Home General ବଢି ଚାଲିଛି ଭିକାରୀଙ୍କ ସଂଖ୍ୟା

ବଢି ଚାଲିଛି ଭିକାରୀଙ୍କ ସଂଖ୍ୟା

ଭୁବନେଶ୍ୱର : ରାଜଧାନୀକୁ ‘ସହାୟ’ ଯୋଜନା ମାଧ୍ୟମରେ ଭିକାରୀମୁକ୍ତ କରିବାପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‍ସି) ଘୋଷଣା କରିବାପରେ ସହରର ପ୍ରମୁଖ ଛକ ଗୁଡିକରେ ଏବେ ଭିକାରୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହି ଭିକାରୀମାନଙ୍କ ସହିତ ବୁଲା ବିକାଳି ଓ କିନ୍ନରମାନଙ୍କର ଉପସ୍ଥିତି ଏବେ ସହରର ଟ୍ରାଫିକ ବ୍ୟବସ୍ଥାପାଇଁ ବଡ ଆହ୍ୱାନ ହେଲାଣି ।

ରାଜଧାନୀରେ ଆଉ ଭିକାରୀ ରହିବେ ନାହିଁ । ସେମାନଙ୍କୁ ଥଇଥାନ କରାଯିବା ସହିତ ଆତ୍ମନିର୍ଭର କରିବାପାଇଁ ବିଏମ୍‍ସି ଘୋଷଣା କରିଥିଲା । ହେଲେ ଏହି ଘୋଷଣା ପରେ ସହରର ଭିକାରୀମୁକ୍ତ ହେବା ବଦଳରେ ଏବେ ଭିକାରୀବହୁଳ ହେବାରେ ଲାଗିଛି । ଲୋକସେବାଭବନ କଡରେ ଥିବା ଏଜି ଛକ, ପାୱାରହାଉସ୍‍ ଛକ ଆଦିରେ ଏବେ ମାଳ ମାଳ ଭିକାରୀ । କିଏ କଅଁଳ ପିଲାକୁ କାଖରେ ଜାକି ଧୂ ଧୂ ଖରାରେ ଭିକ ମାଗୁଛି ତ ଆଉ କିଛି ଆଶାବାଡି କାଖରେ ଜାକି ହାତ ପତାଉଛନ୍ତି । ଟ୍ରାଫିକ ସିଗ୍ନାଲ ପାଇଁ ଗାଡି ଅଟକିଲାମାତ୍ରେ ମାଳ ମାଳ ଭିକାରୀ ଗାଡି ସାମ୍ନାକୁ ଆସି ଯାଉଛନ୍ତି ।

ଏହି ଭିକାରୀମାନଙ୍କ ମାନଙ୍କ ମଧ୍ୟରୁ ସଂଖ୍ୟାଧିକ ହେଉଛନ୍ତି ଅଣଓଡିଆ । ଏମାନେ ପରସ୍ପର ମଧ୍ୟରେ ହିନ୍ଦୀଭାଷାରେ କଥା ହେଉଥିବାବେଳେ ଲୋକ ପଚାରୁଥିବା କୌଣସି ପ୍ରଶ୍ନର ଉତ୍ତର ଦେଉ ନାହାନ୍ତି । ରାଜଧାନୀର ପ୍ରମୁଖ ଛକ ଗୁଡିକରେ ଏଭଳି ଅବସ୍ଥା ସୃଷ୍ଟି ହୋଇଥିବାବେଳେ ଭିକାରୀମାନଙ୍କୁ କର୍ତ୍ତୃପକ୍ଷ କେବେ ଥଇଥାନ କରିବେ ବୋଲି ସାଧାରଣରେ ପ୍ରଶ୍ନ ଉପୁଜିଲାଣି ।

କେବଳ ଭିକାରୀ ନୁହନ୍ତି, ସହରର ପ୍ରମୁଖ ଛକ ଗୁଡିକ ଏବେ ରାଜ୍ୟ ବାହାରର ବୁଲାବିକାଳୀଙ୍କ କବ୍‍ଜାରେ । ଦଳ ଦଳ ହୋଇ ଯୁବକ ଓ ଯୁବତୀମାନେ ଡଟ୍‍ପେନ୍‍ ଠାରୁ ଆରମ୍ଭ କରି ଘରକରଣା ଓ ଖେଳଣା ଆଦି ବିକ୍ରି କରୁଛନ୍ତି । ଏମାନଙ୍କ ଯୋଗୁଁ ଅଧିକାଂଶ ସମୟରେ ଟ୍ରାଫିକ ସିଗ୍ନାଲ ପାଇଲେ ମଧ୍ୟ ଗାଡିମୋଟର ଆଗକୁ ଗଡିପାରୁ ନାହିଁ । ଏଥି ସହିତ ବିଭିନ୍ନ ଛକରେ ଏବେ କିନ୍ନରମାନଙ୍କ ଭିଡ ଦେଖିବାକୁ ମିଳୁଛି । ଗାଡି ଅଟକିଲା ମାତ୍ରେ କାଚକୁ ବାଡେଇ ଏମାନେ ଅର୍ଥ ମାଗୁଛନ୍ତି । ଆର୍ଶୀବାଦ ଦେବାପାଇଁ ଲୋକଙ୍କୁ ଗାଡି କାଚ ଖସାଇବାକୁ ଏକ ପ୍ରକାର ବାଧ୍ୟ କରୁଛନ୍ତି ।

ତେବେ ରାଜ୍ୟ ରାଜଧାନୀରେ ଏଭଳି ଭିକ୍ଷାବୃତ୍ତି ସର୍ବ ସମ୍ମୁଖରେ ବିଶେଷକରି ଲୋକସେବାଭବନ ଓ ପୁଲିସ୍‍ ସେବା ଭବନ ସମ୍ମୁଖରେ ସକାଳୁ ସଞ୍ଜ ପର୍ଯ୍ୟନ୍ତ ଚାଲିଥିବାବେଳେ ଏହାକୁ କେହି ରୋକୁ ନାହାନ୍ତି । ଏପରିକି ଭିକ୍ଷାବୃତ୍ତିରେ ଲିପ୍ତ ମହିଳା ଓ କୁନି କୁନି ପିଲା କେଉଁଠୁ ଆସିଛନ୍ତି ଓ କେଉଁଠି ରହୁଛନ୍ତି ତାହା ମଧ୍ୟ ଜାଣିବାକୁ କାହାର ଆଗ୍ରହ ନାହିଁ । ଶିକ୍ଷା ଅଧିକାର ଆଇନ୍‍ ଠାରୁ ଆରମ୍ଭ କରି ମହିଳା ଓ ଶିଶୁ ସୁରକ୍ଷା ଯୋଜନା ଏମାନଙ୍କ ନିକଟରେ ଏକ ପ୍ରକାର ଫେଲ୍‍ ମାରିଥିବା ଲକ୍ଷ୍ୟ କରାଯାଉଛି ।

LEAVE A REPLY

Please enter your comment!
Please enter your name here