Home General ବଢି ଚାଲୁଛି ନିଶା କାରବାର

ବଢି ଚାଲୁଛି ନିଶା କାରବାର

ଓଡ଼ିଶାରେ ଯେଭଳି ମଦ, ଗଞ୍ଜେଇ, ବ୍ରାଉନ୍‍ ସୁଗାର ସମେତ ଅନ୍ୟାନ୍ୟ ଚୋରା ନିଶା ସାମଗ୍ରୀ ବ୍ୟାପକ ଭାବେ ଜବତ ହେଉଛି ସେଥିରୁ ରାଜ୍ୟରେ ନିଶାଡ଼ୀଙ୍କ ସଂଖ୍ୟା ଉଦ୍‍ବେଗଜନକ ଭାବେ ବୃଦ୍ଧି ପାଇବା ସହ ନିଶା କାରବାର ବଢ଼ୁଥିବା ସ୍ପଷ୍ଟ ଅନୁମେୟ । ଏହାର ଦୃଢ଼ ପ୍ରତିରୋଧ କରାନଗଲେ ଆଗାମୀ ଦିନରେ ନିଶାର ପ୍ରସାର ରାଜ୍ୟ ପାଇଁ ସାଙ୍ଘାତିକ ବିପର୍ଯ୍ୟୟ ଆଣିବ ବୋଲି ରାଜନୈତିକ, ପ୍ରଶାସନିକ ଓ ସାମାଜିକ ସ୍ତରରେ ଆଶଙ୍କା ବ୍ୟକ୍ତ କରାଯାଉଛି । 

କରୋନା ଭୂତାଣୁ ବିରୋଧରେ ସାଙ୍ଘାତିକ ଲଢ଼େଇ ଚାଲିଥିବା ବେଳେ ପୁଲିସ ଓ ପ୍ରଶାସନ କଳ ଏ କ୍ଷେତ୍ରରେ ଅଧିକ ବ୍ୟସ୍ତ ରହିବାରୁ ଫାଇଦା ଉଠାଇ କିଛି ଅସାମାଜିକ ବ୍ୟକ୍ତି ଚୋରା ନିଶା ସାମ୍ରାଜ୍ୟ ବୃଦ୍ଧି କରିବାରେ ଲାଗିଛନ୍ତି । ତେବେ ଗତ କିଛିଦିନ ଧରି ଲଗାତର ଭାବେ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଯେପରି କୋଟି କୋଟି ଟଙ୍କା ମୂଲ୍ୟର ଚୋରା ନିଶା ସାମଗ୍ରୀ ଜବତ କରୁଛି ତାହା ନିଶା ବେପାରୀଙ୍କ ପାଇଁ ଏକ ବଡ଼ ଆହ୍ୱାନ ସୃଷ୍ଟି କରୁଛି ।

ମଦ କାରବାର ସହ ଜଡ଼ିତ କିଛି ବ୍ୟକ୍ତି କହୁଛନ୍ତି ଯେ କରୋନା ଲକ୍‍ଡାଉନ୍‍ର ପ୍ରାଥମିକ ପର୍ଯ୍ୟାୟରେ କେନ୍ଦ୍ର ସରକାରଙ୍କ କୋଭିଡ୍‍ ଗାଇଡ୍‍ଲାଇନ୍‍ ଅନୁଯାୟୀ ମଦ, ସିଗାରେଟ, ବିଡ଼ି, ପାନ ଇତ୍ୟାଦି ଦୋକାନ ବନ୍ଦ ରହିବା ସମୟରେ ନିଶାଡ଼ୀଙ୍କୁ ନିଶା ସାମଗ୍ରୀ ଯୋଗାଇ ମୁନାଫା ଉଠାଇବାରେ ଚୋରା ନିଶା ବେପାରୀମାନେ ପୂରା ଦମ୍‍ରେ ଲାଗିଥିଲେ । ପୂର୍ବରୁ ସେମାନଙ୍କର ଯାହା ନେଟ୍‍ୱାର୍କ ଥିଲା ଲକ୍‍ଡାଉନ୍‍ ସମୟରେ ତାହା ବେଶ୍‍ ବଢ଼ିଗଲା । ନିଶା ସାମଗ୍ରୀର ବଡ଼ ବଜାର ଉପଲବ୍ଧ ହେବା ପରେ ସେମାନେ ଏ କାମରେ ପୂରା ଦମ୍‍ରେ ଲାଗିଛନ୍ତି ।

