୁଦ୍ଧା ଏଯାବତ୍‍ ତାଳଚେର ସାର କାରଖାନା ଉତ୍ପାଦନକ୍ଷମ ହୋଇପାରିନାହିଁ ।

ଇତିମଧ୍ୟରେ ତାଳଚେରସ୍ଥିତ ଅନ୍ୟ ଏକ କେନ୍ଦ୍ରୀୟ ପ୍ରକଳ୍ପ ତାଳଚେର ତାପଜ ବିଦ୍ୟୁତ୍‍ କେନ୍ଦ୍ରରୁ ଉତ୍ପାଦନ ବନ୍ଦ କରିଦିଆଯାଇଛି । ଏହି ପ୍ରକଳ୍ପ ବନ୍ଦ ହେବା ଫଳରେ ଏଠାରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ କର୍ମନିଯୁକ୍ତି ପାଇଥିବା ହଜାର ହଜାର ଲୋକଙ୍କ ପରିବାର ଉପରେ ସତେଯେମିତି ସମସ୍ୟାର ବୋଝ ଲଦି ହୋଇଯାଇଛି । ଅବଶ୍ୟ ଏହି ତାପଜ ବିଦ୍ୟୁତ୍‍ କେନ୍ଦ୍ରକୁ କାର୍ଯ୍ୟକ୍ଷମ କରିବା ଲାଗି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଇତିମଧ୍ୟରେ କେନ୍ଦ୍ର ସରକାରଙ୍କୁ ଅନୁରୋଧ ଜଣାଇ ପତ୍ର ଲେଖିଛନ୍ତି ।

ତେବେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଏହି ଅନୁରୋଧ ରକ୍ଷାକରି କେନ୍ଦ୍ର ସରକାର ତାଳଚେର ତାପଜ ବିଦ୍ୟୁତ୍‍ କେନ୍ଦ୍ରର ନବୀକରଣ ସହ ପୁନଃ କାର୍ଯ୍ୟକ୍ଷମ କରିବେ କି ନାହିଁ ତାହା ତାଙ୍କ ଉପରେ ନିର୍ଭର କରେ । ଏହା ପୂର୍ବରୁ ଭୁବନେଶ୍ୱରରେ ଥିବା କେନ୍ଦ୍ର ସରକାରଙ୍କ ଛାପାଖାନାକୁ ବନ୍ଦ କରିଦିଆଯାଇଛି ଓ ତାହାକୁ କାର୍ଯ୍ୟକ୍ଷମ କରବା ଲାଗି ରାଜ୍ୟର ବାରମ୍ବାର ଅନୁରୋଧକୁ ମଧ୍ୟ କର୍ଣ୍ଣପାତ କରାଯାଇନାହିଁ ।

ଏହି ଚାରୋଟି ଛଡ଼ା ରାଜ୍ୟରେ ଆଉ କେତେକ କେନ୍ଦ୍ରୀୟ ପ୍ରକଳ୍ପ ମଧ୍ୟ ଦୁର୍ବଳ ସ୍ଥିତିରେ ରହିଛି । ତେବେ ନାଲ୍‍କୋ, ପାରାଦୀପ ପେଟ୍ରୋ କେମିକାଲ୍ସ, ରାଉରକେଲା ଇସ୍ପାତ କାରଖାନା ଭଳି କେତେକ କେନ୍ଦ୍ରୀୟ ପ୍ରକଳ୍ପ ଅବଶ୍ୟ ଭଲରେ ଚାଲିଛି । ମହାନଦୀ କୋଲ୍ଡ ଫିଲ୍ଡସ୍‍ର ସ୍ଥିତି ଅପେକ୍ଷାକୃତ ଭଲ ଥିଲେ ବି କୋଇଲା ଉତ୍ପାଦନ କିନ୍ତୁ ଯେତେ ପରିମାଣରେ ବଢ଼ିବା କଥା ତାହା ହୋଇପାରୁନାହିଁ ।

ତାଳଚେର ଓ ସୁନ୍ଦରଗଡ଼ଠାରେ ଭାରତ ସରକାରଙ୍କ ଦୁଇଟି ଉଦ୍ୟୋଗର ଆର୍ଥିକ ସହାୟତାରେ ଦୁଇଟି ମେଡ଼ିକାଲ କଲେଜ ହେବାର ଅଛି । ତାଳଚେରଠାରେ ମେଡ଼ିକାଲ କଲେଜ ସୌଧ ନିର୍ମାଣ ଦୀର୍ଘବର୍ଷ ତଳୁ ସରିଥିଲେ ମଧ୍ୟ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସମନ୍ୱୟ ଅଭାବରୁ ତାଳଚେର ମେଡ଼ିକାଲ କଲେଜରେ ଏଯାବତ୍‍ ନାମାଙ୍କନ କାର୍ଯ୍ୟ ଆରମ୍ଭ ହୋଇନାହିଁ । ସୁନ୍ଦରଗଡ଼ ମେଡ଼ିକାଲ କଲେଜ କେବେ କାର୍ଯ୍ୟକ୍ଷମ ହେବ ତାହା ସ୍ପଷ୍ଟଭାବେ ଜଣାପଡ଼ିନଥିବା ବେଳେ ସୁନ୍ଦରଗଡ଼ ସହିତ ସମଗ୍ର ଓଡ଼ିଶାର ସ୍ୱାର୍ଥ ବିଜଡ଼ିତ ତାଳଚୋର ବିମଳାଗଡ଼ ରେଳପଥ କାମ ବି ସମନ୍ୱୟ ଅଭାବରୁ ଶୂନ୍ୟରେ ଝୁଲି ରହିଛି । (ତଥ୍ୟ)