Home Health ବଣ୍ଟା ହେଲାଣି ୨ଲକ୍ଷ ୪୦ ହଜାର ଫାଭିପିରାଭିର

ବଣ୍ଟା ହେଲାଣି ୨ଲକ୍ଷ ୪୦ ହଜାର ଫାଭିପିରାଭିର

କରୋନା ରୋଗୀଙ୍କ ଚିକିତ୍ସା କ୍ଷେତ୍ରରେ ଫାଭିପିରାଭିର କାମ ଦେଉଥିବା ବେଳେ ରାଜ୍ୟ ସରକାର ବର୍ତ୍ତମାନ ସୁଦ୍ଧା ୩୦ଟି ଜିଲ୍ଲାରେ ୨ଲକ୍ଷ ୪୦ହଜାର ଫାଭିପିରାଭିର ବଟିକା ବାଣ୍ଟି ସାରିଲେଣି । ଏହାଦ୍ୱାରା ୪୬୦ କରୋନା ରୋଗୀ ଫାଭିପିରାଭିର ଦ୍ୱାରା ଚିକିତ୍ସିତ ହୋଇସାରିଥିବା ବେଳେ ଆଉ ୧୯୦୦ ରୋଗୀ ଚିକିତ୍ସାଧିନ ଅଛନ୍ତି ।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଆଜି ଏ ସଂକ୍ରାନ୍ତରେ ଜିଲ୍ଲାପାଳ ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀମାନଙ୍କ ସହିତ କରିଥିବା ଆଲୋଚନାରୁ ଏହା ଜଣାଯାଇଛି । ରାଜ୍ୟରେ କରୋନା ରୋଗୀଙ୍କ ସୁସ୍ଥହାର ବଢ଼ି ୯୩ ପ୍ରତିଶତରେ ପହଞ୍ଚିଥିବା ବେଳେ ଜାତୀୟ ସ୍ତରରେ ଏହା ୮୮.୮୧ ପ୍ରତିଶତ ରହିଛି । ସେହିଭଳି ରାଜ୍ୟର କରୋନା ହଟ୍‍ସ୍ପଟ ପାଲଟିଥିବା ଖୋର୍ଦ୍ଧା, କଟକରେ କରୋନା ପଜିଟିଭ୍‍ଙ୍କ ସଂଖ୍ୟା ଲଗାତର ଭାବେ ହ୍ରାସ ପାଉଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ କରୋନା ମୃତ୍ୟୁହାର ୦.୪୩ ପ୍ରତିଶତ ରହିଛି ଯାହାକି ଦେଶର ବଡ଼ ବଡ଼ ରାଜ୍ୟ ତୁଳନାରେ ସବୁଠାରୁ କମ୍‍ ।

ଆସନ୍ତା ପାର୍ବଣ ଓ ଶୀତ ଋତୁକୁ ଦୃଷ୍ଟିରେ ରଖି ବ୍ୟାପକ ପଦକ୍ଷେପ ଗ୍ରହଣ ଲାଗି ଶ୍ରୀ ମହାପାତ୍ର ଜିଲ୍ଲା ପ୍ରଶାସନକୁ କହିଛନ୍ତି । ସହରାଞ୍ଚଳରେ ମୁନିସିପାଲ କମିଶନର୍‍ ଓ ପୌର ଅଧିକାରୀମାନେ ପ୍ରସ୍ତୁତି ଚଳାଇଥିବା ବେଳେ ମିଶନ୍‍ ମୋଡ୍‍ରେ ଆଇଇସି ପ୍ରଚାର ଚଳାଇବାକୁ ରାଜ୍ୟ ସରକାର କହିଛନ୍ତି । ଏ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ମାର୍ଗଦର୍ଶିକା ଜାରି କରାଯିବା ସହିତ ଅଧିକାଂଶ ୟୁରୋପୀୟ ଦେଶରେ କୋଭିଡ୍‍ ସଂକ୍ରମଣର ଦ୍ୱିତୀୟ ଲହରି ଆସିବା ଓ କେରଳରେ ଓନାମ ପରେ ସଂକ୍ରମଣ ବୃଦ୍ଧି ପାଇବା ଯୋଗୁ ଏ ଦିଗରେ ବ୍ୟାପକ ସତର୍କତା ଲାଗି ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି ।

ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଲୋକଙ୍କୁ ସେମାନଙ୍କ କରୋନା ପରୀକ୍ଷାଫଳ ଶୀଘ୍ର ଅବଗତ କରାଇବା ସହିତ ପାର୍ବଣ ଶେଷ ପର୍ଯ୍ୟନ୍ତ କରୋନା ପରୀକ୍ଷା ହାର ଜାରି ରଖିବାକୁ କୁହାଯାଇଛି । ବର୍ତ୍ତମାନ ସୁଦ୍ଧା ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା ୨୦ହଜାର ତଳକୁ ଆସି ୧୯,୫୭୯ରେ ପହଞ୍ଚିଛି ।

ଶ୍ରୀ ମହାପାତ୍ର ରାଜ୍ୟରେ କରେନା ଚିକିତ୍ସାଳୟରେ ଶଯ୍ୟା, ଆଇସିୟୁ ଏବଂ ଭେଣ୍ଟିଲେଟର ସଂକ୍ରାନ୍ତରେ ମଧ୍ୟ ସମୀକ୍ଷା କରିଛନ୍ତି । ରାଜ୍ୟରେ ଏବେ କୋଭିଡ୍‍ କେୟାର ସେଣ୍ଟରଗୁଡ଼ିକରେ ୧୨,୫୧୬ ଶଯ୍ୟା ଥିବା ବେଳେ ଏଥିରୁ ୧୪୦୯ରେ ରୋଗୀ ଅଛନ୍ତି । ସେହିଭଳି କୋଭିଡ୍‍ ହସ୍ପିଟାଲଗୁଡ଼ିକରେ ୮୦୦୦ ଶଯ୍ୟା ମଧ୍ୟରୁ ୨୯୨୭ରେ ରୋଗୀ ରହିଛନ୍ତି । ୧୫୧୯ ଆଇସିୟୁ/ଏଚ୍‍ଡ଼ିୟୁ ଶଯ୍ୟା ମଧ୍ୟରୁ ୮୯୯ଟି ପୂରଣ ହୋଇଛି । ସେହିଭଳି ୫୬୪ଟି ଭେଣ୍ଟିଲେଟରରୁ ମାତ୍ର ୨୧୭ଟି ବ୍ୟବହାର ହେଉଛି ।

୧୫,୫୧୫ କୋଭିଡ୍‍ ଆକ୍ରାନ୍ତ ଘରେ ରହି ଚିକିତ୍ସିତ ହେଉଛନ୍ତି ଯାହାକି ମୋଟ୍‍ ରୋଗୀ ସଂଖ୍ୟାର ପ୍ରାୟ ୭୫ ପ୍ରତିଶତ । ଏହି ରୋଗୀମାନଙ୍କୁ ଫାଭିପିରାଭିର ବଟିକା ଦିଆଯାଉଥିବା ବେଳେ ଏଥିଯୋଗୁ ରୋଗୀ ସୁସ୍ଥ ହେଉଥିବା ଜଣାଯାଇଛି । ଏହାକୁ ଦୃଷ୍ଟିରେ ରଖି ସମଗ୍ର ରାଜ୍ୟରେ ଏବେ ଫାଭିପରାଭିର ବଟିକା ବଣ୍ଟନ ଉପରେ କର୍ତ୍ତୃପକ୍ଷ ଅଗ୍ରାଧିକାର ଦେଉଛନ୍ତି ।