Home Energy ବଢୁଛି ମାଗଣା ବିଜୁଳି ଦାବି

ବଢୁଛି ମାଗଣା ବିଜୁଳି ଦାବି

ଭୁବନେଶ୍ୱର : ରାଜ୍ୟରେ ଏବେ ମାଗଣା ବିଦ୍ୟୁତ୍‍ ଦାବି ବଢିବାରେ ଲାଗିଛି । ବିଶେଷକରି ଦିଲ୍ଲୀ ପରେ ପଞ୍ଜାବ ସରକାର ଲୋକଙ୍କୁ ୨୦୦ ୟୁନିଟ୍‍ ପର୍ଯ୍ୟନ୍ତ ମାଗଣା ବିଜୁଳି ଯୋଗାଇବା ପରେ ଓଡିଶାରେ ଅନୁରୂପ ଦାବି ଜୋର ଧରୁଛି ।

ଓଡିଶାରେ ମାଗଣା ବିଜୁଳି ଯୋଗାଣ ପାଇଁ ହେଉଥିବା ଦାବିରେ ସବୁଠାରୁ ଆଗରେ ରହିଛି ଆମ୍‍ ଆଦ୍‍ମୀ ପାର୍ଟି । ଦଳ ପକ୍ଷରୁ ଏ ନେଇ ଦୁଇ ଦୁଇଟି ବଡ ବୈଠକ କରାଯିବା ସହିତ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିଛି । ଦିଲ୍ଲୀ ଓ ପଞ୍ଜାବରେ ମାଗଣା ବିଜୁଳି ପ୍ରସଙ୍ଗ ଦଳକୁ ନିର୍ବାଚନୀ ବୈତରଣୀ ପାର କରାଇଥିବାରୁ ଓଡିଶାରେ ମଧ୍ୟ ଆପ୍‍ ଏହାକୁ ନିଜର ପୁଞ୍ଜି କରିବାକୁ ଯାଉଛି ।

ସମାଜବାଦୀପାର୍ଟିର ଓଡିଶା ଶାଖା ପକ୍ଷରୁ ମଧ୍ୟ ଲୋକଙ୍କୁ ମାଗଣା ବିଜୁଳି ଦେବାପାଇଁ ବାରମ୍ବାର ଦାବି ହେଉଛି । ଦଳର ରାଜ୍ୟ ସଭାପତି ରବି ବେହେରା ୨୦୦ ୟୁନିଟ୍‍ ପର୍ଯ୍ୟନ୍ତ ମାଗଣା ବିଜୁଳି ଦାବି କରିବା ସହିତ ଏହା ନହେଲେ ଆଗାମୀ ଦିନରେ ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛନ୍ତି ।

ସମାଜବାଦୀ ପାର୍ଟି ଦର୍ଶାଇଛି ଯେ ବିଜୁଳି ଉତ୍ପାଦନରେ ଓଡିଶା ଗୋଟିଏ ବଳକା ରାଜ୍ୟ । ଅନ୍ୟ ରାଜ୍ୟରୁ ବିଜୁଳି କିଣି ପଞ୍ଜାବ ଓ ଦିଲ୍ଲୀ ସରକାର ଯଦି ଲୋକଙ୍କୁ ମାଗଣାରେ ବିଜୁଳି ପ୍ରଦାନ କରୁଛନ୍ତି ତେବେ ଓଡିଶାରେ ମାଗଣା ବିଜୁଳି ଯୋଗାଇବାରେ ଅସୁବିଧା କେଉଁଠି ? ଦଳ ମଧ୍ୟ ଆଗାମୀ ଦିନରେ ମାଗଣା ବିଜୁଳି ପ୍ରସଙ୍ଗକୁ ଆଧାର କରି ଆଗକୁ ବଢିବାର ଲକ୍ଷ୍ୟ ରଖିଥିବା ସୂଚନା ମିଳୁଛି ।

ତେବେ ବାମପନ୍ଥୀ ଦଳ ସିପିଆଇ ଏମାନଙ୍କ ଠାରୁ ଆଉ ଦୁଇପାଦ ଆଗକୁ ଯାଇ ୨୨ତାରିଖରେ ସମଗ୍ର ରାଜ୍ୟରେ ବିଦ୍ୟୁତ୍‍ ଅଫିସ ଘେରାଉ କରିଛି । ଦଳ ପକ୍ଷରୁ ଯେତେ ସବୁ ଦାବି କରାଯାଇଛି ସେଥି ମଧ୍ୟରେ ସର୍ବାଗ୍ରେ ରହିଛି ୨୦୦ ୟୁନିଟ୍‍ ପର୍ଯ୍ୟନ୍ତ ମାଗଣା ବିଜୁଳି ଯୋଗାଣ ।

ଗୋଟିଏ ପଟେ ରାଜ୍ୟରେ ମାଗଣା ବିଜୁଳି ଯୋଗାଣ ଦାବି ଧିରେ ଧିରେ ଦାନା ବାନ୍ଧୁଥିବାବେଳେ ଅନ୍ୟପଟେ ରାଜ୍ୟର ବିଭିନ୍ନ ସ୍ଥାନରେ ଅଘୋଷିତ ବିଜୁଳି କାଟ୍‍ ଏବେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢାଇବାରେ ଲାଗିଛି । ରାଜ୍ୟରେ ବିଦ୍ୟୁତ୍‍ ଯୋଗାଣ ଦାୟିତ୍ୱରେ ଥିବା ଟାଟା ପାୱାର କର୍ତ୍ତୃପକ୍ଷ ମଧ୍ୟ ବିଜୁଳି କାଟ୍‍କୁ ନେଇ ଏକ ପ୍ରକାର ହାତ ଟେକି ଦେଲେଣି ।

ତେବେ ରାଜ୍ୟରେ ଥିବା ତିନି ପ୍ରମୁଖ ରାଜନୈତିକଦଳ ଯେଭଳି ଭାବେ ମାଗଣା ବିଜୁଳି ଯୋଗାଣ ଦାବି ଉଠାଇବାରେ ଲାଗିଛନ୍ତି ତାହା ଆଗାମୀ ଦିନରେ ରାଜ୍ୟ ରାଜନୀତିରେ ମୁଖ୍ୟ ପ୍ରସଙ୍ଗ ହେବ ବୋଲି ଆଶା କରାଯାଉଛି । କେବଳ ମାଗଣା ବିଜୁଳି ନୁହେଁ, ଓଡିଶାରେ ୟୁନିଟ୍‍ ପିଛା ବିଜୁଳି ଦର ବିଶେଷକରି ବିଜୁଳି ଦର ପାଇଁ ଧାର୍ଯ୍ୟ ହୋଇଥିବା ଭିନ୍ନ ଭିନ୍ନ ସ୍ଲାବ୍‍କୁ ଉଚ୍ଛେଦକୁ ପ୍ରସଙ୍ଗ କରିବାପାଇଁ କିଛି ରାଜନୈତିକ ଦଳ ସଜବାଜ ହେଉଥିବା ସୂଚନା ମିଳୁଛି ।