ମାଲକାନଗିରିରୁ ନୂଆପଡ଼ା, ମୟୂରଭଞ୍ଜରୁ ଗଜପତି, ବାଲେଶ୍ୱରରୁ ନୟାଗଡ଼ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ ଇତିମଧ୍ୟରେ ବିପୁଳ ପରିମାଣର ଗଞ୍ଜେଇ, ଚୋରା ମଦ, ଗୁଟ୍‍ଖା, କଫ୍‍ ସିରଫ୍‍ ଆଦି ଏସ୍‍ଟିଏଫ୍‍, ପୁଲିସ ଓ ଅବକାରୀ ବିଭାଗ ଜବତ କରିଛନ୍ତି । ତେବେ ଯେତିକି ପରିମାଣର ଚୋରା ନିଶା ସାମଗ୍ରୀ ଜବତ ହୋଇଛି ତାହା ବଜାରରେ ଉପଲବ୍ଧ ସାମଗ୍ରୀ ତୁଳନାରେ ଅତି ନଗଣ୍ୟ ।

ଗଞ୍ଜେଇ ନିଷିଦ୍ଧ ହୋଇଥିବା ବେଳେ ଲାଇସେନ୍ସପ୍ରାପ୍ତ ଦୋକାନ ମାଧ୍ୟମରେ ଭାଙ୍ଗ ବୋଲି କୁହାଯାଉଥିବା ଗଞ୍ଜେଇ ପତର କିନ୍ତୁ ବିକ୍ରି ହେଉଛି । ଅଥଚ ଗଞ୍ଜେଇ ଚାଷ ସମ୍ପୂର୍ଣ୍ଣ ବେଆଇନ୍‍ । ପ୍ରତିବର୍ଷ ମିଳିତ ଚଢ଼ାଉ କରି ପୁଲିସ ଓ ଅବକାରୀ କର୍ତ୍ତୃପକ୍ଷ କୋଟି କୋଟି ସଂଖ୍ୟକ ଗଞ୍ଜେଇ ଗଛ ନଷ୍ଟ କରୁଛନ୍ତି । ଏହା ସତ୍ତେ୍ୱ ବି ଓଡ଼ିଶାରୁ ବିଭିନ୍ନ ରାଜ୍ୟକୁ ଗଞ୍ଜେଇର ଚୋରା ଚାଲାଣ ଜାରି ରହିଛି । ଏବେ ରାଜଧାନୀ ଭୁବନେଶ୍ୱରରୁ ଆରମ୍ଭ କରି ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ଚୋରା ଗଞ୍ଜେଇ ଓ ମଦ ବ୍ୟାପକ ପରିମାଣରରେ ଉପଲବ୍ଧ ହେଉଛି । ସୀମିତ ସଂଖ୍ୟକ ଅବକାରୀ କର୍ମଚାରୀ ଏହା ନିୟନ୍ତ୍ରଣ କରିବା ଏକପ୍ରକାର ଅସମ୍ଭବପର ବ୍ୟାପାର ।

ସେହିପରି ଆଇନ୍‍ ଶୃଙ୍ଖଳା ରକ୍ଷାଠାରୁ ଆରମ୍ଭ କରି ଅପରାଧିକ ମାମଲା ପରିଚାଳନା, ବିଶିଷ୍ଟ ବ୍ୟକ୍ତିମାନଙ୍କର ନିରାପତ୍ତା ଆଦି କ୍ଷେତ୍ରରେ ପୁଲିସ ବ୍ୟସ୍ତ ରହୁଥିବା ସତ୍ତେ୍ୱ ବି ଅଧିକ ପରିମାଣର ଚୋରା ନିଶା ସମାଗ୍ରୀ ପୁଲିସ ଧରୁଛି । ଅନ୍ୟପକ୍ଷରେ ନିଶା କାରବାର ସଂକ୍ରାନ୍ତୀୟ ମାମଲାରେ କିନ୍ତୁ ରାଜ୍ୟରେ ଦଣ୍ଡବିଧାନ ହାର ୧୦ ପ୍ରତିଶତ ଟପୁନାହିଁ ଏବଂ ଏ କିସମର ଅନେକ ମାମଲା ବର୍ଷ ବର୍ଷ ଧରି ଗଡୁଛି । ବିଶେଷ କରି ଛାତ୍ର ଓ ଯୁବକମାନଙ୍କୁ ନିଶା ବେପାରୀମାନେ ଟାର୍ଗେଟ୍‍ କରୁଥିବା ଭବିଷ୍ୟତ ପାଇଁ ସାଙ୍ଘାତିକ ବିପଦ ସୃଷ୍ଟି କରୁଥିବା ମଦମୁକ୍ତି ଅଭିଯାନ ସହ ଜଡ଼ିତ କର୍ମକର୍ତ୍ତାମାନେ ଉଲ୍ଲେଖ କରିବା ସହ ସରକାର ସମ୍ପୂର୍ଣ୍ଣ ନିଶା ନିବାରଣକୁ ଆଖି ଆଗରେ ରଖି ଯୋଜନାବଦ୍ଧ କରିବାକୁ ଦାବି କରୁଛନ୍ତି ।